ରାଜଧାନୀ ଉପକଣ୍ଠରେ ଜଳ ଯନ୍ତ୍ରଣା : ପାଣି ପାଇଁ ୪ କିଲୋମିଟର ଯାତ୍ରା
ଭୁବନେଶ୍ୱର : ଗୋଟିଏ ପଟେ ନଭଶ୍ଚୁମ୍ବୀ ଅଟ୍ଟାଳିକା, ଶିଳ୍ପାନୁଷ୍ଠାନ, ଆଭିଜାତ୍ୟ ବସତି ଆଦିରେ ଜଳର ପ୍ରାବଲ୍ୟ। ଅନ୍ୟପଟେ ମୁନ୍ଦିଏ ପିଇବା ପାଣି ପାଇଁ ପୁରୁଷ, ମହିଳା ଓ ଶିଶୁମାନଙ୍କର ମାଇଲ୍ ମାଇଲ ଦୂର ଯାତ୍ରା। କେଉଁ ମରୁଭୂମି କିମ୍ବା ଦୁର୍ଗମ ପାହାଡ଼ିଆ ଅଞ୍ଚଳ ନୁହେଁ, ରାଜଧାନୀଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତି ଢୋଲକାଠ ଗାଁରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ଖଣ୍ଡଗିରି ଛକରୁ ୨୦ କିଲୋମିଟର ଏବଂ ଡେରାସ ଜଳପ୍ରକଳ୍ପଠାରୁ ମାତ୍ର ୭ କିଲୋମିଟର […]

ଭୁବନେଶ୍ୱର : ଗୋଟିଏ ପଟେ ନଭଶ୍ଚୁମ୍ବୀ ଅଟ୍ଟାଳିକା, ଶିଳ୍ପାନୁଷ୍ଠାନ, ଆଭିଜାତ୍ୟ ବସତି ଆଦିରେ ଜଳର ପ୍ରାବଲ୍ୟ। ଅନ୍ୟପଟେ ମୁନ୍ଦିଏ ପିଇବା ପାଣି ପାଇଁ ପୁରୁଷ, ମହିଳା ଓ ଶିଶୁମାନଙ୍କର ମାଇଲ୍ ମାଇଲ ଦୂର ଯାତ୍ରା। କେଉଁ ମରୁଭୂମି କିମ୍ବା ଦୁର୍ଗମ ପାହାଡ଼ିଆ ଅଞ୍ଚଳ ନୁହେଁ, ରାଜଧାନୀଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତି ଢୋଲକାଠ ଗାଁରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ଖଣ୍ଡଗିରି ଛକରୁ ୨୦ କିଲୋମିଟର ଏବଂ ଡେରାସ ଜଳପ୍ରକଳ୍ପଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ଏହି ଗାଁ। ଯେଉଁଠାରେ ନଳକୂଅରୁ ପାଣି ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡ଼ୁଛି ପ୍ରାୟ ୪ କିଲୋମିଟର ଦୂର।
ସ୍ୱଚ୍ଛ ଓ ପରିଷ୍କାର ପାନୀୟ ଜଳ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ୱାଟର୍ ଏଟିଏମ୍ ଓ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଗାଁରେ ଜଳପାଇଁ ସର୍ବନିମ୍ନ ସୁବିଧା ନାହିଁ। ପାଣି ମୁନ୍ଦେ ପାଇଁ ଯେଭଳି କୌଣସି ବ୍ୟକ୍ତି ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏହି ଯୋଜନା ଢୋଲକାଠ ଗ୍ରାମରେ ପହଞ୍ଚିପାରିନି। ଡମପଡ଼ା ପଞ୍ଚାୟତ ଅଧୀନରେ ରହିଥିବା ୫ଟି ଗାଁ ମଧ୍ୟରେ ରହିଛି ଢୋଲକାଠ। ଯେଉଁଠି ୭୭ଟି ପରିବାରର ପ୍ରାୟ ୪୦୦ ଲୋକ ବାସ କରନ୍ତି। ଗାଁରେ ପ୍ରାୟ ୩ ଟି ସ୍ଥାନରେ ନଳକୂପ ରହିଥିବାବେଳେ ସେଥିରୁ ଗୋଟିଏ ଅଚଳ ହୋଇପଡ଼ିଛି।
ବାକି ୨ଟିରେ ରାତି ପାହିଲା ମାତ୍ରେ ଗାଁର ପୁରୁଷଙ୍କ ଠାରୁ ମହିଳା ଓ ଛୋଟ ପିଲା ପାଣି ପାଇଁ ଧାଡ଼ିରେ ଛିଡ଼ା ହୋଇଥାନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ଜଣକ ପରେ ଜଣଙ୍କ ପାଳି ପଡ଼େ। କିଏ ପାଣି ମାଠିଆ ମୁଣ୍ଡରେ ମୁଣ୍ଡାଇ ଚାଲିଥାଏ ତ କିଏ ଭାର ଓ ସାଇକଲ ଯୋଗେ ପ୍ରାୟ ୩ରୁ ୪ କିଲୋମିଟର ଦୂର ପାଣି ବୋହିଥାନ୍ତି। ନିତ୍ୟକର୍ମ ଠାରୁ ଆରମ୍ଭ କରି, ରୋଷେଇ ହେଉ କିମ୍ବା ଠାକୁର ପୂଜା ସବୁ କାମ ପାଇଁ ଏହିଠାରୁ ପାଣି ଆଣିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦିନକୁ ଦିନ ଏହି ସ୍ଥାନରେ ଜଳସ୍ତର କମିଯାଉଥିବାରୁ ନଳକୂପରେ ମଧ୍ୟ ପୂର୍ବଭଳି ପାଣି ଆସୁନାହିଁ। ଗୋଟିଏ ବାଲ୍ତି ପାଣି ଭର୍ତ୍ତି ହେବାକୁ ୨ରୁ ୩ମିନିଟ୍ ସମୟ ଲାଗୁଥିବା ଗାଁର ମହିଳାମାନେ କହିଛନ୍ତି। ସେହିପରି ଗାଁରେ କିଛିଦିନ ପୂର୍ବରୁ ଏକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ (ପାଣିଟାଙ୍କି) ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ଏବେ ଅଚଳ ହୋଇପଡ଼ିଛି।
ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରାଯିବା ପରେ ସରପଞ୍ଚ ଆସି ନଳକୂପ ଏବଂ ପାଣି ଟାଙ୍କିର ସ୍ଥିତି ଦେଖିଯାଇଥିଲେ। ହେଲେ ଏପର୍ଯ୍ୟନ୍ତ ଅଚଳ ନଳକୂପ ମରାମତି ହୋଇ ପାରିନାହିଁ କିମ୍ବା ଫଟା ପାଣି ଟାଙ୍କି ମଧ୍ୟ ମରାମତି ହୋଇପାରି ନାହିଁ। ଫଳରେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଗାଁର ୱାର୍ଡମେମ୍ବର ମହତାବ ନାୟକ କହିଛନ୍ତି। ତାଙ୍କ କହିବା ଅନୁସାରେ, ଭୋଟ ସମୟରେ କେବଳ ନେତାମାନେ ଗାଁ ମାଟି ମାଡ଼ୁଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ଦେଖା ମିଳେନାହିଁ। ଆମେ ନିଜ ସ୍ଥିତିବାନ ଜମିରେ ରହୁଥିଲେ ବି ଏପର୍ଯ୍ୟନ୍ତ ମୌଳିକ ସୁବିଧା ପାଇପାରୁ ନାହୁଁ। ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ ପାନୀୟଜଳ ଭଳି ମୌଳିକ ସୁବିଧା ଯୋଗାଇ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।