ଯାତ୍ରୀବାହୀ ବସ୍‌ରେ ଚାଲିଛି ବାଣ ପରିବହନ, ପରିବହନ କମିସନରଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡାଉଛନ୍ତି ବସ କର୍ମଚାରୀ

କଟକ : ବସ୍‌ରେ ବାଣ ନେବା ଉପରେ ପରିବହନ ବିଭାଗର କଟକଣା ରହିଛି। କିନ୍ତୁ ଏହି କଟକଣା କାଗଜକଲମରେ ସୀମିତ ରହିଯାଇଥିବା ଅଭିଯୋଗ ହେଉଛି। ସବୁ କଟକଣାକୁ ଉଲ୍ଲଂଘନ କରି ଯାତ୍ରୀବାହୀ ବସ୍‌ରେ ବେଆଇନ ଭାବେ ବାଣ ପରିବହନ ହେଉଛି। ଲୁଚାଛପାରେ ଏହି ବେଆଇନ କାର୍ଯ୍ୟ କରାଯାଉଥିବାରୁ ବାଣ ନେଉଥିବା ବ୍ୟକ୍ତି ଓ ବସ୍‌ଗୁଡ଼ିକ ସହଜରେ ଧରା ପଡ଼ୁନାହାନ୍ତି। ବିଶେଷକରି କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର ଦେଇ ଚଳାଚଳ କରୁଥିବା ଦୂରଗାମୀ ବସରେ ଏହି […]

ଯାତ୍ରୀବାହୀ ବସ୍‌ରେ ଚାଲିଛି ବାଣ ପରିବହନ, ପରିବହନ କମିସନରଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡାଉଛନ୍ତି ବସ କର୍ମଚାରୀ
crackers are being transported by bus

କଟକ : ବସ୍‌ରେ ବାଣ ନେବା ଉପରେ ପରିବହନ ବିଭାଗର କଟକଣା ରହିଛି। କିନ୍ତୁ ଏହି କଟକଣା କାଗଜକଲମରେ ସୀମିତ ରହିଯାଇଥିବା ଅଭିଯୋଗ ହେଉଛି। ସବୁ କଟକଣାକୁ ଉଲ୍ଲଂଘନ କରି ଯାତ୍ରୀବାହୀ ବସ୍‌ରେ ବେଆଇନ ଭାବେ ବାଣ ପରିବହନ ହେଉଛି। ଲୁଚାଛପାରେ ଏହି ବେଆଇନ କାର୍ଯ୍ୟ କରାଯାଉଥିବାରୁ ବାଣ ନେଉଥିବା ବ୍ୟକ୍ତି ଓ ବସ୍‌ଗୁଡ଼ିକ ସହଜରେ ଧରା ପଡ଼ୁନାହାନ୍ତି। ବିଶେଷକରି କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର ଦେଇ ଚଳାଚଳ କରୁଥିବା ଦୂରଗାମୀ ବସରେ ଏହି ବାଣ ବେଶ ଅସୁରକ୍ଷିତ ଢଙ୍ଗରେ ପରିବହନ କରାଯାଉଥିବା ଜଣାପଡ଼ିଛି। ଏ ଦିଗରେ ରାଜ୍ୟ ପରିବହନ କମିସନର ଜାରି କରିଥିବା କଟକଣାକୁ ସଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରୁନି।

ଗତବର୍ଷ କୋଲକାତାରୁ ଏକ ବସ୍‌ରେ କେତେକ ଯାତ୍ରୀ ବାଣ ଆଣୁଥିବା ବେଳେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ସହ କେତେକ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ପରିବହନ କମିସନର ରାଜ୍ୟର ସମସ୍ତ ଆରଟିଓମାନଙ୍କୁ ଏନଫୋର୍ସମେଣ୍ଟ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥର ମଧ୍ୟ ଦୀପାବଳି ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ବସ୍‌ରେ ବାଣ ପରିବହନ କ୍ଷେତ୍ରରେ ରହିଥିବା କଟକଣାକୁ କାର୍ଯ୍ୟକାରୀ କରାଯାଇପାରୁନି। ଫଳରେ କୋଲକାତା, ରାୟପୁର ଆଦି ଅଞ୍ଚଳରୁ ଆସୁଥିବା ଯାତ୍ରୀବାହୀ ବସ୍‌ରେ ବାଣ ନବା ଆଣିବା ଆରମ୍ଭ କରିଛନ୍ତି ଯାତ୍ରୀ। କେତେକ କ୍ଷେତ୍ରରେ ବସ କର୍ମଚାରୀଙ୍କ ଅଗୋଚରରେ ଯାତ୍ରୀମାନେ ଅଖାରେ ଭର୍ତ୍ତି କରି ବାଣ ଆଣୁଛନ୍ତି ତ କେତେକ କ୍ଷେତ୍ରରେ ଏଥିପାଇଁ ଅଧିକ ଭଡ଼ା ପ୍ରଲୋଭନ ଦେଖାଇ ବସ୍‌ରେ ଅଣାଯାଉଛି। କିନ୍ତୁ ଏହା ଯାତ୍ରୀମାନଙ୍କ ସୁରକ୍ଷା କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାଧାରଣତଃ ଦୀପାବଳି ଅବ୍ୟବହିତ ପୂର୍ବରୁ ସୀମାନ୍ତ ଟୋଲଗେଟ୍‌ ନିକଟରେ ସମସ୍ତ ବସ୍‌ଗୁଡ଼ିକୁ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ସେହିଭଳି ରାଜ୍ୟ ଭିତରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକରେ ମଧ୍ୟ ସହରାଞ୍ଚଳରୁ ଗ୍ରାମାଞ୍ଚଳଗୁଡ଼ିକୁ ବାଣ ନେଉଛନ୍ତି ଯାତ୍ରୀ। ଆଗକୁ ଦୁଇ ତିନି ଦିନ ଭୁବନେଶ୍ୱର, କଟକ, ଜଟଣୀ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର ଆଦି ସହରାଞ୍ଚଳରୁ ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ବସ୍‌ଗୁଡ଼ିକରେ ଯାତ୍ରୀମାନେ ଅଧିକ ବାଣ ପରିବହନ କରିବେ। ପରିବହନ ବିଭାଗର ଅଧିକାରୀଙ୍କ କହିବାନୁସା‌ରେ, ଏହା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଆରଟିଓମାନଙ୍କୁ କୁହାଯାଇଛି। ଅନ୍ୟପଟରେ କେବଳ ବସ୍‌ ନୁହେଁ, ସମସ୍ତ ଯାତ୍ରୀବାହୀ ଗାଡ଼ିରେ ବିସ୍ଫୋରକ ସାମଗ୍ରୀ ପରିବହନ ନକରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିବେଦନ କରାଯାଇଥିବା କୁହାଯାଇଛି।