ରାଜ୍ୟରେ ଅସହ୍ୟ ଜାଡ଼ରେ କଲବଲ ଜନଜୀବନ, ୧୦ ଡିଗ୍ରୀ ତଳେ ୧୬ ସହର

ଟ୍ୱିନସିଟିରେ ବି ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି ।

ରାଜ୍ୟରେ ଅସହ୍ୟ ଜାଡ଼ରେ କଲବଲ ଜନଜୀବନ, ୧୦ ଡିଗ୍ରୀ ତଳେ ୧୬ ସହର

ହାଡ଼ଭଙ୍ଗା ଜାଡ଼ । କଲବଲ କରୁଛି କାଲୁଆ ପବନ। କେନ୍ଦୁଝରରୁ କନ୍ଧମାଳ, ସୁନ୍ଦରଗଡ଼ଠୁ ଭୁବନେଶ୍ୱର, ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ରାଜ୍ୟବାସୀ । ସକାଳ ହେଉ କି ରାତି ବିନା ଶୀତବସ୍ତ୍ରରେ ଘରୁ ପଦାକୁ ବାହରିବା ମୁସ୍କିଲ। ସପ୍ତାହେ ହେଲା ଅଧିକାଂଶ ଅଞ୍ଚଳରେ ରାତି ପାରଦ ୧୫ ଡିଗ୍ରୀ ତଳକୁ ଚାଲିଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଜି. ଉଦୟଗିରିରେ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଛି। ସେମିଳିଗୁଡାରେ ୫.୭ , ଫୁଲବାଣୀ ୬.୫, କିରେଇ ୬.୬, କୋରାପୁଟ ୭.୬, ଅନୁଗୁଳ ୮ ଡିଗ୍ରୀ ସମେତ ୧୬ ସ୍ଥାନର ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।

ଏଣେ ଟ୍ୱିନସିଟିରେ ବି ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି । ଗତ ୫ ବର୍ଷର ତଥ୍ୟକୁ ନଜର ପକାଇଲେ ୨୦୧୮ରେ ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ୨୦୧୯ରେ ୯.୮ ଡିଗ୍ରୀ, ୨୦୨୦ରେ ୧୧.୭, ୨୦୨୧ରେ ୧୦ ଡିଗ୍ରୀ ଓ ୨୦୨୨ରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ରହିଥିଲା।

ଏଣେ ପାଣିପାଗ ବିଭାଗ କହୁଛି- ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଶୀତ ଲହରୀ ଜାରି ରହିବ। ତେବେ ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ରୁ ତାପମାତ୍ରାରେ ସ୍ୱାଭାବିକଠୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିନ୍ତୁ ଘନ କୁହୁଡ଼ି ଅନୁଭୁତ ହେବ। କୁହୁଡି ପାଇଁ ୨୩ ତାରିଖରେ ୧୦ ଜିଲ୍ଲା ଓ ୨୪ ତାରିଖରେ ୧୮ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।