ରଙ୍ଗ ଲଗାଇବା ବାହାନାରେ ମୁସଲିମ ପରିବାରକୁ ଦୁର୍ବ୍ୟବହାର; ଭିଡିଓ ଭାଇରାଲ୍ ପରେ ଜଣେ ଗିରଫ
ବାଇକରେ ଯିବା ସମୟରେ ସେମାନଙ୍କୁ ଅଟକାଇ ଜୋର ଜବରଦସ୍ତ ରଙ୍ଗ ଲଗାଯାଇଥିବା ଅଭିଯୋଗ ହୋଇଥିଲା।
ମୁସଲିମ ପରିବାରକୁ ରଙ୍ଗ ଲଗାଇବା ବାହାନାରେ ଦୁର୍ବବ୍ୟବହାର ଘଟଣାରେ ଜଣେ ଗିରଫ। ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଆଜି ଉତ୍ତରପ୍ରଦେଶ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଦୁଇ ଜଣ ମହିଳା ଏବଂ ଜଣେ ବ୍ୟକ୍ତି ବାଇକରେ ଯିବା ସମୟରେ ସେମାନଙ୍କୁ ଅଟକାଇ ଜୋର ଜବରଦସ୍ତ ରଙ୍ଗ ଲଗାଯାଇଥିବା ଅଭିଯୋଗ ହୋଇଥିଲା।
ଭାଇରାଲ ଭିଡିଓ ଅନୁସାରେ, ଜଣେ ପୁରୁଷ ଓ ଦୁଇ ଜଣ ମହିଳା ବାଇକରେ ଯାଉଥିଲେ। ଏହି ସମୟରେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ ଏବଂ ଜୋର୍ ଜବରଦସ୍ତ ରଙ୍ଗ ଲଗାଇଥିଲେ।
କେବଳ ରଙ୍ଗ ଲଗାଇ ନଥିଲେ, ସେମାନଙ୍କ ଉପରେ ବକେଟ ବକେଟ ପାଣି ମଧ୍ୟ ଢାଳିଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏହି ସମୟରେ କିଛି ଲୋକ ଜୟ ଶ୍ରୀରାମ ନାରା ଦେଉଥିବା ମଧ୍ୟ ଶୁଣିବାକୁ ମିଳିଥିଲା।
ପୁଲିସର ସୂଚନାନୁସାରେ, ମାର୍ଚ୍ଚ ୨୦ ବୁଧବାରର ଏହି ଭିଡିଓ। ସହରର ଧାମପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଭିଡିଓ ଭାଇରାଲ୍ ହେବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଧାମପୁର ଅଞ୍ଚଳର ଅନିରୁଦ୍ଧ ବୋଲି ଜଣାପଡିଛି। ଭିଡିଓରେ ଥିବା ଅନ୍ୟ ଯୁବକମାନଙ୍କୁ ମଧ୍ୟ ଖୋଜା ଯାଉଥିବା ପୁଲିସ କହିଛି।