ମୋବାଇଲ ଗେମ୍ରେ ହାରିଗଲେ ଯୁବକ; କାଟିଦେଲେ ନିଜ ବେକ
ପାଗଳପ୍ରାୟ ହୋଇ ଯାଇଥିବା ଯୁବକ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବି ଉଠାଇବାକୁ ପଛାଇଲେ ନାହିଁ। ଏଥିଯୋଗୁ ଯୁବକଜଣକ ନିଜ ବେକ କାଟି ଦେଇ ଗୁରୁତର ହୋଇଥିବା ଜଣାଯାଉଛି।
ମୋବାଇଲରେ ଗେମ ଖେଳି ହାରିଯିବାରୁ ହିତାହିତା ଜ୍ଞାନ ହାରି ବସିଲେ ଯୁବକ । ପାଗଳପ୍ରାୟ ହୋଇ ଯାଇଥିବା ଯୁବକ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବି ଉଠାଇବାକୁ ପଛାଇଲେ ନାହିଁ। ଏଥିଯୋଗୁ ଯୁବକଜଣକ ନିଜ ବେକ କାଟି ଦେଇ ଗୁରୁତର ହୋଇଥିବା ଜଣାଯାଉଛି।
ଏପରି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲାରେ ଘଟିଛି। ନିଜ ବେକ କାଟି ଗୁରୁତର ହୋଇ ପଡ଼ିଥିବା ଯୁବକଜଣକ ହେଲେ ଜେରେଙ୍ଗ ଗ୍ରାମର ସୌମ୍ୟରଞ୍ଜନ ନାଏକ । ତାଙ୍କ ବୟସ ୨୪ ବର୍ଷ । ସେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ଗତକାଲି ସୌମ୍ୟରଞ୍ଜନ ନାଏକ ଗାଁରେ ଥିବା ବେଳେ ନିଜ ମୋବାଇଲରେ ଫ୍ରି ଫାୟାର ନାମକ ଗେମ୍ ଖେଳୁଥିଲେ। ମାତ୍ର ଲଗାତର ଭାବେ ୩ଟି ମ୍ୟାଚ ହାରି ଯିବାରୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଏକ ବ୍ଲେଡ ସାହାଯ୍ୟରେ ସେ ନିଜ ବେକ କାଟି ଦେଇଥିଲେ।
ସୌମ୍ୟରଞ୍ଜନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇନି।
ସୌମ୍ୟରଞ୍ଜନଙ୍କ ଭାଇ ଚିତ୍ରସେନ କହିଛନ୍ତି, ମୋବାଇଲରେ ଗେମ୍ ଖେଳୁ ଖେଳୁ ହାରି ଯିବାରୁ ଭାଇ ଏପରି କାଣ୍ଡ ଘଟାଇଛି। ଆମେ ତୁରନ୍ତ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲୁ। ଚିକିତ୍ସା ପରେ ଏବେ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।