ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ
କଟକ,୯ା୪(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶେଷ ହେବାକୁ ଆଉ ୨ ଦିନ ସମୟ ଲାଗିବ। ପରେ ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ଆସନ୍ତା ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ। ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶିତ ହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ମଙ୍ଗଳବାର ସୂଚନା ଦେଇଛନ୍ତି। ସେହିପରି ବିଜ୍ଞାନ ବିଷୟରେ ୪ ମାର୍କ […] The post ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ appeared first on Dharitri Odia News.
କଟକ,୯ା୪(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶେଷ ହେବାକୁ ଆଉ ୨ ଦିନ ସମୟ ଲାଗିବ। ପରେ ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ଆସନ୍ତା ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ। ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶିତ ହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ମଙ୍ଗଳବାର ସୂଚନା ଦେଇଛନ୍ତି। ସେହିପରି ବିଜ୍ଞାନ ବିଷୟରେ ୪ ମାର୍କ ପ୍ରଶ୍ନ କମ୍ ଥିବା ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦିଆଯିବା ସମ୍ପର୍କରେ ଖୁବ୍ଶୀଘ୍ର ବୋର୍ଡର ପରୀକ୍ଷା ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ତରାଇ କହିଛନ୍ତି।
ପ୍ରକାଶ ଯେ, ଗତ ମାର୍ଚ୍ଚ ୧୯ ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହୋଇଛି। ରାଜ୍ୟର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହୋଇଛି। ମୋଟ୍ ୧୧,୮୦୦ ଜଣ ପରୀକ୍ଷକ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥାରେ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ଦେଖାଯାଉଛି। ମାଟ୍ରିକ୍ ପରୀକ୍ଷା ଖାତାଦେଖା ପାଇଁ ୪୭ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ୨ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୨ଟି କେନ୍ଦ୍ରରେ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ହେଉଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେଉଛି। ବିଭିନ୍ନ ଜିଲାରେ ଜିଲା ଶିକ୍ଷାଧିକାରୀ ମୂଲ୍ୟାୟନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ଖାତାଦେଖା ପ୍ରକ୍ରିୟାକୁ ସହଜ କରିବା ପାଇଁ କେତେକ ୟୁନିଟ୍ ଗଠନ କରାଯାଇଛି। ପ୍ରତି ୟୁନିଟ୍ରେ ଜଣେ ମୁଖ୍ୟ ପରୀକ୍ଷକ, ଦୁଇଜଣ ଉପ ପରୀକ୍ଷକ, ଦୁଇ ସ୍କ୍ରୁଟିନାଇଜର, ତଦାରଖ ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯାଇଛି। ବୋର୍ଡ ପକ୍ଷରୁ ଜଣେ କ୍ୟାମ୍ପ ଅଫିସର ମଧ୍ୟ ଦାୟିତ୍ୱରେ ରହିଛନ୍ତି। ପ୍ରତିଦିନ ମୂଲ୍ୟାୟନ ପରେ ନମ୍ବର ଅନ୍ଲାଇନ୍ରେ ଅପ୍ଲୋଡ୍ କରାଯାଉଛି। ଏଥିପାଇଁ ବୋର୍ଡ ପକ୍ଷରୁ ୩୦୦ରୁ ଊଦ୍ଧର୍ବ ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯାଇଛି। ନମ୍ବର ଏଣ୍ଟ୍ରି ସମୟରେ ଯେପରି ତ୍ରୁଟି ନ ରୁହେ ଏଥିପ୍ରତି ଯନତ୍ବାନ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ୫,୧୦,୭୭୮ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ରାଜ୍ୟର ମୋଟ୍ ୨,୯୭୯ କେନ୍ଦ୍ରରେ ପରୀକ୍ଷା ହୋଇଛି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୭,୭୬୬ ଜଣ ଫର୍ମ ପୂରଣ କରିଥିବାବେଳେ ୧୦୨ଟି କେନ୍ଦ୍ରରେ ପରୀକ୍ଷା ହୋଇଛି। ଏଥିସହ ମଧ୍ୟମା ପରୀକ୍ଷା ପାଇଁ ୩,୭୯୨ ଜଣ ଫର୍ମ ପୂରଣ କରିଥିବାବେଳେ ୫୨ଟି କେନ୍ଦ୍ରରେ ପରୀକ୍ଷା ହୋଇଛି।
The post ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ appeared first on Dharitri Odia News.