ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି

5-T ଓ ମୋ ସରକାରକୁ ନେଇ ଏକ ଫେକ୍‌ ନ୍ୟୁଜ ପୋଷ୍ଟ ପରେ ସ୍ପଷ୍ଟୀକରଣ ଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏଥିସହ ଫେକ୍‌ ଓ ପ୍ରକୃତ ଆଇଡିର ହୋମ୍‌ ପେଜ୍‌ ପୋଷ୍ଟ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି। ତାଙ୍କ ନାଁରେ ଖୋଲିଛି ଫେକ୍‌ ‘X’ ଆକାଉଣ୍ଟ। ଆଉ ସେହି ଆକାଉଣ୍ଟରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ ହେଉଛି। ଆଜି 5-T ଓ ମୋ ସରକାରକୁ ନେଇ ଏକ ଫେକ୍‌ ନ୍ୟୁଜ ପୋଷ୍ଟ ପରେ ସ୍ପଷ୍ଟୀକରଣ ଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏଥିସହ ଫେକ୍‌ ଓ ପ୍ରକୃତ ଆଇଡିର ହୋମ୍‌ ପେଜ୍‌ ପୋଷ୍ଟ କରିଛି।

ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଦୁଇଟି(ଫେକ୍‌ ଓ ପ୍ରକୃତ)ର ମାଷ୍ଟହେଡ୍‌ ସମାନ ରହିଥିଲା ବେଳେ ଫେକ୍‌ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ ହେଉଛି @MohanModisha। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସ୍‌ବୁକ୍ ଆକାଉଣ୍ଟ https://facebook.com/MohanMOdisha ରହିଥିବା ବେଳେ Instagram https://instagram.com/mohanmodisha/ ରହିଛି।

ସୂଚନାରୁ ପ୍ରକାଶ, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଫେକ୍‌ ‘X’ ଆକାଉଣ୍ଟରେ 5-T ଓ ମୋ ସରକାର ହଟାଗଲା ବୋଲି ଲେଖାଯାଇଥିଲା। ଏହା ପରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ଏହା ପରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ଓଡ଼ିଶା ସରକାର। 5-T ଓ ମୋ ସରକାର ସମ୍ପର୍କିତ ଖବର ପ୍ରକାଶ ପାଇଥିବା ‘X’ ଆକାଉଣ୍ଟଟି ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଥିଲା।