ମେମୁ ଟ୍ରେନ୍‌ ଭିତ୍ତିଭୂମି ତଦାରଖ ଏବେ ବି ଅଧୁରା

କେନ୍ଦ୍ରାପଡ଼ା, ୧୬ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚଳାଚଳ ଜିଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ରହିଛି। ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏବେ ଦୈନିକ ୩୦ରୁ ଅଧିକ ମାଲବାହୀ ଟ୍ରେନ୍‌ ଗଡୁଥିଲେ ମଧ୍ୟ ଏହି ହରିଦାସପୁର ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ ହୋଇନାହିଁ। ଏଥିପାଇଁ ୨୦୨୨ ଜାନୁଆରୀରେ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳି ଗ୍ରାମର ଗୌତମ କୁମାର ବେହେରା ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କୁ ଉତ୍କଳମଣି […] The post ମେମୁ ଟ୍ରେନ୍‌ ଭିତ୍ତିଭୂମି ତଦାରଖ ଏବେ ବି ଅଧୁରା appeared first on Dharitri Odia News.

ମେମୁ ଟ୍ରେନ୍‌ ଭିତ୍ତିଭୂମି ତଦାରଖ ଏବେ ବି ଅଧୁରା

କେନ୍ଦ୍ରାପଡ଼ା, ୧୬ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚଳାଚଳ ଜିଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ରହିଛି। ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏବେ ଦୈନିକ ୩୦ରୁ ଅଧିକ ମାଲବାହୀ ଟ୍ରେନ୍‌ ଗଡୁଥିଲେ ମଧ୍ୟ ଏହି ହରିଦାସପୁର ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ ହୋଇନାହିଁ। ଏଥିପାଇଁ ୨୦୨୨ ଜାନୁଆରୀରେ ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳି ଗ୍ରାମର ଗୌତମ କୁମାର ବେହେରା ପୂର୍ବତଟ ରେଳ କର୍ତ୍ତୃପକ୍ଷଙ୍କୁ ଉତ୍କଳମଣି ଯୁବକ ସଂଘ ପକ୍ଷରୁ ଚିଠି ଲେଖିଥିଲେ। ଡେପୁଟି ଚିଫ୍‌ ଅପରେଶନ୍ସ ମ୍ୟାନେଜର ଡି.ଆର୍‌. ପାଉଲଙ୍କଠାରୁ ମିଳିଥିବା ତତ୍କାଳୀନ ଚିଠି (୯୫/୨୨)ରେ ଉଲ୍ଲେଖ ଥିଲା ଯେ, ପାରାଦୀପଠାରୁ କେନ୍ଦୁଝର ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ୍‌ ଚଳାଚଳ କରିବ। ତେବେ ଏଥିପାଇଁ ଭିତ୍ତିଭୂମିର ଅଭାବ ଓ ନିରାପତ୍ତା ଆୟୁକ୍ତଙ୍କ ତଦାରଖ ଆବଶ୍ୟକ ଥିବା ଏଥିରେ ସୂଚନା ଦିଆଯାଇଥିଲା। ମାତ୍ର ଗୁରୁବାର ତାଙ୍କୁ ଅନ୍ୟ ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ମିଳିଥିବା ଏକ ଚିଠି ନଂ. ଡବ୍ଲ୍ୟୁ ୪/ସିଜିଇରେ ପୂର୍ବ ବାକ୍ୟ ଦୋହରାଯାଇଛି। ଏଥିସହ ଇତିମଧ୍ୟରେ ଗୋଟିଏ ଥର ନିରାପତ୍ତା ଆୟୁକ୍ତ ତନଖି କରାଯାଇଥିବା ଦର୍ଶାଯାଇଛି। ତନଖି ରିପୋର୍ଟକୁ ଅପେକ୍ଷା ରହିଥିବା ଏହି ଚିଠିରେ ଉଲ୍ଲେଖ ଅଛି।
ଏ ସମ୍ପର୍କରେ ଗୌତମ କୁମାର ବେହେରା କହିଛନ୍ତି, ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ ଲାଇନରେ ଭାୟା କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡିଥିଲା। ଏହାକୁ ଇତିମଧ୍ୟରେ ପ୍ରାୟ ସାଢେ ୩ ବର୍ଷ ହୋଇଛି। ଅଦ୍ୟାବଧି ଯାତ୍ରୀବାହୀ ରେଳ ଗଡିନାହିଁ। ୧୯୯୬- ୯୭ ଆର୍ଥିକ ବର୍ଷରେ ଏହି ରେଳ ଲାଇନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଦୀର୍ଘଦିନ ଧରି ଏହି ପ୍ରକଳ୍ପ ପଡ଼ି ରହିବା ପରେ ରେଳପଥ ସମ୍ପୂର୍ଣ୍ଣ ନିର୍ମାଣ ହୋଇଛି। ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ରେଳ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଯୁବକ ସଂଘ ପକ୍ଷରୁ ବାରମ୍ବାର ସ୍ମାରକପତ୍ର ଦିଆଯାଉଛି। ଖୁବ୍‌ଶୀଘ୍ର ଭିତ୍ତିଭୂମି ତଦାରଖ ପରେ ମେମୁ ଟ୍ରେନ ଚଳାଚଳ କରିବ ନେଇ ଜିଲାବାସୀ ଆଶାବାଦୀ ଅଛନ୍ତି। ଏ ନେଇ କଂଗ୍ରେସ ନେତା ସୌମେନ୍ଦ୍ର ପୃଷ୍ଟି କହିଛନ୍ତି, ୨୦୨୧ରେ ଜିଲା କଂଗ୍ରେସ ପକ୍ଷରୁ ରେଳମନ୍ତ୍ରୀ, ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ଦାବିପତ୍ର ଦିଆଯାଇଥିଲା। ଏଥିସହ ନଭେମ୍ବର ୯ରେ ରେଳରୋକୋ କରାଯାଇଥିଲା। ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ପରେ ଏହି ଜିଲାକୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଫେରିଥିଲେ। ସେମାନଙ୍କ ଯାତ୍ରା ପଥର କଷ୍ଟ ସମ୍ପର୍କରେ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଛି। ଜିଲାରୁ ଏତେ ସଂଖ୍ୟକ କର୍ମଜୀବୀ ବାହାରକୁ ଯାଉଥିବା ବେଳେ ଜିଲାରୁ ରେଳ ଚଢ଼ିବା ଅଦ୍ୟାବଧି ସମ୍ଭବ ହୋଇନାହିଁ। ଜିଲାର କର୍ମଜୀବୀ ରେଳରେ ଚଢ଼ି ବାହାରକୁ ଯିବାକୁ ହେଲେ ନିକଟସ୍ଥ ପାରାଦୀପ, କଟକ ଅଥବା ହରିଦାସପୁର ରେଳ ଷ୍ଟେଶନକୁ ଯିବାକୁ ପଡୁଛି। ତୁରନ୍ତ କେନ୍ଦ୍ରାପଡ଼ା ଜିଲାରେ ରେଳ ଚଳାଚଳ ପାଇଁ ଦାବି କରାଯାଉଥିବା ମତ ଦେଇଛନ୍ତି। ସାମାଜିକ କର୍ମୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି, ଯାତ୍ରୀବାହୀ ରେଳ ଚଳାଚଳ ପାଇଁ କେନ୍ଦ୍ରାପଡ଼ାବାସୀ ଅପେକ୍ଷା କରିଛନ୍ତି। ଓଡ଼ିଶାରୁ ରାଜ୍ୟ ସଭା ସଦସ୍ୟ ହୋଇଯାଇଥିବା ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ପଦବୀ ମିଳିବା ପରେ ଏହି ଦାବିକୁ ତୀବ୍ର କରାଯାଇଛି। ଯାତ୍ରୀବାହୀ ରେଳ ଚଳାଚଳ ଫଳରେ କେନ୍ଦ୍ରାପଡ଼ାବାସୀ ଯାତାୟାତ ସମସ୍ୟାର ସମାଧାନ ହେବା ସହ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସୁଯୋଗ ମିଳିପାରିବ। ଏ ସମ୍ପର୍କରେ ପୂର୍ବତନ ରେଳପଥର ପ୍ରଶାସନିକ ଅଧିକାରୀ ନିରାକାର ଦାସଙ୍କୁ ପଚାରିବାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସମସ୍ତ ପ୍ରସ୍ତୁତି ସରିନାହିଁ। ଷ୍ଟେଶନ ଓ ସିଗ୍‌ନାଲ ସିଷ୍ଟମକୁ ଭଲ ଭାବେ ପରୀକ୍ଷା ପରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

The post ମେମୁ ଟ୍ରେନ୍‌ ଭିତ୍ତିଭୂମି ତଦାରଖ ଏବେ ବି ଅଧୁରା appeared first on Dharitri Odia News.