ରଥ ସେବକ
ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ସେବା ପାଇଁ ରହିଥାଆନ୍ତି ଭିନ୍ନଭିନ୍ନ ସେବାୟତ । ସେହି ସେବାୟତଙ୍କ ତାଲିକା ଖୁବ ଲମ୍ବା । ତେବେ ସେଥିରୁ କେବଳ ରଥ ପାଇଁ ରହିଥାଆନ୍ତି ସ୍ୱତନ୍ତ୍ର ସେବାୟତ । ଆସନ୍ତୁ ଜାଣିବା ସେହି ସେବାୟତଙ୍କ ସମ୍ପର୍କରେ ଅଳ୍ପରେ । ବଢେଇ ମହାରଣା – ରଥନିର୍ମାଣରେ ନିୟୋଜିତ ହୋଇଥାଆନ୍ତି ଅନେକ ସେବକ ଯେଉଁଥିରେ ବଢେଇ ମହାରଣା ଅନ୍ୟତମ । ଏହି ବଢେଇ ମହାରଣାଙ୍କ ମଧ୍ୟରେ ସୂତାର, ତଳି ମହାରଣା, ମହାରଣା, ରଥ ଅମିନ ରହିଥାଆନ୍ତି […]

ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ସେବା ପାଇଁ ରହିଥାଆନ୍ତି ଭିନ୍ନଭିନ୍ନ ସେବାୟତ । ସେହି ସେବାୟତଙ୍କ ତାଲିକା ଖୁବ ଲମ୍ବା । ତେବେ ସେଥିରୁ କେବଳ ରଥ ପାଇଁ ରହିଥାଆନ୍ତି ସ୍ୱତନ୍ତ୍ର ସେବାୟତ । ଆସନ୍ତୁ ଜାଣିବା ସେହି ସେବାୟତଙ୍କ ସମ୍ପର୍କରେ ଅଳ୍ପରେ ।
ବଢେଇ ମହାରଣା – ରଥନିର୍ମାଣରେ ନିୟୋଜିତ ହୋଇଥାଆନ୍ତି ଅନେକ ସେବକ ଯେଉଁଥିରେ ବଢେଇ ମହାରଣା ଅନ୍ୟତମ । ଏହି ବଢେଇ ମହାରଣାଙ୍କ ମଧ୍ୟରେ ସୂତାର, ତଳି ମହାରଣା, ମହାରଣା, ରଥ ଅମିନ ରହିଥାଆନ୍ତି । ରଥ କାଠ ଅନୁକୂଳଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ସେବା ଜାରି ରହିଥାଏ ।
ଓଝା ସେବକ – ଏହି ସେବକମାନେ ଦୋଳବେଦୀ କୋଣରେ ରଥ ପାଇଁ ଏକ ସ୍ୱତନ୍ତ୍ର କମାରଶାଳ କରିଥାଆନ୍ତି । ସେଠାରୁ ରଥପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଅଣାଯାଇଥାଏ ।
ଭୋଇ ସେବକ – ରଥ ନିର୍ମାଣରେ ବ୍ୟବହୃତ କାଠକୁ ନେବା ଆଣିବା ପାଇଁ ଭୋଇ ସେବକଙ୍କୁ ନିୟୋଜିତ କରାଯାଇଥାଏ । କାଠ ସମ୍ବନ୍ଧିତ ବିଭିନ୍ନ କାମରେ ସେ ସହଯୋଗ କରିଥାଆନ୍ତି ।
ଦରଜି ସେବା – ତିନିରଥ ପାଇଁ ନିର୍ଦ୍ଧିଷ୍ଟ ଥିବା ରଥ କନାକୁ କାଟିଥାଆନ୍ତି ଏହି ସେବାୟତ । ସେଗୁଡିକ ସିଲାଇ କରିବା ସହିତ ରଥକନାରେ ବିଭିନ୍ନ ଫୁଲ ସିଲେଇ କରି ଆକର୍ଷଣୀୟ କରିଥାଆନ୍ତି ।
ତାମରା ବିଶୋଇ – ଏମାନେ ଶ୍ରୀଅଙ୍ଗପାଇଁ ତାମ୍ରପଟା ପ୍ରସ୍ତୁତ କରିଥାଆନ୍ତି । ଠାକୁରମାନଙ୍କର ପହଣ୍ଡିରେ ଲାଗିଥାଏ ସେନାପଟା । ଏହି ସେନାପଟାରେ ତାମ୍ରପାତିଆ ପ୍ରସ୍ତୁତ କରି ଦେଇଥାଆନ୍ତି ।
ରୂପକାର – ତିନିରଥ ନିର୍ମାଣ କରାଯିବା ସହ ରଥକୁ ସୁନ୍ଦର ଓ ଆକର୍ଷଣୀୟ କରାଯାଏ । ରଥରେ ହେଉଥିବା ରୂପକାର କାର୍ଯ୍ୟକୁ ଏମାନେ ସମ୍ପାଦନ କରିଥାଆନ୍ତି । ଏଥିରେ ଅନେକ ସେବାୟତ ଠାକୁରଙ୍କ ରଥକୁ ସୁନ୍ଦରଭାବେ ସଜାଇଥାଆନ୍ତି ।