ମୁଖ୍ୟମନ୍ତ୍ରୀଙ୍କୁ ପରିହାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ 'ସିଙ୍ଗଡ଼ା ପାର୍ଟି'

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଜୟରାମ ଠାକୁର ମଣ୍ଡିର ସର୍କିଟ ହାଉସରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଏକ ସମୋସା ପାର୍ଟିର ଆୟୋଜନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ପରିହାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ 'ସିଙ୍ଗଡ଼ା ପାର୍ଟି'

ସିଙ୍ଗଡ଼ା ବା ସମୋସା। ଏହା ଏବେ ହିମାଚଳ ପ୍ରଦେଶ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପ୍ଲେଟ୍‌ରୁ ସମୋସା ଗାଏବ ହୋଇଥିବା ନେଇ ସୃଷ୍ଟି ହୋଇଛି ବିବାଦ। ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ପରିହାସ କରି ପୂର୍ବତନ ମୁଖ୍ୟମନ୍ତ୍ରୀ କରିଛନ୍ତି ସମୋସା ପାର୍ଟି।

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଜୟରାମ ଠାକୁର ମଣ୍ଡିର ସର୍କିଟ ହାଉସରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଏକ ସମୋସା ପାର୍ଟିର ଆୟୋଜନ କରିଥିଲେ। ସୁଖବିନ୍ଦର ସିଂହ ସୁଖୁ ତାଙ୍କ ବଦଳରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଦିଆଯାଇଥିବା 'ସାମୋସା'ର ସିଆଇଡି ଯାଞ୍ଚ କରିବାକୁ କହି ଚର୍ଚ୍ଚାର ପରିସରରେ ରହିଛନ୍ତି। ଏହାକୁ ପରିହାସ କରି ଏହି ପାର୍ଟି ଆୟୋଜନ କରାଯାଇଥିଲା।

ପ‌ାର୍ଟି ସମୟରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ହିମାଚଳ ପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଠାକୁର ବିଜେପି କର୍ମୀଙ୍କ ସହ ଲୋକପ୍ରିୟ ସମ‌ୋସାର ସ୍ୱାଦ ଉପଭୋଗ କରୁଛନ୍ତି। ଏହି ସମୟରେ ସେ ହିମାଚଳ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି। କହିଛନ୍ତି ଯେ, ହିମାଚଳ ସରକାରଙ୍କ ପ୍ରାଥମିକତା କ'ଣ ତାହା ପୂରା ଦେଶକୁ ଜଣାପଡ଼ିଗଲା। ସୁଖୁ ସରକାରଙ୍କ ପ୍ରାଥମିକତାରେ ହିମାଚଳର ହିତ ନାହିଁ।

ପ୍ରକୃତରେ ଅକ୍ଟୋବର ୨୧ ତାରିଖରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏକା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସିଆଇଡି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ତାଙ୍କ ପାଇଁ ତିନୋଟି ବାକ୍ସରେ ସାମୋସା ଏବଂ କେକ୍‌ ଅର୍ଡର କରାଯାଇଥିଲା। ତେବେ ଭୁଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ସୁରକ୍ଷା କର୍ମୀଙ୍କୁ ଏହି ଖାଦ୍ୟ ପରିସି ଦିଆଯାଇଥିଲା। ତେବେ ଏହାକୁ ନେଇ ସିଆଇଡି ତଦନ୍ତ ଆରମ୍ଭ କରିବାକୁ ସୁଖବିନ୍ଦର ସିଂ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା।

ତେବେ ସିଆଇଡି ଅଧିକାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି କି ଏହା ଏକ ଆଭ୍ୟନ୍ତରୀଣ ମାମଲା। ଏହାକୁ ନେଇ ବେଶି ଆଲୋଚନା ନ କରାଯାଉ। ହିମାଚଳ ପ୍ରଦେଶ ସିଆଇଡିର ମହାନିର୍ଦ୍ଦେଶକ ସଞ୍ଜୀବ ରଂଜନ କହିଛନ୍ତି ଯେ ବରାଦ ହୋଇଥିବା ଜଳଖିଆ ବକ୍ସ ନମିଳିବାରୁ ତାହା କୁଆଡ଼େ ଗଲା ବାସ୍‌ ସାଧାରଣ ଭାବେ ପଚରା ଯାଇଛି। ତାହାକୁ ଅତିରଞ୍ଜିତ କରାନଯାଉ।