ରଥଯାତ୍ରା ବ୍ୟବସ୍ଥାବଳୀ: ଠାକୁରଙ୍କ ଆଗରେ ଠିଆ ହେବା ମନା

ପୁରୀ: ଶୁକ୍ରବାର ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ତେଣୁ ଭକ୍ତମାନେ ଯେପରି ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ଏବଂ ରଥଯାତ୍ରା ଶୃଙ୍ଖଳିତ ହେବ ସେଥିପାଇଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଛି ବ୍ୟବସ୍ଥାବଳୀ। ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଯାୟୀ, କୌଣସି ଦର୍ଶନାର୍ଥୀ କିମ୍ବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ବା ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଅନଧିକୃତ ବ୍ୟକ୍ତିମାନେ ରଥ ଆରୋହଣ କରିବା ବା ଶ୍ରୀବିଗ୍ରହଙ୍କୁ ସ୍ପର୍ଶ […]

ରଥଯାତ୍ରା ବ୍ୟବସ୍ଥାବଳୀ: ଠାକୁରଙ୍କ ଆଗରେ ଠିଆ ହେବା ମନା
puri ratha yatra

ପୁରୀ: ଶୁକ୍ରବାର ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ତେଣୁ ଭକ୍ତମାନେ ଯେପରି ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ଏବଂ ରଥଯାତ୍ରା ଶୃଙ୍ଖଳିତ ହେବ ସେଥିପାଇଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଛି ବ୍ୟବସ୍ଥାବଳୀ। ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଯାୟୀ, କୌଣସି ଦର୍ଶନାର୍ଥୀ କିମ୍ବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ବା ନାଟମଣ୍ଡପ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଅନଧିକୃତ ବ୍ୟକ୍ତିମାନେ ରଥ ଆରୋହଣ କରିବା ବା ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିବା ସମ୍ପୂର୍ଣ୍ଣ ନିଷେଧ। ଉଲ୍ଲଂଘନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରଥାରୂଢ଼ ଶ୍ରୀବିଗ୍ରହମାନଙ୍କ ସ୍ପଷ୍ଟ ଦର୍ଶନ ନିମନ୍ତେ ଠାକୁରଙ୍କ ସେବାପୂଜା ନଥିବା ସମୟରେ କୌଣସି ସେବକ ମହାପ୍ରଭୁଙ୍କ ଉଭୟ ଭୁଜ ମଧ୍ୟରେ ବା ସମ୍ମୁଖରେ ଛିଡ଼ା ହେବେ ନାହିଁ। ଶ୍ରୀବିଗ୍ରହମାନଙ୍କ ଭୁଜ ଉପରେ ଭରା ଦେଇ କୌଣସି ସମୟରେ ଛିଡ଼ା ହୋଇ ରହିବା କିମ୍ବା ଠାକୁରଙ୍କୁ ପିଠି କରି ବସିବା ସଂପୂର୍ଣ୍ଣ ନିଷେଧ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଟାହିଆର ସୁରକ୍ଷା କରିବେ। ପ୍ରତିହାରୀ ସେବକ ଓ ଆରକ୍ଷୀ ବାହିନୀ ମଧ୍ୟ ଟାହିଆର ସୁରକ୍ଷା ପ୍ରତି ଯତ୍ନବାନ ହେବେ। ଦାରୁବିଗ୍ରହମାନେ ରଥ ଉପରକୁ ସମ୍ପୂର୍ଣ୍ଣ ଉଠିବା ପରେ ଟାହିଆଗୁଡ଼ିକ ସମ୍ମାନର ସହିତ ଖୋଲାଯିବ। ଟାହିଆ ଭାଙ୍ଗିଥିବା ବ୍ୟକ୍ତି ବା ଟାହିଆର ଅଂଶ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଚାରମାଳ କିମ୍ବା ରଥ ଉପରକୁ କୌଣସି କ୍ୟାମେରା ବା ମୋବାଇଲ୍‌ ଫୋନ୍‌ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ। ପହଣ୍ଡି ସମୟରେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ପରିସରରେ ନୃତ୍ୟ କରିପାରିବେ ନାହିଁ। ରଥାରୂଢ଼ ଠାକୁରଙ୍କୁ ବଡ଼ଦାଣ୍ଡରେ ଅଗଣିତ ଭକ୍ତ ଯେପରି ଭଲଭାବେ ଦର୍ଶନ କରିବେ ସେଥିପ୍ରତି ସେବକମାନେ ଯତ୍ନବାନ ହେବେ। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପହଣ୍ଡି ସମୟରେ କୌଣସି କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇପାରିବ ନାହିଁ। ଶ୍ରୀଜୀଉମାନେ ରଥାରୂଢ଼ ହେବା ପରେ ରଥ ଉପରକୁ ଯେପରି କୌଣସି ଦର୍ଶନାର୍ଥୀ କିମ୍ବା ଅନଧିକୃତ ବ୍ୟକ୍ତି ନ ଉଠନ୍ତି ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯିବ। ଶ୍ରୀଜୀଉଙ୍କ ସମ୍ମୁଖ ଭାଗରେ କୌଣସି ସେବକ ରହିବେ ନାହିଁ କି ରଥର ଉଭୟପାର୍ଶ୍ବ ବାଡ଼ରେ ଠିଆ ହେବେ ନାହିଁ କିମ୍ବା ଫୁଲ ଇତ୍ୟାଦି ତଳକୁ ପକାଇବେ ନାହିଁ। ଗଜପତି ମହାରାଜାଙ୍କ ରଥ ଉପରେ ରାଜନୀତି ସମୟରେ ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗରେ ଠିଆ ହୋଇ ଦର୍ଶନ ଅବରୋଧ କରିବେ ନାହିଁ।