‘ରାଜ୍ୟରେ ନିୟନ୍ତ୍ରଣ ବାହାରେ ଦରଦାମ୍, ଗଭୀର ନିଦ୍ରାରେ ଶୋଇଛନ୍ତି ସରକାର’
ଭୁବନେଶ୍ବର : ରାଜ୍ୟରେ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ତଥା ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପ୍ରସଙ୍ଗକୁ ନେଇ ରାଜ୍ୟର ବିଜେପି ସରକାରକୁ ଦାୟୀ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ଏ ସରକାର କେବଳ ବାକ୍ୟବୀର, କର୍ମବୀର ନୁହଁନ୍ତି। ବିଭିନ୍ନ ସମୟରେ ମିଠା ମିଠା କଥା କହୁଛନ୍ତି କିନ୍ତୁ କାମ ଆଜି ପର୍ଯ୍ୟନ୍ତ ଜିରୋ। ସରକାର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଳନ ନ କଲେ ମିଛୁଆ ରାଧୁଆ ଭାବେ ଗଣାହେବେ ବୋଲି […]

ଭୁବନେଶ୍ବର : ରାଜ୍ୟରେ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ତଥା ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପ୍ରସଙ୍ଗକୁ ନେଇ ରାଜ୍ୟର ବିଜେପି ସରକାରକୁ ଦାୟୀ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ଏ ସରକାର କେବଳ ବାକ୍ୟବୀର, କର୍ମବୀର ନୁହଁନ୍ତି। ବିଭିନ୍ନ ସମୟରେ ମିଠା ମିଠା କଥା କହୁଛନ୍ତି କିନ୍ତୁ କାମ ଆଜି ପର୍ଯ୍ୟନ୍ତ ଜିରୋ। ସରକାର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଳନ ନ କଲେ ମିଛୁଆ ରାଧୁଆ ଭାବେ ଗଣାହେବେ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା।
ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଲୋକଙ୍କ ଆଵଶ୍ୟକତା, ଆଶା ଓ ଆକାଂକ୍ଷା କିଭଳି ଫଳପ୍ରଦ ହେବ ତାହା ସରକାର କରିବା ଦରକାର। ଏସବୁ ନ କରି ସରକାର କେବଳ ବ୍ୟବସାୟୀଙ୍କୁ ଦୋଷ ଦେଇ ଖସି ଯାଆନ୍ତୁ ନାହିଁ। ସରକାରୀ ଦାୟିତ୍ୱରେ ଯିଏ ଅଛନ୍ତି ସେମାନେ ଜାଣିବାର ଆଗ୍ରହ ପ୍ରକାଶ କରିବା ଦେଖାଯାଉ ନାହିଁ। ସମସ୍ୟା ସମାଧାନ ଦିଗରେ ସରକାରଙ୍କର ଉତ୍ସାହ ଆଗ୍ରହ ଦେଖାଯାଉ ନାହିଁ। ଆନ୍ତରିକତା କିମ୍ବା ହୃଦୟର ସହ ଆଗ୍ରହ ଜଣାପଡୁ ନାହିଁ।
ସରକାର ଆଳୁ ବିହନ ୧୫ ହଜାର କୁଇଣ୍ଟାଲ ସରକାର ଅର୍ଡର ଦେଇଥିବା ସୂଚନା ମିଳିଛି। ଏ ବିହନ କେବେ ଆସୁଛି ଓ ଚାଷୀଙ୍କୁ କିଭଳି ଦିଆଯାଉଛି ତାହା ଦେଖିବାର କଥା। ସରକାର ଆମ ସହଯୋଗ କିଛି ଚାହୁଁ ନାହାନ୍ତି । ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଆମେ ଅପମାନିତ ହୋଇଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା । ସେ କହିଛନ୍ତି ମନ୍ତ୍ରୀ ସବୁ କଥା କହୁଛନ୍ତି କିନ୍ତୁ କଥା କହିଦେଲେ ହେବନି। ପଦକ୍ଷେପ ନେବା ଦରକାର। କିନ୍ତୁ ମନ୍ତ୍ରୀ କୌଣସି ପଦକ୍ଷେପ ନେଉଥିବା ଦେଖାଯାଉ ନାହିଁ। ସରକାର ଗୁରୁତ୍ୱ ଦେଉ ନ ଥିବାରୁ ସଙ୍ଘ ଆଉ କୌଣସି ପ୍ରସ୍ତାବ ଦେବେ ନାହିଁ। କାମ ନ କଲେ ସରକାର ତାର ପରିଣାମ ଭୋଗିବେ। ଲୋକେ ବୋକା ନୁହଁନ୍ତି। ଭୋଟ ରେ ତାହାର ଜବାବ ଦେବେ ବୋଲି କହିଛି ସଂଘ। ସରକାର ଗଭୀର ନିଦ୍ରାରେ ଶୋଇଛନ୍ତି। ଯଦି ସରକାର ସଜାଗ ନ ହେବେ ଆଗକୁ ମଧ୍ୟ ଆଳୁ ସଙ୍କଟ ସହ ଅନ୍ୟାନ୍ୟ ସଙ୍କଟ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା।