ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ମୁମ୍ବାଇରୁ ଆସିଲା ମରଶରୀର

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର । ମୃତ ଶ୍ରମିକଙ୍କ ପତ୍ନୀ ଓ ଝିଅଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇବା ସହ ଝିଅର ପାଠପଢ଼ାରେ ସହଯୋଗ ପାଇଁ ଦେଲେ ଭରସା ।

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ମୁମ୍ବାଇରୁ ଆସିଲା ମରଶରୀର

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର। ଆମ୍ବୁଲାନ୍ସ ଯୋଗେ ଜନ୍ମମାଟି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାହାପୁର ଗାଁରେ ପହଞ୍ଚିଛି । ମୃତ ମୁରଲୀଧର ମହାକୁଡଙ୍କ ପାର୍ଥିବ ଶରୀର। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଭାଙ୍ଗି ପଡିଛି ପୂରା ପରିବାର।

ସୂଚନା ଅନୁସାରେ ସାହାପୁର ଗାଁର ମୁରଲୀଧର ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଅର୍ଥାଭାବ ଯୋଗୁଁ ମୁମ୍ବାଇରୁ ମୁରଲୀଙ୍କ ମରଶରୀର ଆଣିବା ପାରୁନଥିଲେ ତାଙ୍କ ପରିବାର ଲୋକ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁରଲୀଙ୍କ ମରଶରୀର ଆମ୍ବୁଲାନ୍ ଯୋଗେ ଓଡ଼ିଶା ଅଣାଯାଇଛି।

ମୁରଲୀଧରଙ୍କ ପତ୍ନୀ ଓ ଝିଅଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଧୈର୍ଯ୍ୟହରା ନହେବାକୁ କହିବା ସହିତ ଝିଅର ପାଠପଢା ପାଇଁ ସରକାର ସହଯୋଗ କରିବେ ବୋଲି ଭରସା ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।