ମ୍ୟାଲେରିଆରୁ ରକ୍ଷା କରିବ ସଚେତନତା ଓ ସତର୍କତା
ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟର ଅନ୍ତର୍ଗତ ଯୋରନ୍ଦା ଗ୍ରାମରେ ଗୁରୁବାର ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯୋରନ୍ଦା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ଲୋକମାନେ ସଚେତନ ଓ ସତର୍କ ହେଲେ ମ୍ୟାଲେରିଆରୁ ରକ୍ଷା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଚେତନ କରିବା ଏବଂ ମ୍ୟାଲେରିଆରୁ କିପରି ମୁକ୍ତି ପାଇବେ […]

ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟର ଅନ୍ତର୍ଗତ ଯୋରନ୍ଦା ଗ୍ରାମରେ ଗୁରୁବାର ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯୋରନ୍ଦା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ଲୋକମାନେ ସଚେତନ ଓ ସତର୍କ ହେଲେ ମ୍ୟାଲେରିଆରୁ ରକ୍ଷା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଚେତନ କରିବା ଏବଂ ମ୍ୟାଲେରିଆରୁ କିପରି ମୁକ୍ତି ପାଇବେ ସେ ସଂପର୍କରେ ସତର୍କ ହେବା ଏବଂ ରୋଗର ଲକ୍ଷଣ ଚିହ୍ନଟ ଓ ଆବଶ୍ୟକୀୟ ଚିକିତ୍ସା ସଂପର୍କରେ ଅବଗତ କରାଇବା ବୋଲି ଶ୍ରୀ ଅସଲମ କହିଥିଲେ। ମ୍ୟାଲେରିଆର ମୁଖ୍ୟ ଲକ୍ଷଣ ହେଲା କମ୍ପ ସହିତ ଦେହରେ ଅଧିକ ତାତି ଆପେ ବଢ଼ିବା ଓ କମିବା, ଝାଳ ବୋହିବା, ମୁଣ୍ଡ ବିନ୍ଧିବା, ବାନ୍ତି ଓ କାଶ ସର୍ଦ୍ଦି ଲାଗି ରହିବା। ତେଣୁ ଯେ କୌଣସି ଜ୍ୱର ହେଲେ ଅବହେଳା ନକରି ତୁରନ୍ତ ରକ୍ତ ପରୀକ୍ଷା କରାଇନେବା ଆବଶ୍ୟକ। ମ୍ୟାଲେରିଆ ଜ୍ୱର ହୋଇଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇବା ଏବଂ ପ୍ରତିଗ୍ରାମରେ ଥିବା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କ ସହାୟତାରେ ଔଷଧ ସେବନ କରିବା ଜରୁରୀ। ମଶା ବଂଶବୃଦ୍ଧିକୁ ରୋକିବା ଲାଗି ଘର ଚାରିପଟେ ସଫାସୁତୁରା ରଖିବା, କୌଣସି ସ୍ଥାନରେ ପାଣି ଅଧିକ ଦିନ ଜମା କରିବାକୁ ନଦେବା, ନିୟମିତ ମଶାରୀ ବ୍ୟବହାର ଓ ମଶାନାଶକ ସାମଗ୍ରୀ ବ୍ୟବହାର କରିବା ଲାଗି ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସ୍ୱାସ୍ଥ୍ୟକର୍ମୀ ଶୁଭେନ୍ଦୁ ରାଉତଙ୍କ ସମେତ ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।