ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ; ଭକ୍ତିରେ ବିଭୋର ହେଲେ ମହାମହିମ...
ସୂରୁଜ ଉଇଁଲା ବେଳକୁ ଆଜି ଭାବ ରସରେ ଭିଜି ସାରିଥିଲା ଶ୍ରୀକ୍ଷେତ୍ର... ମହୋଦଧି ବେଳାଭୂମିରୁ ମହାମାର୍ଗ ବଡ଼ଦାଣ୍ଡ... ସବୁଠି ଶୁଭୁଥିଲା ଜଗତ ଠାକୁରଙ୍କ ଜୟ ଜୟ କାର...
ଶ୍ରୀକ୍ଷେତ୍ରରେ ଭାବ ଓ ଭକ୍ତିର ମହାସମୁଦ୍ର। ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଅଗଣିତ ଭକ୍ତ। ପ୍ରଥମ ରାଷ୍ଟ୍ରପତି ଭାବେ ଘୋଷଯାତ୍ରାରେ ସାମିଲ ହୋଇ ଭକ୍ତିରେ ବିଭୋର ହେଲେ ମହାମହିମ ଦ୍ରୌପଦୀ ମୁର୍ମୁ। କେବଳ ସେ ନୁହଁନ୍ତି, ଚକା ଆଖିରେ ଆଖି ମିଶାଇ ଗଦଗଦ ହୋଇଥନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତାଙ୍କ ସମେତ ବହୁ VVIP ।
ସୂରୁଜ ଉଇଁଲା ବେଳକୁ ଆଜି ଭାବ ରସରେ ଭିଜି ସାରିଥିଲା ଶ୍ରୀକ୍ଷେତ୍ର... ମହୋଦଧି ବେଳାଭୂମିରୁ ମହାମାର୍ଗ ବଡ଼ଦାଣ୍ଡ... ସବୁଠି ଶୁଭୁଥିଲା ଜଗତ ଠାକୁରଙ୍କ ଜୟ ଜୟ କାର... ଭିଡ଼ ବଢ଼ିବା ସହ ତାଳ ଦେଇ, ଚହଟୁଥିଲା ଝୋଟି ମୁରୁଜର ରଙ୍ଗ... ଚଉଦିଗରେ ମହକୁଥିଲା ତୁଳସୀ ଦୟଣାର ବାସ୍ନା। କିଏ ଦୀପଟିଏ ଜାଳି ଭିଡ଼ ଭିତରେ ବି ଏକାନ୍ତ ଅନୁଭବ କରୁଥିଲା... ଆଉ କିଏ ହଜିଯାଇଥିଲା, ମଜ୍ଜି ଯାଇଥିଲା ଘଣ୍ଟଘଣ୍ଟା ଓ ଝାଞ୍ଜ ମୃଦଙ୍ଗର ତାଳରେ।
ଛମ୍ ଛମ୍ ବାଜୁଥିବା ଘୁଙ୍ଗୁର ହେଉ କି ଘିରି ଘିରି ବୁଲୁଥିବା ବନାଟି... ସମସ୍ତେ ଯେମିତି ସମୟକୁ ପାଶୋରି ଦେଇଥିଲେ ବିଶ୍ବନିୟନ୍ତାଙ୍କୁ ସେବା ଉତ୍ସର୍ଗ ଭିତରେ। ଭୁଲି ଯାଇଥିଲେ ବୟସ। ବୟୋବୃଦ୍ଧଙ୍କଠୁ କୁନି ନୃତ୍ୟଶିଳ୍ପୀ। ଦେଶୀ, ବିଦେଶୀ । ସମସ୍ତେ ଏକାକାର ହୋଇଯାଇଥିଲେ ଭକ୍ତି ଓ ଭାବରେ। କାଳିଆ ସାଆନ୍ତଙ୍କୁ ସ୍ବାଗତ କରିବାକୁ କିଏ ମହାଦେବଙ୍କ ବେଶରେ ଆସିଥିଲେ, ତ ଆଉ କିଏ ସାଜିଥିଲେ ଭକ୍ତ ହନୁମାନ।
ଆଜି ମହାବାହୁଙ୍କ ସାନ୍ନିଧ୍ୟ ନେବାକୁ ଛୁଟି ଆସିଥିଲେ ମହାମହିମ। ପ୍ରଥମ ରାଷ୍ଟ୍ରପତି ଭାବେ ଘୋଷଯାତ୍ରାରେ ସାମିଲ ହୋଇଥିଲେ ଦ୍ରୌପଦୀ ମୁର୍ମୁ। ମହାପ୍ରଭୁ ଜଗନ୍ନାଥ ରଥାରୁଢ଼ ହେବା ପରେ ନିଜକୁ ଆଉ ରୋକି ପାରିନଥିଲେ ସେ। ମଞ୍ଚରୁ ଓହ୍ଲାଇ ଆସି ବଡ଼ଦାଣ୍ଡରେ ଭୂମିଷ୍ଠ ପ୍ରଣାମ କରି ଭକ୍ତିରସରେ ଗଦ୍-ଗଦ ହୋଇଉଠିଥିଲେ। ଠିକ୍ ସେତିକି ବେଳେ ନନ୍ଦିଘୋଷରେ ଛେରାପହଁରା ସାରି ତଳକୁ ଓହ୍ଲାଇ ଆସୁଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତଳେ ଦେଶର ପ୍ରଥମ ନାଗରିକ ଆଉ ଚାରମାଳ ଉପରେ ଜଗନ୍ନାଥଙ୍କ ପ୍ରଥମ ସେବକ। ମହାପ୍ରଭୁଙ୍କ ପ୍ରତି ଉଭୟଙ୍କ ସମର୍ପଣ ଓ ଭକ୍ତିଭରା ନମସ୍କାର ସୃଷ୍ଟି କରିଥିଲା ଅନନ୍ୟ ଦୃଶ୍ୟ। ଏହାପରେ ତାମଜାନ ନିକଟରେ ଉଭୟଙ୍କ ସାକ୍ଷାତ ବେଳେ ନିଜ ବେକରୁ ପଦ୍ମଫୁଲର ମାଳ କାଢ଼ି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ଗଜପତି। ଏହି ଅବସରରେ ପବିତ୍ର ରଥ ଦଉଡ଼ିକୁ ବି ସ୍ପର୍ଶ କରିବାର ସୁଯୋଗ ହାତଛଡ଼ା କରିନଥିଲେ ଦ୍ରୌପଦୀ ମୁର୍ମୁ । କେବଳ ରାଷ୍ଟ୍ରପତି ନୁହଁନ୍ତି, ଆଜି ରଥଯାତ୍ରାକୁ ଚର୍ମଚକ୍ଷୁରେ ଦର୍ଶନ କରି ଧନ୍ୟ ହୋଇଥିଲେ ବହୁ ମାନ୍ୟଗଣ୍ୟ ଭିଭିଆଇପି।