ରାଜ୍ୟପାଳଙ୍କ ଲକ୍ଷ୍ମଣରେଖା

ସଂଘୀୟ ବ୍ୟବସ୍ଥାରେ ସାମ୍ବିଧାନିକ ବିଧିବ୍ୟବସ୍ଥାର ଅନୁପାଳନ ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟ ରକ୍ଷା ପାଇଁ ରାଜ୍ୟପାଳ ପଦ ସୃଷ୍ଟି କରାଯାଇଛି। ରାଜ୍ୟପାଳଙ୍କ ନାମରେ ରାଜ୍ୟ ଶାସନ ଚାଲୁଥିଲେ ମଧ୍ୟ ବାସ୍ତବରେ ସେ କେବଳ ପ୍ରତୀକାତ୍ମକ ଶାସକ। ସମ୍ବିଧାନ ଅନୁସାରେ ରାଜ୍ୟପାଳ ରାଜ୍ୟ ମନ୍ତ୍ରିପରିଷଦର ପରାମର୍ଶ ଓ ସହାୟତାରେ କାର୍ଯ୍ୟ କରିବେ; କିନ୍ତୁ ନିଜେ ପ୍ରତ୍ୟକ୍ଷ ଭାବେ ଶାସନକାର୍ଯ୍ୟରେ ସମ୍ପୃକ୍ତ ହୋଇପାରିବେ ନାହିଁ କି ନିଷ୍ପତ୍ତି ନେଇପାରିବେ ନାହିଁ। ଆହୁରି ମଧ୍ୟ ଶାସନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କୁ କେତେକ ପରାମର୍ଶ […]

ରାଜ୍ୟପାଳଙ୍କ ଲକ୍ଷ୍ମଣରେଖା
sakala editorial

ସଂଘୀୟ ବ୍ୟବସ୍ଥାରେ ସାମ୍ବିଧାନିକ ବିଧିବ୍ୟବସ୍ଥାର ଅନୁପାଳନ ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟ ରକ୍ଷା ପାଇଁ ରାଜ୍ୟପାଳ ପଦ ସୃଷ୍ଟି କରାଯାଇଛି। ରାଜ୍ୟପାଳଙ୍କ ନାମରେ ରାଜ୍ୟ ଶାସନ ଚାଲୁଥିଲେ ମଧ୍ୟ ବାସ୍ତବରେ ସେ କେବଳ ପ୍ରତୀକାତ୍ମକ ଶାସକ। ସମ୍ବିଧାନ ଅନୁସାରେ ରାଜ୍ୟପାଳ ରାଜ୍ୟ ମନ୍ତ୍ରିପରିଷଦର ପରାମର୍ଶ ଓ ସହାୟତାରେ କାର୍ଯ୍ୟ କରିବେ; କିନ୍ତୁ ନିଜେ ପ୍ରତ୍ୟକ୍ଷ ଭାବେ ଶାସନକାର୍ଯ୍ୟରେ ସମ୍ପୃକ୍ତ ହୋଇପାରିବେ ନାହିଁ କି ନିଷ୍ପତ୍ତି ନେଇପାରିବେ ନାହିଁ। ଆହୁରି ମଧ୍ୟ ଶାସନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କୁ କେତେକ ପରାମର୍ଶ ଦେଇପାରିବେ; କିନ୍ତୁ ତାହା କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ବାଧ୍ୟ କରିପାରିବେ ନାହିଁ। ଅଥଚ ବେଳେ ବେଳେ ରାଜ୍ୟପାଳମାନେ ସମ୍ବିଧାନ ପ୍ରଦତ୍ତ ଏହି ଲକ୍ଷ୍ମଣରେଖାକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଫଳରେ ରାଜନୈତିକ ସଙ୍କଟ ସୃଷ୍ଟି ହେବା ସହିତ ସାମ୍ବିଧାନିକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲାଗୁଛି। ଅବାଞ୍ଛିତ ଭାବେ ମାମଲା ଅଦାଲତକୁ ଯାଉଛି ଏବଂ ରାଜ୍ୟପାଳ ଭଳି ପଦମର୍ଯ୍ୟାଦା ହାନି ହେବା ସହିତ ସାମ୍ବିଧାନିକ ଗରିମା କ୍ଷୁଣ୍ଣ ହେଉଛି।

ନିକଟରେ ସେଭଳି ଏକ ଅପ୍ରୀତିକର ପରିସ୍ଥିତିର ଉଦାହରଣଟିଏ ପୁଣି ସୃଷ୍ଟି ହୋଇଛି, ଯେଉଁଥିରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାମିଲନାଡ଼ୁ ରାଜ୍ୟପାଳ ଆର୍‌‌ ଏନ୍‌‌ ରବିଙ୍କ କାର୍ଯ୍ୟଧାରାକୁ ଭର୍ତ୍ସନା କରିବା ସହିତ ସାମ୍ବିଧାନିକ ଲକ୍ଷ୍ମଣରେଖା ମଧ୍ୟରେ ରହିବାକୁ ପରାମର୍ଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ସାମ୍ବିଧାନିକ ପଦମର୍ଯ୍ୟାଦା ଓ ସଂସଦୀୟ ଗଣତନ୍ତ୍ରକୁ ଅନୁପାଳନ କରି ଲୋକଙ୍କ ଶାସନ ଓ ଜନକଲ୍ୟାଣକୁ ନିଶ୍ଚିତ କରିବା ଦାୟିତ୍ୱ ରାଜ୍ୟପାଳଙ୍କର; ଏଥିରୁ ଉଲ୍ଲଙ୍ଘନ ହେବା ଅନୁଚିତ। ତାମିଲନାଡ଼ୁ ବିଧାନପାଳିକା ଦ୍ୱାରା ୨୦୨୦, ଜାନୁଆରୀରୁ ପାରିତ ୧୦ଟି ବିଧେୟକକୁ ରାଜ୍ୟପାଳ ଶ୍ରୀରବି ନା ଅନୁମୋଦନ କରିଥିଲେ ନା ଫେରାଇଥିଲେ। ବିଧେୟକଗୁଡ଼ିକ ଉପରେ ଆପତ୍ତି ଥିବାରୁ ରାଜ୍ୟପାଳ ସେଥିରେ ମୋହର ନ ମାରିବା ଯୁକ୍ତିଯୁକ୍ତ। ସେ କ୍ଷେତ୍ରରେ ସେଗୁଡ଼ିକୁ ସେ ଫେରାଇ ପାରିଥା’ନ୍ତେ। ସମ୍ବିଧାନର ଧାରା ୨୦୦ ଅନୁଯାୟୀ ସେ ସମ୍ପର୍କରେ ରାଜ୍ୟପାଳ ୯୦ ଦିନ ମଧ୍ୟରେ ନିଷ୍ପତ୍ତି ନେବା ବିଧେୟ। କିନ୍ତୁ ତାମିଲନାଡ଼ୁ ବିଧାନସଭା ପୁଣି ସେହି ସମାନ ବିଧେୟକକୁ ପାରିତ କରିଦେବା ଆଶଙ୍କା କରି ରାଜ୍ୟପାଳ ସେଗୁଡ଼ିକୁ ନିଜ ପାଖରେ ପକାଇ ରଖିଲେ, ଯେଉଁଥିରୁ ତାଙ୍କର ରାଜନୈତିକ ଅଭିସନ୍ଧିର ଗନ୍ଧ ଆସୁଛି। କାରଣ ମନ୍ତ୍ରିପରିଷଦ ଯଦି ପୁଣି ସେହି ବିଧେୟକଗୁଡ଼ିକୁ ରାଜ୍ୟପାଳଙ୍କ ପାଖକୁ ପଠାଏ ତେବେ ୩୦ଦିନ ମଧ୍ୟରେ ତାହା ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବାକୁ ବାଧ୍ୟ। କିନ୍ତୁ ଶ୍ରୀରବି ୪ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେଗୁଡ଼ିକୁ ପାଖରେ ରଖିଥିଲେ। ୨୦୨୩ ନଭେମ୍ବରରେ ଏ ସମ୍ପର୍କରେ ସର୍ବୋଚ୍ଚ ଅଦାଲତଙ୍କ ତାଗିଦା ପରେ ମଧ୍ୟ ଶ୍ରୀରବି ବିହିତ ପଦକ୍ଷେପ ନେଇ ନଥିଲେ। ତେଣୁ ସମ୍ବିଧାନର ଧାରା ୧୪୨ କ୍ଷମତା ପ୍ରୟୋଗ କରି ଖଣ୍ଡପୀଠ ସେହି ସବୁ ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇ ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରୋକ୍ତ ରାୟ ତାମିଲନାଡ଼ୁର ଶାସକ ଡିଏମ୍‌‌କେ ସରକାର ସପକ୍ଷରେ ଯାଇଥିଲେ ମଧ୍ୟ ସମଗ୍ର ଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ପ୍ରାସଙ୍ଗିକ। କାରଣ ଆମେ ଅତୀତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି-ତତ୍‌‌କାଳୀନ ରାଜ୍ୟପାଳ ଜଗ୍‌‌ଦୀପ ଧନଖଡ଼, କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ୍‌‌-ରାଜ୍ୟପାଳ ଆସିଫ୍‌‌ ମହମ୍ମଦ ଖାନ୍‌‌, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌‌-ଉପରାଜ୍ୟପାଳ ବିନୟି କୁମାର ସାକ୍ସେନା, ପୁଡ଼ୁଚେରି ପୂର୍ବତନ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ – ତତ୍କାଳୀନ ଉପରାଜ୍ୟପାଳ କିରଣ ବେଦୀ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌‌-ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ୍‌‌, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ-ରାଜ୍ୟପାଳ ବନୱାରୀଲାଲ୍‌‌ ପୁରୋହିତ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା-ରାଜ୍ୟପାଳ ଥୱରଚାନ୍ଦ ଗେହେଲୋଟଙ୍କ ମଧ୍ୟରେ ତିକ୍ତ ସମ୍ପର୍କର ଅଶୋଭନୀୟ ଉଦାହଣମାନ ଦେଖିଛୁ। ଉପରୋକ୍ତ ଉଦାହରଣମାନଙ୍କ ମଧ୍ୟରୁ କେତେକରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟପାଳମାନଙ୍କ ଅତିକ୍ରିୟାରେ କ୍ଷୋଭ ପ୍ରକାଶ କରି ରାୟ ମାନ ଶୁଣାଇଛନ୍ତି। କେରଳ ବିଧାନସଭା ଦ୍ୱାରା ପାରିତ ତିନିଟି ବିଧେୟକକୁ ଦୁଇ ବର୍ଷ ଏବଂ ତିନିଟି ବିଧେୟକକୁ ତିନିବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେଠାକାର ରାଜ୍ୟପାଳ ଆରିଫ୍‌‌ ମହମ୍ମଦ ଖାନ୍‌‌ ପକାଇ ରଖିଥିବା ବେଳେ ତେଲଙ୍ଗାନା ବିଧାନସଭା ଦ୍ୱାରା ପାରିତ ୧୦ଟି ବିଧେୟକକୁ ସେଠାକାର ରାଜ୍ୟପାଳ ଟି ସୌନ୍ଦରରାଜନ୍‌‌ ଦୁଇବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅନୁମୋଦନ କିମ୍ବା ଫେରସ୍ତ କରିନାହାନ୍ତି। ପଞ୍ଜାବରେ ମଧ୍ୟ ସମ ଅବସ୍ଥା ସୃଷ୍ଟି ହୋଇଛି। ତେଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସଦ୍ୟତମ ରାୟ ଉପରୋକ୍ତ ତିନି ରାଜ୍ୟର ସମ୍ପୃକ୍ତ ରାଜ୍ୟପାଳଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ଏବଂ ସେହିସବୁ ରାଜ୍ୟପାଳମାନେ ସାମ୍ବିଧାନିକ ଦାୟିତ୍ୱ ନିର୍ବାହରେ ତତ୍ପରତା ପ୍ରକାଶ କରିବେ ବୋଲି ଆଶା।

ସ୍ୱାଧୀନତାର ୭୮ ବର୍ଷ ମଧ୍ୟରେ ଭାରତ ଅନେକ ରାଜ୍ୟପାଳଙ୍କ ଅତିକ୍ରିୟା ଘଟଣା ଦେଖିଛି। ଅନେକ ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧି ସାଜି ରାଜ୍ୟ ସରକାରମାନଙ୍କୁ ଭାଙ୍ଗିବା, ଅସ୍ଥିରତା ସୃଷ୍ଟି କରିବା ଭଳି ଅନେକ କାର୍ଯ୍ୟ କରିଛନ୍ତି। ୧୯୯୪ର ଏସ୍‌‌ଆର୍‌‌ ବୋମାଇ ମାମଲାରୁ ଆରମ୍ଭ କରି ୨୦୨୦ର ଶିବରାଜ୍‌‌ ସିଂହ ଚୌହ୍ୱାନ ମାମଲା ପର୍ଯ୍ୟନ୍ତ ଏକାଧିକ ଘଟଣାରେ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ରାଜ୍ୟପାଳମାନେ ରାଜ୍ୟର ପ୍ରଶାସନିକ ବ୍ୟାପାରରେ ସିଧାସଳଖ ହସ୍ତକ୍ଷେପ କରିପାରିବେ ନାହିଁ। ସେମାନେ ମନ୍ତ୍ରିପରିଷଦର ପରାମର୍ଶ ମାନିବାକୁ ବାଧ୍ୟ। ସେହିପରି ୨୦୦୬ରେ ରାମେଶ୍ୱର ପ୍ରସାଦ ବନାମ ଭାରତ ସରକାର ମାମଲା ଏବଂ ୧୯୭୪ରେ ସମ୍‌‌ସେର ସିଂହ ବନାମ ପଞ୍ଜାବ ସରକାର ମାମଲାରେ ରାଜ୍ୟପାଳଙ୍କ ଲକ୍ଷ୍ମଣରେଖାକୁ ସର୍ବୋଚ୍ଚ ନ୍ୟାୟାଳଙ୍କ ଖଣ୍ଡପୀଠ ପୁଣି ଥରେ ସ୍ମରଣ କରାଇଛନ୍ତି। ତଥାପି ଦଳୀୟ ରାଜନୀତିର ପଶାପାଲିରେ ସେହି ରାୟ ସବୁ ମୂଲ୍ୟହୀନ ହେବା ଭଳି ବିଡ଼ମ୍ବନା ସୃଷ୍ଟି ହୋଇଛି। ଏହି ଧାରାରେ ତାମିଲନାଡ଼ୁ ମାମଲା ଆଉ ଏକ ଅବାଞ୍ଛିତ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।

ଆମ ବ୍ୟବସ୍ଥାରେ କ୍ଷମତାଲିପ୍‌‌ସୁ ଏବଂ ରାଜନୀତି ଅଭିଳାଷୀ ରାଜ୍ୟପାଳଙ୍କର ସ୍ଥାନ ନାହିଁ। ଲକ୍ଷ୍ମଣରେଖା ହୁଡ଼ିଲେ ସଂଘୀୟ ସଂଘାତ ଏବଂ ସାମ୍ବିଧାନିକ ସଂକଟ ସୃଷ୍ଟି ହେବା ସ୍ୱାଭାବିକ। ଆଶା କରିବା ପରିପକ୍ୱ ହେଉଥିବା ଆମ ଗଣତନ୍ତ୍ର ଏବଂ ସ୍ୱାଧୀନତାର ଅମୃତବେଳାରେ ଯାତ୍ରା କରୁଥିବା ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର ଭାରତରେ ଏଭଳି ଅବାଞ୍ଛିତ ଓ ଅପ୍ରୀତିକର ବିବାଦର ସମାଧାନ ସୂତ୍ର ଶୀଘ୍ର ଆବିଷ୍କାର ହେବ।