ରାଜ୍ୟ ବାହାର ବାଘଙ୍କୁ ସୁହାଉନି ଓଡ଼ିଶା ଜଙ୍ଗଲ
ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲକୁ ପସନ୍ଦ କରୁନାହାନ୍ତି ରାଜ୍ୟ ବାହାରର ବାଘ। ଶିମିଳିପାଳରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତ୍କୁ ଅଣାଯାଇଥିଲା। ମାତ୍ର ଏହା ମଧ୍ୟରେ ଜିନ୍ନତ୍ ଶିମିଳିପାଳରୁ ପଶ୍ଚିମବଙ୍ଗ ଜଙ୍ଗଲକୁ ପଳାଇଯାଇଛି। ତେଣୁ ତାକୁ ଓଡ଼ିଶା ଫେରାଇ ଆଣିବାକୁ ଏବେ କସରତ ଚାଲିଥିଲେ ହେଁ ବନ ବିଭାଗ ସଫଳ ହୋଇପାରୁନାହିଁ। ଏପରିକି ଜିନ୍ନତ୍କୁ ୩/୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହୋଇଛି। ତେବେ ଏହା ପ୍ରଥମ […] The post ରାଜ୍ୟ ବାହାର ବାଘଙ୍କୁ ସୁହାଉନି ଓଡ଼ିଶା ଜଙ୍ଗଲ appeared first on Dharitri Odia News.
ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲକୁ ପସନ୍ଦ କରୁନାହାନ୍ତି ରାଜ୍ୟ ବାହାରର ବାଘ। ଶିମିଳିପାଳରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତ୍କୁ ଅଣାଯାଇଥିଲା। ମାତ୍ର ଏହା ମଧ୍ୟରେ ଜିନ୍ନତ୍ ଶିମିଳିପାଳରୁ ପଶ୍ଚିମବଙ୍ଗ ଜଙ୍ଗଲକୁ ପଳାଇଯାଇଛି। ତେଣୁ ତାକୁ ଓଡ଼ିଶା ଫେରାଇ ଆଣିବାକୁ ଏବେ କସରତ ଚାଲିଥିଲେ ହେଁ ବନ ବିଭାଗ ସଫଳ ହୋଇପାରୁନାହିଁ। ଏପରିକି ଜିନ୍ନତ୍କୁ ୩/୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହୋଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଆଗରୁ ମଧ୍ୟ ବାହାର ରାଜ୍ୟରୁ ବନ ବିଭାଗ ବାଘ ଆଣିଥିଲେ ମଧ୍ୟ ରଖିବାରେ ବିଫଳ ହୋଇଛି। ପୂର୍ବରୁ ରାଜ୍ୟ ବାହାରୁ ୨ଟି ବାଘଙ୍କୁ ସାତକୋଶିଆ ଅଣାଯାଇଥିଲା। ହେଲେ ଗୋଟିଏ ବାଘର ମୃତ୍ୟୁ ଘଟିଥିବାବେଳେ ଆଉଏକ ବାଘ ଆହତ ହେବା ପରେ ତାକୁ ନନ୍ଦନକାନନକୁ ଅଣାଯାଇଛି। ସେହିପରି ଅକ୍ଟୋବରରେ ମହାରାଷ୍ଟ୍ର ଜଙ୍ଗଲରୁ ବାଘୁଣୀ ‘ଯମୁନା’ ଓ ‘ଜିନ୍ନତ୍’କୁ ଶିମିଳିପାଳକୁ ଅଣାଯାଇଥିଲା। ମାତ୍ର ଉଭୟେ ଶିମିଳିପାଳର ପରିବେଶକୁ ଆପଣାଇ ପାରି ନ ଥିଲେ। ପ୍ରଥମେ ଜିନ୍ନତ ଶିମିଳିପାଳ ଛାଡ଼ି ପଶ୍ଚିମବଙ୍ଗ ପଳାଇଥିବାବେଳେ ବାଘୁଣୀ ଯମୁନା ବାଲେଶ୍ୱର ଜିଲାର କୁଲଡିହା ଅଭୟାରଣ୍ୟରେ ରହିଥିବା ସୂଚନା ଦିଆଯାଇଛି। ତେଣୁ ଓଡ଼ିଶା ଜଙ୍ଗଲ ରାଜ୍ୟ ବାହାରର ବାଘଙ୍କୁ ସୁହାଉନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।
ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି, ମଣିଷ ବାସ୍ନା ପାଇ ଜିନ୍ନତ ପଳାଇଯାଇଥିବା ଜଣାପଡିଛି। ତେବେ ତାକୁ ଫେରାଇ ଆଣିବା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୩ଟି ଟିମ୍ ସହ ଏକ ଏକ୍ସପର୍ଟ ଟିମ୍ ଚେଷ୍ଟା ଚଳାଇଛନ୍ତି। ଖୁବ୍ଶୀଘ୍ର ଏ ଦିଗରେ ସଫଳତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା କହିଛନ୍ତି, ବାଘର ନିଜସ୍ବ ଅଞ୍ଚଳ ବା ଟେରିଟୋରି ରହିଛି। ସେମାନେ ନିଜେ ହିଁ ନିଜର ଅଞ୍ଚଳ ବାଛନ୍ତି। ଚିହ୍ନ ସ୍ବରୂପ ବିଭିନ୍ନ ଗଛରେ ସେମାନେ ନିଜର ନଖଚିହ୍ନ ଛାଡ଼ିବା ସହ ସେହି ଗଛଗୁଡିକରେ ପରିସ୍ରାକରି ଚିହ୍ନ ଦିଅନ୍ତି। ଫଳରେ ଅନ୍ୟ ବାଘମାନେ ସେଠାକୁ ଯାଆନ୍ତି ନାହିଁ। ଶିମିଳିପାଳରେ ପୂର୍ବରୁ ୨୪ଟି ବାଘ ରହିଛନ୍ତି। ତେଣୁ ବୋଧହୁଏ ସେଠାରେ ଜିନ୍ନତ ନିଜର ଟେରିଟୋରି ପାଇବାରେ ସଫଳ ହୋଇନାହିଁ। ସେହିପରି ଜାନୁଆରୀ-ଫେବୃଆରୀ ଏବଂ ଜୁନ୍-ଜୁଲାଇ ମାସ ବାଘମାନଙ୍କ ମିଳନ ସମୟ। ଦିନ କେଇଟା ପରେ ଜାନୁଆରୀ ଆସିଯିବ। ତେଣୁ ଜିନ୍ନତ ସେଥିପାଇଁ ପୂର୍ବରୁ ରହୁଥିବା ଅଞ୍ଚଳକୁ ଖୋଜୁଥିବା ଆଶା କରାଯାଉଛି। ତେବେ ଜିନ୍ନତ୍କୁ ଟ୍ରାକ୍ କରିବା ପାଇଁ ୩ଟି ଟିମ୍ ଲାଗିଛନ୍ତି। ସେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ଟ୍ରାଙ୍କୁଲାଇଜ୍ ସମ୍ଭବ ହେଉନାହିଁ। ତେବେ ଖୁବ୍ଶୀଘ୍ର ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଓଡ଼ିଶା ଫେରାଇ ଅଣାଯିବ ବୋଲି ପିସିସିଏଫ୍ କହିଛନ୍ତି।
ସୂଚନାଯୋଗ୍ୟ, ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାକୁ ଶିମିଳିପାଳରେ ଏନ୍କ୍ଲୋଜରରେ ରଖିବା ପରେ ଶିମିଳିପାଳର କୋର୍ ଏରିଆ ଭିତରେ ଛଡ଼ାଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା। ପରେ ୧୯ ତାରିଖ ରାତିରେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି।
The post ରାଜ୍ୟ ବାହାର ବାଘଙ୍କୁ ସୁହାଉନି ଓଡ଼ିଶା ଜଙ୍ଗଲ appeared first on Dharitri Odia News.