ମେଲୁଛି ମଙ୍ଗଳା ନଦୀ ମୁହାଣ; ବଦଳୁଛି ଗତିପଥ

ପୁରୀ: ପ୍ରଶସ୍ତ ହେବାରେ ଲାଗିଛି ମଙ୍ଗଳା ନଦୀ ମୁହାଣ। ବଦଳୁଛି ନଦୀର ଗତିପଥ। ଅବକ୍ଷୟ ହେଉଛି ସମୁଦ୍ର ବେଳାଭୂମି। ନଦୀ ଭିତରେ ଧସେଇ ପଶୁଛି ସମୁଦ୍ର ଜୁଆର। ନଦୀର ଜଳ ନିଷ୍କାସନ ପଥରେ ସୃଷ୍ଟି ହୋଇଛି ବାଲୁକା ସ୍ତୂପ। ଏଥିଯୋଗୁ ଏହି ନଦୀ ପୁରୀ ସହର ମୁହାଁ ହୋଇଛି। ବାତ୍ୟା ‘ଦାନା’ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମୁହାଁଣ ମେଲୁଛି। ସମୁଦ୍ର ଭିତରେ ନଦୀଜଳ ନିଷ୍କାସନ ହେବା ପରିବର୍ତ୍ତେ ଗତିପଥ ପରିବର୍ତ୍ତନ କରି ବାମପାର୍ଶ୍ବ ବେଳାଭୂମିରେ କୃତ୍ରିମ […]

ମେଲୁଛି ମଙ୍ଗଳା ନଦୀ ମୁହାଣ; ବଦଳୁଛି ଗତିପଥ

ପୁରୀ: ପ୍ରଶସ୍ତ ହେବାରେ ଲାଗିଛି ମଙ୍ଗଳା ନଦୀ ମୁହାଣ। ବଦଳୁଛି ନଦୀର ଗତିପଥ। ଅବକ୍ଷୟ ହେଉଛି ସମୁଦ୍ର ବେଳାଭୂମି। ନଦୀ ଭିତରେ ଧସେଇ ପଶୁଛି ସମୁଦ୍ର ଜୁଆର। ନଦୀର ଜଳ ନିଷ୍କାସନ ପଥରେ ସୃଷ୍ଟି ହୋଇଛି ବାଲୁକା ସ୍ତୂପ। ଏଥିଯୋଗୁ ଏହି ନଦୀ ପୁରୀ ସହର ମୁହାଁ ହୋଇଛି। ବାତ୍ୟା ‘ଦାନା’ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମୁହାଁଣ ମେଲୁଛି। ସମୁଦ୍ର ଭିତରେ ନଦୀଜଳ ନିଷ୍କାସନ ହେବା ପରିବର୍ତ୍ତେ ଗତିପଥ ପରିବର୍ତ୍ତନ କରି ବାମପାର୍ଶ୍ବ ବେଳାଭୂମିରେ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ଏହାଛଡ଼ା ନଦୀ ମୁହାଣରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏଭଳି ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।

ବେଳାଭୂମି ଅବକ୍ଷୟ ହେବା ସମେତ ନଦୀ ବନ୍ଧରୁ ଅତଡ଼ା ଖସୁଛି। ତେଣୁ ଯଥାଶୀଘ୍ର ମଙ୍ଗଳା ନଦୀ ମୁହାଣ ଖୋଳାଯାଇ ଜଳ ନିଷ୍କାସନ ପଥ ଅବରୋଧ ମୁକ୍ତ କରାଯିବାକୁ ଦାବି ହେଉଛି। ଭାର୍ଗବୀ ନଦୀରୁ ବାହାରିଥିବା ମଙ୍ଗଳା ନଦୀ ପୁରୀ ସଦର ବ୍ଲକର ଲକ୍ଷାଧିକ ଅଧିବାସୀଙ୍କ ଜୀବନରେଖା ଭାବେ ପରିଚିତ। ମଙ୍ଗଳାଘାଟ ଦେଇ ଏହି ନଦୀ ଷ୍ଟର୍ଲିଂ ହୋଟେଲ ନିକଟରେ ସମୁଦ୍ରରେ ପଡ଼ିଛି। ସଦର ଅଞ୍ଚଳର ଉଦବୃତ୍ତ୍ ବର୍ଷା ଜଳ ମଙ୍ଗଳା ନଦୀ ଦେଇ ସମୁଦ୍ରରେ ନିଷ୍କାସିତ ହେଉଛି। କିନ୍ତୁ ଜଳସମ୍ପଦ ବିଭାଗର ଅବହେଳା ଯୋଗୁଁ ଏହି ନଦୀ ସଙ୍କୁଚିତ ହେବାରେ ଲାଗିଛି। ଜବରଦଖଲ ଯୋଗୁ ବର୍ଷାଦିନେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି।

ଅଣ ବିଶୋଧିତ ନର୍ଦ୍ଦମା ଜଳ ନଦୀରେ ମିଶୁଥିବାରୁ ଜଳ ପ୍ରଦୂଷିତ ହେବା ସହ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛି। ସ୍ଥାନୀୟ ଅଧିବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ମଙ୍ଗଳା ନଦୀର ପୁନରୁଦ୍ଧାର କିମ୍ବା ଜଳ ବିଶୋଧନ କରାଯାଉ ନାହିଁ। ନଦୀବନ୍ଧ ଖୋଳି ଅବାଧ ବାଲି ଚୋରି ଯୋଗୁ ଆଖପାଖ ଗ୍ରାମ ଗୁଡ଼ିକ ପ୍ରତି ବିପଦର ଆଶଙ୍କା ରହିଛି। ୨୦୦୬ ରେ ଏହି ନଦୀର ହଠାତ୍ ଗତିପଥ ପରିବର୍ତ୍ତନ ଯୋଗୁ ବନ୍ୟାଜଳ ବାମ ପାର୍ଶ୍ୱ ଆଡ଼କୁ ମାଡି ଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ନୂଆ ରାସ୍ତା ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପୁରୀ ସହରବାସୀ ଆତଙ୍କିତ ହୋଇ ପଡ଼ିଥିଲେ। ସେଠାରେ ଏକ ବେଳାଭୂମି ଅବକ୍ଷୟ ବିରୋଧୀ ବନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ।

ସରକାରୀ ଅବହେଳା ଯୋଗୁଁ ବାରମ୍ବାର ମଙ୍ଗଳା ନଦୀ ମୁହାଣ ପୋତି ହୋଇ ପଡ଼ୁଛି। ଗତ ଜୁଲାଇ ୧୬ ତାରିଖରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳାଘାଟ ନିକଟକୁ ଯାଇ ନଦୀର ଦୂରବସ୍ଥା ଅନୁଧ୍ୟାନ କରିଥିଲେ। ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଅନୁଧ୍ୟାନ ପରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଥିଯୋଗୁ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଏ ବିଷୟରେ ଅନୁଧ୍ୟାନ ପାଇଁ ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟକୁ ଭିତ୍ତିକରି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ।