ଯୁଦ୍ଧାଭିମୁଖୀ
ଦୁଇବର୍ଷ ପୂର୍ବେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩ ଏପ୍ରିଲ ୨୦୨୪ରେ ଇସ୍ରାଏଲ ଉପରେ ଇରାନ୍ର ଡ୍ରୋନ୍ ଆକ୍ରମଣ ପୃଥିବୀବାସୀଙ୍କ ପାଇଁ ଘୋର ଚିନ୍ତା ଆଣିଦେଇଛି। ଅତୀତକୁ ଦେଖିଲେ ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଦେଖାଦେଇଛି ତାହା ସମ୍ପୃକ୍ତ ଅଞ୍ଚଳରେ ସୀମିତ ନ ରହି ବିଶ୍ୱ ଭୂଖଣ୍ଡକୁ ପରିବ୍ୟାପ୍ତ କରିଛି। ଏବର ଭୂରାଜନୈତିକ ସ୍ଥିତିକୁ ଦେଖିଲେ ଇସ୍ରାଏଲକୁ ସମର୍ଥନ କରିବା […] The post ଯୁଦ୍ଧାଭିମୁଖୀ appeared first on Dharitri Odia News.
ଦୁଇବର୍ଷ ପୂର୍ବେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩ ଏପ୍ରିଲ ୨୦୨୪ରେ ଇସ୍ରାଏଲ ଉପରେ ଇରାନ୍ର ଡ୍ରୋନ୍ ଆକ୍ରମଣ ପୃଥିବୀବାସୀଙ୍କ ପାଇଁ ଘୋର ଚିନ୍ତା ଆଣିଦେଇଛି। ଅତୀତକୁ ଦେଖିଲେ ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଦେଖାଦେଇଛି ତାହା ସମ୍ପୃକ୍ତ ଅଞ୍ଚଳରେ ସୀମିତ ନ ରହି ବିଶ୍ୱ ଭୂଖଣ୍ଡକୁ ପରିବ୍ୟାପ୍ତ କରିଛି। ଏବର ଭୂରାଜନୈତିକ ସ୍ଥିତିକୁ ଦେଖିଲେ ଇସ୍ରାଏଲକୁ ସମର୍ଥନ କରିବା ଲାଗି ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ଦେଶ ଆଗଭର ହୋଇଛନ୍ତି। ସେପଟେ ହମାସକୁ ସମର୍ଥନ କରିଆସୁଥିବା ଇରାକ୍, ଆଫଗାନିସ୍ତାନ, ୟେମେନ୍, କାତାର, ଲେବାନନ୍, ସାଉଦି ଆରବ ପରି ରାଷ୍ଟ୍ର ଏଭଳି ସ୍ଥିତିରେ ଇରାନ୍କୁ ସମର୍ଥନ କରିବାର ସମ୍ଭାବନା ଦେଖାଦେଉଛି। ତେଣୁ ଇସ୍ରାଏଲ ଓ ଇରାନ୍ ଅସ୍ତ୍ରଶସ୍ତ୍ର ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିଶ୍ୱ ଯୁଦ୍ଧାଭିମୁଖୀ ହେବାର ଆଶଙ୍କା ଉପୁଜିଲାଣି।
ଇସ୍ରାଏଲ ଓ ଇରାନ୍ ଦଶନ୍ଧିବ୍ୟାପୀ ଛାୟାଯୁଦ୍ଧରେ ଲିପ୍ତ ଅଛନ୍ତି। ତାହା ସ୍ଥଳ, ଜଳ, ଆକାଶଠାରୁ ଆରମ୍ଭ କରି ସାଇବର ସ୍ପେଶ୍ରେ ଲାଗି ରହିଛି। କିନ୍ତୁ ଏବେ ପ୍ରଥମ ଥର ପାଇଁ ଇରାନ୍ ସିଧାସଳଖ ଇସ୍ରାଏଲ୍ ଉପରେ ଆକ୍ରମଣ କରିଛି। ଚଳିତ ମାସ ୧ ତାରିଖରେ ଇସ୍ରାଏଲ ସୈନ୍ୟ ସିରିଆ ରାଜଧାନୀ ଡାମସ୍କସରେ ଥିବା ଇରାନ୍ ଦୂତାବାସ ନିକଟ କନ୍ସ୍ୟୁଲେଟ ଆନେକ୍ସ ବିଲ୍ଡିଂ ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଥିଲା। ଏଥିରେ ଇରାନ୍ର ଇସ୍ଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍ର ଦୁଇ ବରିଷ୍ଠ କମାଣ୍ଡର ଓ ୭ ଜଣ ସୈନ୍ୟଙ୍କ ସମେତ ମୋଟ ୧୬ ଜଣଙ୍କ ପ୍ରାଣହାନି ଘଟିଥିଲା। ଏଥିରେ ପ୍ରତିଶୋଧପରାୟଣ ହୋଇ ଇସ୍ରାଏଲ୍ ଉପରେ ଇରାନ୍ ଆକ୍ରମଣ କରିଥିବା କହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଇରାନ୍ ଆକ୍ରମଣର ପ୍ରତ୍ୟୁତ୍ତର ଦେବାକୁ ଯାଇ କହିଛନ୍ତି, ତାଙ୍କ ଦେଶ ପ୍ରତିରକ୍ଷା ହେଉ ବା ଆକ୍ରମଣାତ୍ମକ ସ୍ଥିତିର ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ତାଙ୍କ ରାଷ୍ଟ୍ର ଓ ଦେଶବାସୀ ଶକ୍ତିଶାଳୀ ଅଛନ୍ତି। ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ତାଙ୍କ ସମର୍ଥନରେ ଥିବାରୁ ନେତନ୍ୟାହୁ ପୁଣି କହିଛନ୍ତି, ଯେକେହି ତାଙ୍କର କ୍ଷତି କରିବ, ସେ ମଧ୍ୟ ସେମାନଙ୍କର କ୍ଷତି କରିବେ। ଏଠାରେ ମନେପଡ଼େ, ହମାସ ଯେତେବେଳେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା ସେତେବେଳେ ନେତନ୍ୟାହୁ ଘୋର ପ୍ରତିଶୋଧ ନେବେ ବୋଲି କହିଥିଲେ ଏବଂ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟରେ ଦେଖାଇଛନ୍ତିି। ଏବର ସ୍ଥିତିରେ ଇସ୍ରାଏଲ୍ ଉପରେ ଇରାନ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଯଥାର୍ଥ ବୋଲି ଦର୍ଶାଇ ଏହାର ଶୀର୍ଷ ନେତା କହିଛନ୍ତି, ଇହୁଦୀ ଶାସକଙ୍କ ଡାମସ୍କସ୍ସ୍ଥିତ ଇରାନ୍ର କୂଟନୈତିକ ପରିସର ଉପରେ ଆକ୍ରମଣର ଏହା ପ୍ରତିଫଳନ। ଏବେ ଘଟଣାକୁ ଏହିଠାରେ ସମାପ୍ତ କରାଯାଇପାରେ। ଇସ୍ରାଏଲ ଯଦି ପୁନଶ୍ଚ ଆକ୍ରମଣ କରେ, ତେବେ ଇରାନ୍ ଯଥେଷ୍ଟ ଭାବେ ଭୟଙ୍କର ହୋଇଯିବ। ଏହା ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଏକ ଦ୍ୱନ୍ଦ୍ୱ। ଏଥିରୁ ଆମେରିକା ଦୂରେଇ ରହିବା ଉଚିତ ବୋଲି ତେହେରାନ୍ କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି। ତେବେ ଇରାନ୍ର ଏଭଳି ମନ୍ତବ୍ୟ ଆଗକୁ କେଉଁଭଳି ସ୍ଥିତି ସୃଷ୍ଟି କରିବ ତାହା ପରେ ଜଣାପଡ଼ିବ।
ଇସ୍ରାଏଲ ଉପରେ ଇରାନ୍ ଆକ୍ରମଣକୁ ବିଶ୍ୱ ନେତାମାନେ ନିନ୍ଦା କରିଥିବା ବେଳେ ଭାରତ ପାଇଁ ଏହି ଯୁଦ୍ଧ ଚିନ୍ତାର କାରଣ ପାଲଟିଛି। ୧୩ ଏପ୍ରିଲରେ ଇରାନ୍ର ରିଭୋଲ୍ୟୁଶନାରୀ ଗାର୍ଡ ଇସ୍ରାଏଲ ସ୍ବୀକୃତିପ୍ରାପ୍ତ ଏକ ମାଲବାହୀ ଜାହାଜକୁ ହୋର୍ମୁଜ୍ ପ୍ରଣାଳୀରୁ ଜବତ କରିଛି। ସେଥିରେ ଥିବା ୨୫ କର୍ମଚାରୀଙ୍କ ମଧ୍ୟରେ ୧୭ ଜଣ ଭାରତୀୟ ରହିଛନ୍ତି। ସେମାନଙ୍କ ମୁକ୍ତି ଲାଗି ଇରାନୀୟ କର୍ତ୍ତୃପକ୍ଷଙ୍କ ସହ ଭାରତର କୂଟନୈତିକ ଯୋଗାଯୋଗ ଜାରି ରହିଥିବା ସରକାରୀ ଭାବେ କୁହାଯାଇଛି। ସେପଟେ ଇସ୍ରାଏଲରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୫ ହଜାରରୁ ଅଧିକ ଭାରତୀୟଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଇରାନ୍-ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଉଭୟ ଦେଶକୁ ନ ଯିବା ପାଇଁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହାର ନାଗରିକମାନଙ୍କୁ ଚେତାବନୀ ଦିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ମଧ୍ୟପ୍ରାଚ୍ୟରେ ସଦ୍ୟ ଦେଖାଦେଇଥିବା ଅଶାନ୍ତ ସ୍ଥିତି ଖୁବ୍ ଶୀଘ୍ର ପ୍ରଶମିତ ନ ହେଲେ ତାହା ବିଶ୍ୱ ପରିକ୍ରମା କରି ଭୂରାଜନୈତିକ, ଅର୍ଥନୈତିକ ଏବଂ କୂଟନୈତିକ କ୍ଷେତ୍ରରେ ଅସ୍ବାଭାବିକ ପରିଣତି ଆଣିପାରେ।
The post ଯୁଦ୍ଧାଭିମୁଖୀ appeared first on Dharitri Odia News.