ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ଗିରଫ, ଠୁଳ କରିଛନ୍ତି ପୁଳା ପୁଳା ସଂପତ୍ତି

୪୦ ଓ ୬ ଏକରର ଦୁଇଟି ଫାର୍ମ ହାଉସ ସମେତ ତାଙ୍କର ଅଛି ମୋଟ ୮୪ ଏକରର ଜମି।

ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ଗିରଫ, ଠୁଳ କରିଛନ୍ତି ପୁଳା ପୁଳା ସଂପତ୍ତି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କୁ ମଙ୍ଗଳବାର ଗିରଫ କରିଛି ଭିଜିଲାନ୍ସ।

ସୋମବାର ଭୁବନେଶ୍ୱର, କଳାହାଣ୍ଡି ଓ ନବରଙ୍ଗପୁରରେ ଥିବା ତାଙ୍କର ୮ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ।

ଭୁବନେଶ୍ୱରର ଗୋଠପାଟଣା ସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ଶ୍ରୀ ବାଗଙ୍କର ଏକ ୩-ବିଏଚ୍‌କେ ଫ୍ଲାଟ ରହିଛି। ନବରଙ୍ଗପୁର ସହରରେ ୩୦୦୦ ବର୍ଗଫୁଟ ଅଞ୍ଚଳରେ ତାଙ୍କର ଏକ କୋଠା ନିର୍ମାଣାଧୀନ ରହିଛି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ହାଉସିଂ ବୋର୍ଡ କଲୋନୀରେ ତାଙ୍କର ଏକ କୋଠା ରହିଛି। ନବରଙ୍ଗପୁର ସହରରେ ତାଙ୍କର ଏକ ଶପିଂ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୫ଟି ଦୋକାନ ଘର ଅଛି।

ନବରଙ୍ଗପୁର ବିଜ୍ରାଗୁଡ଼ାରେ ତାଙ୍କର ୪୦ ଏକରର ଏକ ଫାର୍ମ ହାଉସ ଅଛି। ସେଠାରେ ଡ୍ରିପ୍ ଇରିଗେସନ ବ୍ୟବସ୍ଥା ସହିତ ଚାଷବାସ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ସାମଗ୍ରୀ ରହିଛି। ସେ ପାଖାପାଖି ୧ କୋଟି ଟଙ୍କା ଏହି ଫାର୍ମ ହାଉସରେ ନିବେଶ କରିଛନ୍ତି। ନବରଙ୍ଗପୁରରେ ତାଙ୍କର ୬ ଏକରର ଆଉ ଏକ ଫାର୍ମ ହାଉସ ରହିଛି। ସେଠାରେ ମଧ୍ୟ ଡ୍ରିପ୍ ଇରିଗେସନ ବ୍ୟବସ୍ଥା ରହିଛି। ତା’ ସହିତ ଏକ ଫାର୍ମ ହାଉସ କୋଠା ରହିଛି, ଯାହା ୯୫୦ ବର୍ଗଫୁଟ ଅଞ୍ଚଳରେ ତିଆରି ହୋଇଛି। ଏହି ଫାର୍ମ ହାଉସରେ ସେ ୪୬ ଲକ୍ଷ ୧୨ ହଜାର ୬୬୫ ଟଙ୍କା ନିବେଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ତାଙ୍କର ଆହୁରି ୨୭ ଏକ ଜମି ରହିଛି। ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ତାଙ୍କର ୧୧ ଏକର ଜମି ଅଛି। ଫାର୍ମ ହାଉସକୁ ମିଶାଇ ମୋଟାମୋଟି ଭାବେ ତାଙ୍କର ୮୪ ଏକରର ଜମି ରହିଛି। ଜମି ରେଜିଷ୍ଟ୍ରେସ କଲାବେଳେ ଏଗୁଡ଼ିକର ମୂଲ୍ୟ ଖୁବ୍ କମ୍ ଦର୍ଶାଯାଇଥିଲା ବୋଲି ଭିଜିଲାନ୍ସ ସନ୍ଦେହ କରୁଛି। ଏଦିଗରେ ତଦନ୍ତ ଜାରି ରଖିଛି ବିଭାଗ।

ଚଢ଼ାଉ ବେଳେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ଘରୁ ୩୧୨ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଥିଲା। ବ୍ୟାଙ୍କରେ ସେ ୫୮ ଲକ୍ଷ ୪୧ ହଜାର ୪୨୨ ଟଙ୍କା ଜମା ରଖିଛନ୍ତି। ତାଙ୍କର ଏକ ବେନାମୀ କାର ସହିତ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି। ସେହିପରି ତାଙ୍କ ଘରେ ବ୍ୟବହୃତ ବିଭିନ୍ନ ଆସବାବପତ୍ର ଓ ସାମଗ୍ରୀର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୨୫ ମେ’ରେ ଯେତେବେଳେ ଶ୍ରୀ ସାହୁ ରାୟଗଡ଼ାରେ ଜଳ ଛାୟା ବିକାଶରେ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ ଏପିଡି ଓ ଅନ୍ୟ ୩ କର୍ମଚାରୀଙ୍କୁ ରାୟଗଡ଼ାର କାଶୀପୁର ବ୍ଳକରେ ଏନ୍‌ଆରଇଜିଏସ୍‌ ଅଧୀନରେ ୨୩ଟି ଫାର୍ମ ପୋଖରୀ ଖନନ ନକରି ୨୦ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଥିଲା।