ଯୁଦ୍ଧବିଗ୍ରହର ମନସ୍ତତ୍ତ୍ୱ

ପୃଥିବୀରେ ଯୁଦ୍ଧର ଘନଘଟା। କିଏ କହୁଛି ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଛି। କେଉଁ ରାଷ୍ଟ୍ରନାୟକ ମୁହଁରୁ ଶୁଣାଯାଉଛି ପରମାଣୁ ଅସ୍ତ୍ରର ପ୍ରୟୋଗ ହେବ। ଯୁଦ୍ଧଖୋର୍‌‌ମାନଙ୍କ ଜିଦ୍‌‌ଖୋର୍‌‌ ମନୋବୃତ୍ତି ପାଇଁ ପୃଥିବୀବାସୀ ଥରହର। ଏ ପ୍ରସଙ୍ଗରେ ବୁଦ୍ଧିଜୀବୀ/ସୃଜନଶୀଳ ବ୍ୟକ୍ତିମାନଙ୍କର ଦୃଷ୍ଟିକୋଣ କ’ଣ? ଏ ପ୍ରଶ୍ନ ସ୍ୱାଭାବିକ। ସାଧାରଣତଃ କ୍ଷମତାଲିପ୍ସୁ ବିସ୍ତାରବାଦୀ ଆଭିମୁଖ୍ୟ ପୋଷଣ କରୁଥିବା ରାଷ୍ଟ୍ରନେତାମାନଙ୍କ ବ୍ୟତୀତ ପ୍ରାୟତଃ କେହି ଯୁଦ୍ଧ ଚାହାନ୍ତି ନାହିଁ; ଏପରିକି ସୈନ୍ୟବାହିନୀ ମଧ୍ୟ। ଏହି ପୃଷ୍ଠଭୂମିରେ ସୃଜନ ଦୁନିଆରେ ଯୁଦ୍ଧର ଘନଘଟା […]

ଯୁଦ୍ଧବିଗ୍ରହର ମନସ୍ତତ୍ତ୍ୱ
sakala article

ପୃଥିବୀରେ ଯୁଦ୍ଧର ଘନଘଟା। କିଏ କହୁଛି ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଛି। କେଉଁ ରାଷ୍ଟ୍ରନାୟକ ମୁହଁରୁ ଶୁଣାଯାଉଛି ପରମାଣୁ ଅସ୍ତ୍ରର ପ୍ରୟୋଗ ହେବ। ଯୁଦ୍ଧଖୋର୍‌‌ମାନଙ୍କ ଜିଦ୍‌‌ଖୋର୍‌‌ ମନୋବୃତ୍ତି ପାଇଁ ପୃଥିବୀବାସୀ ଥରହର। ଏ ପ୍ରସଙ୍ଗରେ ବୁଦ୍ଧିଜୀବୀ/ସୃଜନଶୀଳ ବ୍ୟକ୍ତିମାନଙ୍କର ଦୃଷ୍ଟିକୋଣ କ’ଣ? ଏ ପ୍ରଶ୍ନ ସ୍ୱାଭାବିକ। ସାଧାରଣତଃ କ୍ଷମତାଲିପ୍ସୁ ବିସ୍ତାରବାଦୀ ଆଭିମୁଖ୍ୟ ପୋଷଣ କରୁଥିବା ରାଷ୍ଟ୍ରନେତାମାନଙ୍କ ବ୍ୟତୀତ ପ୍ରାୟତଃ କେହି ଯୁଦ୍ଧ ଚାହାନ୍ତି ନାହିଁ; ଏପରିକି ସୈନ୍ୟବାହିନୀ ମଧ୍ୟ। ଏହି ପୃଷ୍ଠଭୂମିରେ ସୃଜନ ଦୁନିଆରେ ଯୁଦ୍ଧର ଘନଘଟା କିପରି ଚିତ୍ରିତ ହୋଇଛି, ଯୁଦ୍ଧବିଗ୍ରହର ମନସ୍ତତ୍ତ୍ୱକୁ ମନୋବିଜ୍ଞାନ ଓ ପ୍ରଚୋଦନ ସାହିତ୍ୟ କିପରି ବ୍ୟାଖ୍ୟା କରିଛି ସେ ସମ୍ପର୍କରେ କିଞ୍ଚିତ ଆଲୋଚନା ପ୍ରାସଙ୍ଗିକ ହେବ।

ବ୍ରିଟିଶ୍‌‌ ଔପନ୍ୟାସିକା ପ୍ୟାଟ୍‌‌ ବାର୍କର୍‌‌ ପ୍ରଥମ ବିଶ୍ୱଯୁଦ୍ଧର ଗଣହିଂସାର ବିକଟ ଦୁଷ୍ଟତା ପୃଷ୍ଠଭୂମିରେ ଲେଖିଛନ୍ତି ଉପନ୍ୟାସତ୍ରୟୀ, ଯାହାର ଶୀର୍ଷକ ‘ରିଜେନେରେସନ୍‌‌’। ଦଶଟି ଶ୍ରେଷ୍ଠ ଐତିହାସିକ ଉପନ୍ୟାସ ମଧ୍ୟରେ ଏହା ଅନ୍ୟତମ। ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥିଲା ଚାରିବର୍ଷ, ପ୍ରାଣଘାତୀ ରକ୍ତମୟ ସଂଘର୍ଷରେ ପ୍ରାଣ ହରାଇଥିଲେ କୋଡ଼ିଏ ନିୟୁତ ଲୋକ। ବାର୍କର ତାଙ୍କ ଉପନ୍ୟାସ ସହିତ ସଂଯୋଜିତ କରିଛନ୍ତି ଦୁଇ ସମର-କବି ସିଗ୍‌‌ଫ୍ରେଡ୍‌‌ ସାଶୁନ୍‌‌ ଓ ୱିଲ୍‌‌ଫ୍ରେଡ୍‌‌ ଓୱେନ୍‌‌ଙ୍କ ବାସ୍ତବାନୁଭୂତିକୁ। ଏକ ଉନ୍ମାଦ ଚରମ ଜାତୀୟତାବାଦ ସମୟରେ ଯୁଦ୍ଧର କଡ଼ା ଜବାବ୍‌‌ ଦେଲାବାଲା ବା ଆପତ୍ତିକର୍ତ୍ତାକୁ ଭୀରୁ ବା ଦେଶଦ୍ରୋହୀ ଭାବରେ ବିଚାର କରାଯାଉଥିଲା। ସେହିଦୃଷ୍ଟିରୁ ସିଗ୍‌‌ଫ୍ରେଡ୍‌‌ ସାଶୁନ୍‌‌ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିଥିଲେ, କିନ୍ତୁ ଏକ ଦ୍ୱିଧାପୂର୍ଣ୍ଣ, ସଂକଟାପନ୍ନ ସ୍ଥିତିରେ ଏଭଳି ଅନୁଭୂତି ଅର୍ଜନ କରିଥିଲେ ଯେ ନିଜ ଲିଖିତ ଓ ପ୍ରକାଶିତ ‘ଏ ସୋଲ୍‌‌ଜର୍ସ୍‌‌ ଡିକ୍‌‌ଲାରେସନ୍‌‌’ (ଜଣେ ସୈନିକର ଘୋଷଣା)ରେ ନିଜ ଯୁଦ୍ଧ ବିରୋଧୀ ମନୋଭାବକୁ ସ୍ପଷ୍ଟ ବ୍ୟକ୍ତ କରିଥିଲେ। ମନସ୍ତତ୍ତ୍‌‌୍ୱବିତ୍‌‌ ଡ. ରିଭର୍ସ୍‌‌(ପୋଷ୍ଟ୍‌‌ ଟ୍ରମାଟିକ୍‌‌ ଷ୍ଟ୍ରେସ୍‌‌ ଡିସ୍‌‌ଅର୍ଡରରେ ପୀଡ଼ିତ କବି ସାଶୁନ୍‌‌ଙ୍କ ଚିକିତ୍ସା କରୁଥିବା) ଓ ତାଙ୍କର ଜଣେ ସହକର୍ମୀ ମଣିଷର ଉଭୟ ସ୍ଥୂଳସଂବେଦୀ ଓ ସୂକ୍ଷ୍ମସଂବେଦୀ ଉତ୍ତେଜନାଗୁଡ଼ିକୁ ପ୍ରୟୋଗ କରି ଏକାଧିକ ଶାରୀରିକ ପରୀକ୍ଷା ନିରୀକ୍ଷା କଲେ ଓ ମତବ୍ୟକ୍ତ କଲେ ଯେ ମଣିଷର ଅନ୍ତରରେ ପ୍ରେମ ଓ ଘୃଣା, ସାହସ ଓ କ୍ରୂରତା, ମୋକ୍ଷ ଓ ଶାପ ମନୋବୃତ୍ତି ରହିଛି। ସେଗୁଡ଼ିକ ମଧ୍ୟରେ ସଂଘର୍ଷ ଆମର ସାମୂହିକ ଓ ବ୍ୟକ୍ତିଗତ ଭାଗ୍ୟକୁ ନିର୍ଦ୍ଧାରଣ କରୁଛି। ୧୯୧୭ ମସିହାର ଯୁଦ୍ଧ ବିଧ୍ୱସ୍ତ ଫ୍ରାନ୍ସ୍‌‌ ହେଉ କି ୨୦୨୨ ମସିହାର ୟୁକ୍ରେନ୍‌‌ ହେଉ, ସର୍ବଶେଷ ଯୁଦ୍ଧକ୍ଷେତ୍ର କୁରୁକ୍ଷେତ୍ର ମଣିଷର ଅନ୍ତରରେ ହିଁ ରହିଛି।

ନାଜୀ ଜର୍ମାନୀ ଉତ୍ତର-ସ୍ପେନ୍‌‌ରେ ବୋମା ନିକ୍ଷେପ କରିବାରୁ ୧୯୩୭ ମସିହାରେ ପାବ୍‌‌ଲୋ ପିକାଶୋ ଧୂସର, କଳା ଓ ଧଳା ରଙ୍ଗରେ ଗୁଏର୍ନିକା ତୈଳଚିତ୍ର ଅଙ୍କନ କଲେ, ଯେଉଁଥିରେ ପ୍ରଦର୍ଶିତ ହେଲା ପୀଡ଼ାଗ୍ରସ୍ତ ଘୋଡ଼ା, ବିସ୍ମୟ ଓ ଭୟରେ ଆଖିକୁ ବିସ୍ଫାରିତ କରିଥିବା ଷଣ୍ଢ, ଶଙ୍କିତ ମହିଳା ଓ ମୃତ ଶିଶୁମାନଙ୍କ ଚିତ୍ର। ତାହା ଥିଲା ଇତିହାସରେ ସର୍ବାଧିକ ପ୍ରଭାବଶାଳୀ ଯୁଦ୍ଧ-ବିରୋଧୀ ଚିତ୍ରକଳ୍ପ।

ଜାପାନୀ ଦର୍ଶନର ଏକ ଶାଖା ହେଉଛି ‘ଉକେଟାମୋ’, ଯାହାକୁ ଅନୁସରଣ କରନ୍ତି ଜାପାନର ପାର୍ବତ୍ୟାଞ୍ଚଳରେ ବାସକରୁଥିବା ‘ୟାମାବୁଶି’ମାନେ। ଶିଣ୍ଟୋ, ଟାଓ, ବୌଦ୍ଧ, ଲୋକପ୍ରଥା ଆଧାରରେ ସେମାନେ ଯେଉଁ ସାଧନା କରନ୍ତି, ତା’କୁ କୁହାଯାଏ ‘ଶୁଗେଣ୍ଡୋ’। ୟାମାବୁଶିମାନଙ୍କର ଦୃଷ୍ଟି ଖୁବ୍‌‌ ସକାରାତ୍ମକ, ଅନ୍ତଃପ୍ରକୃତି ସ୍ଥିତପ୍ରଜ୍ଞ। ଯେହେତୁ ବହିଃପ୍ରକୃତି ପ୍ରଦତ୍ତ ଐଶ୍ୱରିକ ଐଶ୍ୱର୍ଯ୍ୟରେ ସେମାନେ ଖୁବ୍‌‌ ଆତ୍ମସନ୍ତୋଷ ଲାଭ କରନ୍ତି। ସେମାନେ କହନ୍ତି, ଜୀବନ-ସଂଗ୍ରାମରୁ ଶିକ୍ଷାଲାଭ କରିବାକୁ ଓ ଜୀବନକୁ ସମ୍ପ୍ରସାରିତ କରିବାକୁ ଯେଉଁ ସୁଯୋଗ ମିଳେ, ତା’ରି ଅଭିଜ୍ଞତା ହେଉଛି ବ୍ୟକ୍ତିର ଅସଲ ଅଭିବୃଦ୍ଧି। ତେଣୁ ପରସ୍ପର ବିରୋଧରେ ଯୁଦ୍ଧ ନୁହେଁ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ବିଶ୍ୱର ଅଭିବୃଦ୍ଧି।

ନିକଟ ଅତୀତରେ ଏକ ବୈଜ୍ଞାନିକ ଅଧ୍ୟୟନ (ଏମ୍‌‌.ଆର୍‌‌.ଆଇ. ସ୍କାନ୍‌‌)ରୁ ଜଣାପଡ଼ିଛି ଯେ ପ୍ରାଚୀନ ସଂସ୍କୃତ ମନ୍ତ୍ରଗୁଡ଼ିକୁ ସ୍ମରଣ ରଖିବା ଦ୍ୱାରା ସ୍ମରଣ ଓ ନିର୍ଣ୍ଣୟନ ଭଳି ସଂଜ୍ଞାନାତ୍ମକ କାର୍ଯ୍ୟଗୁଡ଼ିକ ସହିତ ସମ୍ପୃକ୍ତ ମସ୍ତିଷ୍କ କ୍ଷେତ୍ରର ଆକାର ବୃଦ୍ଧି ପାଏ। ଜେମ୍‌ସ ହାଟ୍‌‌ର୍ଜେଲ୍‌‌ ଏହାକୁ ‘ସାନ୍‌ସକ୍ରିଟ୍‌‌ ଆଫେକ୍ଟ୍‌‌’ ବା ‘ସଂସ୍କୃତ ପ୍ରଭାବ’ ବୋଲି କହନ୍ତି। ସଂସ୍କୃତର ସମସ୍ତ ‘ଶାନ୍ତି ମନ୍ତ୍ର’ ସାର୍ବଭୌମିକ, ସାର୍ବତ୍ରିକ କଲ୍ୟାଣ ନିମିତ୍ତ ଅଭିପ୍ରେତ। ଋଷିମାନେ ଶବ୍ଦର ଏକ କମ୍ପନ ବା ସ୍ପନ୍ଦନ ଭାବରେ ବ୍ରହ୍ମାଣ୍ଡକୁ ଅନୁଭବ କରିଥିଲେ ଏବଂ ମୌଖିକ, ଶାବ୍ଦିକ ମୂଳଗୁଡ଼ିକୁ ବ୍ୟୁତ୍ପନ୍ନ କରିଥିଲେ। ତେଣୁ ସଂସ୍କୃତ କୌଣସି ଦେଶର ନୁହେଁ, ବହିଃପ୍ରକୃତିର ଭାଷା, ଏକ ସିଦ୍ଧ, ଦିବ୍ୟ ଭାଷା। ସେହି ଦିବ୍ୟ ଭାଷାର ‘ଶାନ୍ତି ମନ୍ତ୍ର’ଗୁଡ଼ିକ ମଣିଷର ଦିବ୍ୟତ୍ୱ ଜାଗରଣ ନିମିତ୍ତ ଓ ବୈଶ୍ୱିକ ଶାନ୍ତି ସ୍ଥିରତା ରକ୍ଷା ନିମିତ୍ତ ହିଁ ଉଦ୍ଦିଷ୍ଟ।

‘ଦି ନ୍ୟୁୟର୍କ୍‌‌ ଟାଇମ୍‌ସ’ରେ ମେଲିଣ୍ଡା ମୋୟର୍‌‌ ଲେଖିଛନ୍ତି ଯେ ଅଧିକାଂଶ ମଣିଷ ଚିନ୍ତନର ମୂଲ୍ୟ ବୁଝନ୍ତି ନାହିଁ। ଜର୍ମାନୀର ଟୁବିନ୍‌‌ଜେନ୍‌‌ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍‌‌ କୋଉ ମୁରାୟାମାଙ୍କ ମତରେ ପ୍ରତ୍ୟେକ ମଣିଷ କିଛି ସମୟ ନିରବରେ ବସି ଚିନ୍ତା କରିବା ଖୁବ୍‌‌ ଗୁରୁତ୍ୱ ବହନ କରେ। ସାମ୍ପ୍ରତିକ ସମୟରେ ଯୁଦ୍ଧଖୋର୍‌‌ ରାଷ୍ଟ୍ରମୁଖ୍ୟମାନେ ଅର୍ଥାତ୍‌‌ ଭିନ୍ନଭିନ୍ନ ରାଷ୍ଟ୍ରର ପରମାଣୁ ନୀତି ନିର୍ଦ୍ଧାରକମାନେ ଅଯଥାରେ ଯୁଦ୍ଧସଂକ୍ରାନ୍ତ କୋଳାହଳ ନକରି ନିରବ ଚିନ୍ତନ ଦ୍ୱାରା ବିଶ୍ୱରେ ଶାନ୍ତି ସ୍ଥାପନର ମହତ୍ତ୍ୱ ମର୍ମେ ମର୍ମେ ଉପଲବ୍‌‌ଧି କରିପାରିବେ। ଜୀବଜଗତ ଓ ଜୀବନର ଗୁରୁତ୍ୱ ହୃଦୟଙ୍ଗମ କରିପାରିବେ। ରାଜନୀତିବିଜ୍ଞାନୀ ଜେମ୍‌ସ ‌‌ୱିଲ୍‌‌ସନ୍‌‌ ଓ ମନସ୍ତତ୍ତ୍ୱବିତ୍‌‌ ରିଚାର୍ଡ଼୍‌‌ ହର୍ଣ୍ଣ୍‌‌ଷ୍ଟେନ୍‌‌ କହନ୍ତି ଯେ ମଣିଷମାନେ ଜନ୍ମରୁ ଅପରାଧୀ ନୁହନ୍ତି, କିନ୍ତୁ ପରିସ୍ଥିତିର ଦାସ। ଉର୍ଦ୍ଦୁକବି ଇର୍‌‌ଫାନ୍‌‌ ପେଶାୱାରୀଙ୍କ ଅନୁସାରେ- ଜନମ୍‌‌ ସେ କୋଇ ବୁରା ନହିଁ / ହର୍‌‌ କୋଇ ଏକ୍‌‌ ସା ଖାରା ନହିଁ / ହାଲତ୍‌‌ ବଦଲ୍‌‌ ଦେତେ ଇନ୍‌‌ସାନ୍‌‌ କୋ / କିସ୍‌‌ମତ୍‌‌ ସେ ବଢ଼୍‌‌କର୍‌‌ କୋଇ ବଡ଼ା ନହିଁ(ଅର୍ଥାତ୍‌‌ ‘କେହି ଜନ୍ମରୁ ମନ୍ଦ ନୁହନ୍ତି / ପ୍ରତ୍ୟେକେ ସମଭାବରେ ଏତେ ଭଲ ନୁହନ୍ତି / ପରିସ୍ଥିତି ମଣିଷମାନଙ୍କୁ ବଦଳାଇ ଦିଏ / ଭାଗ୍ୟଠାରୁ କେହି ବଡ଼ ନୁହନ୍ତି)।’

ଆମ ସମସ୍ତଙ୍କର ଭଲ ହେବା ପାଇଁ ସୀମାହୀନ ସମ୍ଭାବନା ଓ ଶକ୍ତି ରହିଛି, କାରଣ ଭଲଗୁଣ ହେଉଛି ଏକ ମୌଳିକ ମାନବୀୟ ଲକ୍ଷଣ ବା ବିଶେଷତା। ରବୀନ୍ଦ୍ରନାଥ ଠାକୁରଙ୍କ ମତରେ – ‘ପ୍ରତ୍ୟେକ ମଣିଷ-ଶିଶୁ ଏକ ଦିବ୍ୟ ବାର୍ତ୍ତା ନେଇ ଜନ୍ମ ହୁଏ ଯେ ଈଶ୍ୱର ତଥାପି ମଣିଷ ଉପରେ ଆସ୍ଥା ହରାଇନାହାନ୍ତି।’ ସତ କଥା, ଶୀଘ୍ର ହେଉ କି ବିଳମ୍ବରେ ମଣିଷ ନିଜର ଭଲ ଗୁଣକୁ ଅନୁଭବ ଓ ଆବିଷ୍କାର କରିବ। ଶେଷ ମୋଗଲ ସମ୍ରାଟ୍‌‌ ବାହାଦୁର୍‌‌ ଶାହ ଜାଫର୍‌‌ ଯେତେବେଳେ ଲେଖିଲେ – ‘ଏ ମେରେ ଖୁଦା ତୁ ହି ବତା / କୁଁ୍ୟ ବନାୟା ଇନ୍‌‌ସାନ୍‌‌ କୋ ଖାମିୟୋଁ କା ପୁତ୍‌‌ଲା(ହେ ଈଶ୍ୱର, ମୋତେ କୁହ, କାହିଁକି ମଣିଷକୁ ସମସ୍ତ ଦୋଷ, ତ୍ରୁଟିର ପ୍ରହେଳିକା କରି ଗଢ଼ିଲ)?’, ସେତେବେଳେ ତାଙ୍କର ଉସ୍ତାଦ୍‌‌ ଇବ୍ରାହିମ୍‌‌ ଜାକ୍‌‌ ଉକ୍ତ ପଦକୁ ସଂଶୋଧନ କରି ଲେଖିଲେ – ‘ଏ ଖୁଦା ଅବ୍‌‌ ତୁ ହି ବତା / କୁଁ୍ୟ ନହିଁ ଇନ୍‌‌ସାନ୍‌‌ କୋ ଉସ୍‌‌କୀ ଖୁବିୟୋଁ କା ପତା(ହେ ଈଶ୍ୱର, ଦୟାକରି ମୋତେ କୁହ କାହିଁକି ମଣିଷ ତା’ର ଜନ୍ମଜାତ ଅନ୍ତଃସ୍ଥ ଭଲ ଗୁଣ ପ୍ରତି ସଚେତନ ନୁହେଁ)?’ କେତେକ ଯୁଦ୍ଧଖୋର୍‌‌ ରାଷ୍ଟ୍ରମୁଖ୍ୟଙ୍କର ଶୁଭବୁଦ୍ଧିର ଉଦୟ ହେଉ, ସେମାନେ ଅନ୍ତଃକରଣର ସକାରାତ୍ମକ ଦିଗ ପ୍ରତି ସଚେତନ ହୁଅନ୍ତୁ, ଚିନ୍ତନରେ ‘ସଇତାନ୍‌‌’କୁ ବିତାଡ଼ିତ କରି ‘ଇନ୍‌‌ସାନ୍‌‌’କୁ ସଂସ୍ଥାପନ କରନ୍ତୁ, ଯୁଦ୍ଧକାମୀ ଭୂତ ନହୋଇ ଶାନ୍ତିକାମୀ ଦୂତ ହୁଅନ୍ତୁ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠାର ମାର୍ଗକୁ ପ୍ରଶସ୍ତ ଓ ପରିଚ୍ଛନ୍ନ କରନ୍ତୁ।

ଜୈନ ମୁନି ଆଚାର୍ଯ୍ୟ ଜ୍ଞାନସାଗର ସବୁବେଳେ ମଣିଷମାନଙ୍କୁ ପରିବେଶ ଓ ପ୍ରାଣୀଙ୍କ ଜୀବନ ସୁରକ୍ଷିତ ରଖିବାକୁ ପ୍ରେରଣା ଦେଉଥିଲେ। ଚବିଶତମ ତୀର୍ଥଙ୍କର ମହାବୀର ଅନୁକମ୍ପା ଅର୍ଥାତ୍‌‌ ସମସ୍ତ ପ୍ରାଣୀଙ୍କ ପ୍ରତି କରୁଣାର କଥା କହୁଥିଲେ। ‘ଅନାଡ଼ି’ ଚଳଚ୍ଚିତ୍ରର ଏକ ସଙ୍ଗୀତର କେତୋଟି ଧାଡ଼ି – କିସି କି ମୁସ୍‌କୁରାହଟୋ ପେ ହୋ ନିସାର୍‌‌ / କିସି କା ଦର୍ଦ୍‌‌ ମିଲ୍‌‌ ସକେ ତୋ ଲେ ଉଧାର୍‌‌ / କିସି କେ ବାସ୍‌‌ତେ ହୋ ତେରେ ଦିଲ୍‌‌ ମେଁ ପ୍ୟାର୍‌‌ / ଜିନା ଇସି କା ନାମ୍‌‌ ହୈ(କେହି ଜଣକୁ ହସାଅ / ତା’ ଦୁଃଖରେ ସମଭାଗୀ ହୁଅ / ସମସ୍ତଙ୍କୁ ଭଲ ପାଅ / ତେବେ ଯାଇ ତୁମର ଜୀବନ ବଞ୍ଚିବାର ଯୋଗ୍ୟ)’ ସମସ୍ତଙ୍କର ଜୀବନ ମନ୍ତ୍ର ହେଲେ ଯୁଦ୍ଧବିଗ୍ରହର ଛାଇ ଅପ୍‌‌ସରି ଯିବ।

ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଶତ୍ରୁତା, ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ନୁହେଁ; ବରଂ ରୋଗ, ଦାରିଦ୍ର୍ୟ, ନିରକ୍ଷରତା ବିରୋଧରେ ସାମୂହିକ ଯୁଦ୍ଧର ଆବଶ୍ୟକତା ରହିଛି। ଶତ୍ରୁତା, ସମର, ଯାହା ଶୋଣିତାକ୍ତ, ଶାପଗ୍ରସ୍ତ କରୁଛି ପୃଥିବୀକୁ, ଅଚିରେ ତା’ର ଅନ୍ତ ହେଉ। ମାନବିକତାର କର୍ତ୍ତବ୍ୟ ହେଉଛି ପ୍ରେମ, ସାହସ, ମୋକ୍ଷ, ଶାନ୍ତିର ଭାବ ଜାଗ୍ରତ କରିବା; ଘୃଣା, କ୍ରୂରତା, ଶାପ, ଯୁଦ୍ଧ ନୁହେଁ। ଶାସକ ଓ ଶାସିତ ସମସ୍ତଙ୍କଠାରେ ଶୁଦ୍ଧ ବିବେକ ଓ ନୈତିକ ବିଚାରବୋଧର ରାଜତ୍ୱ ହେଉ।

ମନୋରଞ୍ଜନ ମହାନ୍ତି
ଧର୍ମଶାଳା(ଯାଜପୁର), ମୋ: ୯୮୫୩୨୮୨୯୬୨
(ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ)