ମୁଁ କ୍ଷମତାରେ ରହେ ବା ନରହେ ଲୋକସେବା ଜାରି ରହିବ – ନବୀନ
ଭୁବନେଶ୍ୱର : ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେଲା ବିଜେଡିର ପଦଯାତ୍ରା । ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପଦଯାତ୍ରା ଆରମ୍ଭ କରିଛି ବିଜେଡି । ଗାନ୍ଧୀ ଜୟନ୍ତୀରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଜେଡିର ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୫୭ ନମ୍ବର ଓ୍ବାର୍ଡ ବିଜୁ ଆଦର୍ଶ କଲୋନୀରେ ନବୀନ ପହଞ୍ଚି ଚାଲିଚାଲି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ, ପଦଯାତ୍ରା ହେଉଛି ଲୋକଙ୍କ ପାଖରେ […]

ଭୁବନେଶ୍ୱର : ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେଲା ବିଜେଡିର ପଦଯାତ୍ରା । ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପଦଯାତ୍ରା ଆରମ୍ଭ କରିଛି ବିଜେଡି । ଗାନ୍ଧୀ ଜୟନ୍ତୀରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଜେଡିର ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୫୭ ନମ୍ବର ଓ୍ବାର୍ଡ ବିଜୁ ଆଦର୍ଶ କଲୋନୀରେ ନବୀନ ପହଞ୍ଚି ଚାଲିଚାଲି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ, ପଦଯାତ୍ରା ହେଉଛି ଲୋକଙ୍କ ପାଖରେ ପହଞ୍ଚିବାର ସବୁଠୁ ଶକ୍ତିଶାଳୀ ମାଧ୍ୟମ ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରା ଅବସରରେ ଦଳୀୟ ନେତା, କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଦଳକୁ କିପରି ଆଗକୁ ଆଗେଇ ନେଇ ପୂର୍ବପରି ପୁଣି ଶକ୍ତିଶାଳୀ କରିହେବ ସେନେଇ ଦେଇଛନ୍ତି ଉପଦେଶ । ଏହି ସମୟରେ ନିଜ ଅଭିଭାଷଣରେ ନବୀନ କହିଛନ୍ତି, ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି । ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଓ ରହିବ । ବିଜେଡି ଆଜି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଲୋକଙ୍କ ସୁଖ ଦୁଃଖରେ ଦଳ ସାମିଲ ଅଛି । ସ୍ୱାଭିମାନ ସହ ଲୋକଙ୍କ ସହ ରହିଛି ।
ପଦଯାତ୍ରା ସମୟରେ ବିଜେପି ସରକାରଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ‘୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ଅନେକ କାମ କରିଛି ବିଜେଡି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଆଦିବାସୀଙ୍କ ବିକାଶ ହୋଇଛି । ୨୦୦୦ ରେ ଓଡ଼ିଶାରେ ଗରୀବି ୭୦% ଥିଲା ଏବେ ଏହା ମାତ୍ର ୧୦% । ମୁଣ୍ଡ ପିଛା ଆୟ ବଢିଛି। ଡବଲ ଇଞ୍ଜିନ ରାଜ୍ୟ ଠାରୁ ଓଡିଶା ଆଗରେ । ଏବେ ନୂଆ ସରକାର bsky ନାଁ ବଦଳାଇ ଦେଇଛନ୍ତି । ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଲୋକ ସବୁ ଜାଣିଛନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପି ମାଗଣା ୩୦୦ ୟୁନିଟ୍ ବିଜୁଳି, ୫୦ ହଜାର ଟଙ୍କା ଦେବା କଥା କହିଥିଲା , କେତେ ଜଣ ପାଇଲେଣି? ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି । ମିଛ କଥା କହି ନିର୍ବାଚନ ଜିତି ପାଇପାରନ୍ତି କିନ୍ତୁ ହୃଦୟ ନୁହଁ । ବିଜେପି ଯାହା କହେ ତାହା କରେ ନାହିଁ । ମୁଁ କ୍ଷମତାରେ ଥାଏ ବା ନଥାଏ ଲୋକ ସେବା ଜାରି ରହିବ। ବିଜେଡି ଲୋକଙ୍କ ହୃଦୟରେ ଅଛି ସବୁବେଳେ ରହିବ’।
ଏହି ଅବସରରେ ଜନସାଧାରଣ, ଦଳୀୟ ନେତା ଓ କର୍ମୀମାନେ ନବୀନଙ୍କୁ ସ୍ବାଗତ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ସେଠାରୁ ନେତାଜୀ ପଡ଼ିଆକୁ ଯାଇ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ ନବୀନ ।
ଅନ୍ୟପଟେ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆସନ୍ତା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଗାମୀ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ନିମନ୍ତେ ଏକ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ବୈଠକ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।