ଗଞ୍ଜେଇ ଟଙ୍କା ମାଗିବାରୁ ହତ୍ୟା
ବଲାଙ୍ଗୀର,୨୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ମହିଳାଙ୍କ ମୃତଦେହ ଜବତର ୨୪ ଘଣ୍ଟା ନପୂରୁଣୁ ବଲାଙ୍ଗୀର ପୋଲିସ ଟିମ୍ ପୁଇଁତଳା ଥାନା କେଶରକେଲା ପମ୍ପହାଉସ ନିକଟ ହତ୍ୟା ଘଟଣାର ପର୍ଦ୍ଦଫାଶ କରିଛି। ଗୁରୁବାର ପମ୍ପହାଉସ ନିକଟରେ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଥିଲା। ମୃତା ବୌଦ୍ଧ ଜିଲା କଣ୍ଟାମାଳ ଥାନା ବରିଗୁଭା ଗାଁର ଚକା ମହାନନ୍ଦଙ୍କ ସ୍ତ୍ରୀ ସଞ୍ଜୁକ୍ତା ଓରଫ୍ ଡଲି ହରିପାଲ (୩୩) ବୋଲି ଚିହ୍ନଟ କରାଯାଇଥିଲା। ଥାନାରେ ଏକ ମାମଲା(୬୯/୨୪) ରୁଜୁ ହୋଇଥିଲା। ଏସ୍ପି ଋଷିକେଶ ଦ୍ୟାନଦେଓ […] The post ଗଞ୍ଜେଇ ଟଙ୍କା ମାଗିବାରୁ ହତ୍ୟା appeared first on Dharitri Odia News.
ବଲାଙ୍ଗୀର,୨୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ମହିଳାଙ୍କ ମୃତଦେହ ଜବତର ୨୪ ଘଣ୍ଟା ନପୂରୁଣୁ ବଲାଙ୍ଗୀର ପୋଲିସ ଟିମ୍ ପୁଇଁତଳା ଥାନା କେଶରକେଲା ପମ୍ପହାଉସ ନିକଟ ହତ୍ୟା ଘଟଣାର ପର୍ଦ୍ଦଫାଶ କରିଛି। ଗୁରୁବାର ପମ୍ପହାଉସ ନିକଟରେ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଥିଲା। ମୃତା ବୌଦ୍ଧ ଜିଲା କଣ୍ଟାମାଳ ଥାନା ବରିଗୁଭା ଗାଁର ଚକା ମହାନନ୍ଦଙ୍କ ସ୍ତ୍ରୀ ସଞ୍ଜୁକ୍ତା ଓରଫ୍ ଡଲି ହରିପାଲ (୩୩) ବୋଲି ଚିହ୍ନଟ କରାଯାଇଥିଲା। ଥାନାରେ ଏକ ମାମଲା(୬୯/୨୪) ରୁଜୁ ହୋଇଥିଲା। ଏସ୍ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ପୋଲିସ ଟିମ୍ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଖଲିଆପାଲିର ଅଭିଯୁକ୍ତ ସପ୍ତମ ବଗର୍ତ୍ତୀ(୨୪)ଙ୍କୁ ଗିରଫ କରିଛି। ବଲାଙ୍ଗୀର ଏସ୍ଡିପିଓ ପ୍ରଦୀପ କୁମାର ସାହୁ ଟାଉନ୍ ଥାନା ପରିସରରେ ଖବରଦାତା ସମ୍ମିଳନୀ ଡାକି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ବଗର୍ତ୍ତୀ ଗଞ୍ଜେଇ କାରବାରରେ ଲିପ୍ତ ଥିଲେ। ବଗର୍ତ୍ତୀ ଓ ସଞ୍ଜୁକ୍ତାଙ୍କ ବାପଘର ଖଲିଆପାଲି ଗାଁରେ। ଚକା ମହାନନ୍ଦଙ୍କୁ ବିବାହ କଲା ପରେ ସଞ୍ଜୁକ୍ତା ବରିଗୁଭାରେ ରହୁଥିଲେ। ସେଠାରେ ସେ ମିଶନଶକ୍ତି ସିଆରପିଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ସଞ୍ଜୁକ୍ତା ଗଞ୍ଜେଇ ବେପାରୀ ସପ୍ତମଙ୍କ କଥାରେ ପଡି ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ଗତ ୨୧ ତାରିଖରେ ସଞ୍ଜୁକ୍ତା ବୌଦ୍ଧଠାରେ ଆୟୋଜିତ ଲକ୍ଷ୍ମୀବସ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି କହି ସିଆରପି ୟୁନିଫର୍ମ ଶାଢ଼ୀ ପିନ୍ଧି ନିଜ ଘରୁ ବାହାରିଥିଲେ। ଏହାପରେ ସପ୍ତମ ବଗର୍ତ୍ତୀଙ୍କ ସହ ସଞ୍ଜୁକ୍ତା ଗଞ୍ଜେଇ ବ୍ୟାଗ ଧରି ଏକ ବାଇକରେ ବଲାଙ୍ଗୀର ବାହାରିଥିଲେ। ଏଥିପାଇଁ କୁଆଡେ ସଞ୍ଜୁକ୍ତାଙ୍କୁ ୨୫ ହଜାର ଟଙ୍କା ଦେବାକୁ ସପ୍ତମ ରାଜି ହୋଇଥିଲେ। ଉଭୟେ ୨୧ତାରିଖ ବଲାଙ୍ଗୀର ପହଞ୍ଚିବା ପରେ ବେପାରୀ ନ ମିଳିବାରୁ ଗଞ୍ଜେଇ ବିକ୍ରି ହୋଇ ପାରି ନ ଥିଲା। ରାତି ପ୍ରାୟ ୮ଟା ସୁଦ୍ଧା ସେମାନେ ଗଞ୍ଜେଇ ବିକ୍ରି ଉଦ୍ୟମ କରି ବିଫଳ ହେବାରୁ ଘରକୁ ଫେରିଯିବାକୁ ବାହାରିଥିଲେ। ଫେରିବା ବାଟରେ ଉଭୟେ ରାତିରେ କେଶରକେଲା ପମ୍ପହାଉସ ନିକଟ ନିଛାଟିଆ ସ୍ଥାନକୁ ଯାଇ କିଛି ସମୟ ଅନ୍ତରଙ୍ଗ ଆଳାପ କରିଥିଲେ। ଏହା ପରେ ସଞ୍ଜୁକ୍ତା ସପ୍ତମଙ୍କଠାରୁ ୨୫ହଜାର ଟଙ୍କା ଦାବି କରିଥିଲେ। ସେଇ କଥାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଟଙ୍କା ନଦେଲେ ସପ୍ତମଙ୍କ ଗଞ୍ଜେଇ ବେପାର ସମ୍ପର୍କରେ ଖୁଲାସା କରିଦେବେ ବୋଲି ଧମକ ଦେଇଥିଲେ। କ୍ରୋଧିତ ହୋଇ ସପ୍ତମ ସେଇ ପଡିଆରେ ସଞ୍ଜୁକ୍ତାଙ୍କ ତଣ୍ଟି ଚିପି ମାରି ଦେଇଥିଲେ। ଏହାପରେ ସଞ୍ଜୁକ୍ତାଙ୍କ ଶାଢ଼ୀରେ ତାଙ୍କ ବେକକୁ ବାନ୍ଧି ଅଁାଟ ଭିତର ଏକ ଗଛ ପାଖକୁ ଘୋଷାଡି ନେଇଥିଲେ। ସେଠାରେ ତାଙ୍କ ଶାଢ଼ୀକୁ ଗଛରେ ବାନ୍ଧି ଦେଇ ଗଞ୍ଜେଇ ବ୍ୟାଗ ଧରି ବାଇକରେ ଗାଁକୁ ପଳାଇ ଯାଇଥିଲେ। ୨୨ ତାରିଖ କେଶରକେଲା ପମ୍ପହାଉସ ପାଖରୁ ସଞ୍ଜୁକ୍ତାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ପୋଲିସ ଟିମ୍ ମୃତଦେହ ନିକଟରୁ ପାଇଥିବା ମୋବାଇଲରୁ ସଞ୍ଜୁକ୍ତାଙ୍କ ଠିକଣା ଜାଣିବା ସହ ଅଭିଯୁକ୍ତଙ୍କୁ ଟ୍ରାକ୍ କରିଥିଲା। ଅପରପକ୍ଷରେ ସପ୍ତମ ହତ୍ୟା କରିବା ପରେ ଗଁାକୁ ପଳାଇ ଯାଇଥିଲେ। ଶୁକ୍ରବାର ସକାଳେ ଆଉ ଜଣେ ସହଯୋଗୀ ମହାଦେବ ରଣା (୨୪)ଙ୍କ ସହ ଏକ ବାଇକରେ ଗଞ୍ଜେଇ ଚାଲାଣ କରିବାକୁ ଦେଓଗଁା ଅଞ୍ଚଳରେ ବୁଲୁଥିବାବେଳେ ପୋଲିସ ଟିମ୍ ସେମାନଙ୍କୁ କାବୁ କରିନେଇଥିଲା। ସେମାନଙ୍କଠାରୁ ୮ କେଜି ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା। ସପ୍ତମଙ୍କୁ ଗିରଫ କରି ବଲାଙ୍ଗୀର ଆଣିବା ପରେ ଶୁକ୍ରବାର କେଶରକେଲା ନିଆଯାଇ ସିନ୍ ରିକ୍ରିଏସନ୍ କରାଯାଇଥିଲା। ୨୫ହଜାର ଟଙ୍କ ମାଗିବା ଏବଂ ତାଙ୍କ ଗଞ୍ଜେଇ କାରବାର ସମ୍ପର୍କରେ ଖୁଲାସା କରିଦେବ କହି ବ୍ଳାକ୍ମେଲିଂ କରିବାରୁ ସଞ୍ଜୁକ୍ତାଙ୍କୁ ହତ୍ୟା କରିଥିବା ସପ୍ତମ ସ୍ବୀକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ତାଙ୍କ ବାଇକ(ଓଡି୩୧ ଏଫ୍ ୬୨୩୩) ଜବତ କରିଛି। ଖବରଦାତା ସମ୍ମିଳନୀରେ ଇନ୍ସପେକ୍ଟର ଅନିତା ପ୍ରଧାନ ଓ ଅନିତା ପଟନିଆ ଉପସ୍ଥିତ ଥିଲେ।
The post ଗଞ୍ଜେଇ ଟଙ୍କା ମାଗିବାରୁ ହତ୍ୟା appeared first on Dharitri Odia News.