ମୋଦିଙ୍କ ଆଟାକ ପରେ ସନ୍ଦେଶଖାଲିର ମହିଳାଙ୍କ ସହ ଶୋଭାଯାତ୍ରା କଲେ ମମତା

ସନ୍ଦେଶଖାଲିରେ ଟିଏମସିର ସ୍ଥାନୀୟ ନେତାମାନେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି।

ମୋଦିଙ୍କ ଆଟାକ ପରେ ସନ୍ଦେଶଖାଲିର ମହିଳାଙ୍କ ସହ ଶୋଭାଯାତ୍ରା କଲେ ମମତା

ପଶ୍ଚିବଙ୍ଗର ସନ୍ଦେଶଖାଲି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଟାକ ପରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ମହିଳା ସମର୍ଥକଙ୍କ ସହ ମିଶି କୋଲକାତାରେ ବିଶାଳ ଶୋଭାଯାତ୍ରା କରିଛନ୍ତି।

ଏହି ଶୋଭାଯାତ୍ରାରେ ସନ୍ଦେଶଖାଲିରେ ଅନେକ ମହିଳା ମଧ୍ୟ ସାମିଲ ହୋଇଥିଲେ। ସନ୍ଦେଶଖାଲିରେ ଟିଏମସିର ସ୍ଥାନୀୟ ନେତାମାନେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁ।

ପ୍ରଧାନମନ୍ତ୍ରୀ ମୋଦି ସନ୍ଦେଶଖାଲିକୁ ମୁଖ୍ୟ ପ୍ରସଙ୍ଗ କରି ବେଙ୍ଗଲର କ୍ଷମତାସୀନ ମମତା ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ଆଜି ମମତା କୋଲକାତାରେ ମହିଳାଙ୍କୁ ନେଇ ପଦଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରାର ନାଁ ମହିଲାଦେର ଅଧିକାର, ଆମାଦେର ଅଙ୍ଗିକାର ବା ମହିଳାଙ୍କ ଅଧିକାର, ଆମର ପ୍ରତିଜ୍ଞା ବୋଲି ରଖାଯାଇଛି।

ମହିଳାମାନେ ପଛରେ ଥିବା ବେଳେ ମମତା ନିଜେ ଆଗରେ ଚାଲିଚାଲି ଶୋଭାଯାତ୍ରା କରିଛନ୍ତି। ତାଙ୍କ ସହ ଏହି ଯାତ୍ରାରେ ସୁସ୍ମିତା ଦେବ, ଶଶି ପନଜା ଓ ଟିଏମସିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଗରିକା ଘୋଷ ପ୍ରମୁଖ ସାମିଲ ହୋଇଥିଲେ। ମମତାଙ୍କ ପୁତୁରା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଶୋଭାଯାତ୍ରାରେ ଭାଗ ନେଇଥିଲେ।

ମମତା ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି କହିଛନ୍ତି, “ଗତକାଲି ବିଜେପି ନେତେମାନେ କହିଥିଲେ ଯେ ବେଙ୍ଗଲରେ ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି। ମୁଁ ସେମାନଙ୍କୁ ଦମ୍ଭର ସହ ଚ୍ୟାଲେଞ୍ଜ କରି କହୁଛି ଯେ ମହିଳାମାନେ ବେଙ୍ଗଲରେ ସବୁଠାରୁ ଅଧିକ ସୁରକ୍ଷିତ। ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇଲା ବେଳେ ଆପଣମାନେ କେଉଁଠି ଥିଲେ?

ଯେତେବେଳେ ଉତ୍ତର ପ୍ରଦେଶରେ ହାଥରସରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଗଲା ଓ ତାଙ୍କ ମୃତଦେହକୁ ବଳପୂର୍ବକୁ ଜଳାଇ ଦିଆଗଲା ସେତେବେଳେ ଆପଣମାନେ କୁଆଡ଼େ ଯାଇଥିଲେ? କ’ଣ ବିଲ୍‌କିସ ବାନୋଙ୍କୁ ଭୁଲି ଯାଇଛନ୍ତି?”

ବିଜେପିରେ ଆଜି ସାମିଲ ହୋଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବୟାନର ଜବାବ ମଧ୍ୟ ଦିଦି ଦେଇଛନ୍ତି। ସେ କହିଛନ୍ତି, “ଜଣେ ବିଜେପି ବାବୁ ବେଞ୍ଚରେ ବସିଥିଲେ। ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ଠାରୁ ଆପଣ କେମିତି ନ୍ୟାୟ ପାଇବେ?”

ପ୍ରତିବର୍ଷ ମମତା ବାନାର୍ଜୀ ଅନ୍ତର୍ଜାତୀୟ ମହିଳା ଦିବସରେ ଶୋଭାଯାତ୍ରା କରିଛନ୍ତି। ଏହା ମାର୍ଚ୍ଚ ୮ରେ ଅନୁଷ୍ଠିତ ହୁଏ। କିନ୍ତୁ ଏଥର ମହିଳା ଶୋଭାଯାତ୍ରା ମାର୍ଚ୍ଚ ୭ରେ କରାଯାଇଛି। ଶିବରାତ୍ରୀ ଆସନ୍ତାକାଲି ଥିବାରୁ ଦିନକ ଆଗରୁ ଶୋଭାଯାତ୍ରା କରାଯାଇଥିବା ଜଣାପଡ଼ିଛି।