ମୁମ୍ବାଇକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ, ୬।୩: ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌) ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୯ ରନରେ ପରାସ୍ତ କରିଛି। ଅଧିନାୟିକା ମେଗ୍‌ ଲାନିଂ ଓ ଜେମିମା ରୋଡ୍ରିଗ୍ବେଜଙ୍କ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ ଦଳ ୪ ଉଇକେଟ ହରାଇ ୧୯୨ ରନ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା। ଟପ୍‌ ଓ […] The post ମୁମ୍ବାଇକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ appeared first on Dharitri Odia News.

ମୁମ୍ବାଇକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ, ୬।୩: ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌) ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୯ ରନରେ ପରାସ୍ତ କରିଛି। ଅଧିନାୟିକା ମେଗ୍‌ ଲାନିଂ ଓ ଜେମିମା ରୋଡ୍ରିଗ୍ବେଜଙ୍କ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ ଦଳ ୪ ଉଇକେଟ ହରାଇ ୧୯୨ ରନ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା। ଟପ୍‌ ଓ ମିଡିଲ ଅର୍ଡରରେ ୟାସ୍ତିକା ଭାଟିଆ ୬, ନାଟ୍‌ ସ୍କିଭର-ବ୍ରଣ୍ଟ ୫, ଅଧିନାୟିକା ହରମନପ୍ରୀତ କୌର ୬, ହିଲି ମାଥ୍ୟୁସ ୨୯, ଆମେଲିଆ କେର ୧୭ ରନକରି ଆଉଟ ହୋଇଥିବାବେଳେ ୭ ନମ୍ବର ବ୍ୟାଟର ଅମନଜୋତ କୌର ସର୍ବାଧିକ ୪୨ ରନ ସ୍କୋର କରିଥିଲେ। ଦିଲ୍ଲୀ ପକ୍ଷରୁ ଜେସ୍‌ ଜୋନାସେନ ୩ଟି, ମାରିଜନେ କାପ୍‌ ୨ଟି ଏବଂ ଶିଖା ପାଣ୍ଡେ, ଟିଟାସ ସାଧୁ ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୫ ମ୍ୟାଚରୁ ୪ ବିଜୟ ସହ ଦିଲ୍ଲୀ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ମୁମ୍ବାଇ ୫ ମ୍ୟାଚରୁ ୩ୟ ପରାଜୟ ସହ ତୃତୀୟ ସ୍ଥାନକୁ ଖସିଛି। ଫେବୃୟାରୀ ୨୩ରେ ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ୪ ଉଇକେଟରେ ଦିଲ୍ଲୀକୁ ପରାସ୍ତ କରିଥିଲା। ଏଠାରେ ବିଜୟୀ ହୋଇ ଦିଲ୍ଲୀ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଛି।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ମେଗ୍‌ ଲାନିଂ ଓ ଶେଫାଳି ବର୍ମାଙ୍କ ଓପନିଂ ଯୋଡ଼ିରେ ୨୭ ବଲ୍‌ରୁ ୪୮ ରନ ସଂଗ୍ରହ କରିଥିଲା। ଶେଫାଳି ୧୨ ବଲ୍‌ରୁ ୨୮ ରନରେ ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଏଲିସ କାପ୍‌ସେ ୧୯ ରନକରି ଆଉଟ ହୋଇ ଯାଇଥିଲେ ହେଁ ୩୮ ବଲ୍‌ରୁ ୫୩ (୬ ଚୌକା, ୨ ଛକା) ରନକରି ଦଳକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ ମେଗ୍‌ ଲାନିଂ। ମିଡିଲ ଅର୍ଡରରେ ଜେମିମା ରୋଡ୍ରିଗ୍ବେଜ ଖେଳିଥିଲେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ। ସେ ୩୩ଟି ବଲ୍‌ର ସମ୍ମୁଖୀନ ହୋଇ ୮ ଚୌକା ଓ ୩ ଛକା ସହାୟତାରେ ୬୯ ରନରେ ଅପରାଜିତ ରହି ଦଳୀୟ ସ୍କୋରକୁ ୧୯୨ରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ଶବନିମ ଇସମାଇଲ, ସାଇକା ଇସାକ, ପୂଜା ବସ୍ତ୍ରକାର ଓ ହିଲି ମାଥ୍ୟୁସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୯୨/୪ (ଜେମିମା ରୋଡ୍ରିଗ୍ବେଜ-୬୯*, ମେଗ୍‌ ଲାନିଂ-୫୩, ଶେଫାଳି ବର୍ମା-୨୮, ସାଇକା ଇସାକ-୧/୨୯, ପୂଜା ବସ୍ତ୍ରକାର-୧/୨୦, ହିଲି ମାଥ୍ୟୁସ-୧/୨୩, ଶବନିମ ଇସମାଇଲ-୧/୪୬)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୩/୮ (ଅମନଜୋତ କୌର-୪୨, ଜେସ୍‌ ଜୋନାସେନ-୩/୨୧, ମାରିଜନେ କାପ୍‌-୨/୩୭, ଶିଖା ପାଣ୍ଡେ-୧/୨୭, ଟିଟାସ ସାଧୁ-୧/୨୩, ରାଧା ଯାଦବ-୧/୨୩)।

The post ମୁମ୍ବାଇକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ appeared first on Dharitri Odia News.