ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ ଉଠାଉଛନ୍ତି ରାସନ୍‌!

ଫେକ୍‌ ରାସନ କାର୍ଡକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟେ ଗୋଟେ ଜିଲ୍ଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଏଯାଏ ସମୁଦାୟ ୪୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଗଲାଣି।

ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ ଉଠାଉଛନ୍ତି ରାସନ୍‌!

ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ରାସନ୍‌ କାର୍ଡ। ହେଲେ ନକଲି ମାଳ ମାଳ। ରାଜ୍ୟରେ ଏଯାଏଁ ୪୦ ଲକ୍ଷ ଭୂତ ଓ ନକଲି କାର୍ଡଧାରୀ ସରକାରୀ ଯୋଜନାରୁ ଫାଇଦା ନେଉଛନ୍ତି। ବର୍ଷ ବର୍ଷ ଧରି ସରକାରୀ ରାସନ୍‌ ଉଠାଉଛନ୍ତି। ହେଲେ ଅସଲ ହିତାଧିକାରୀ ପଞ୍ଚାୟତରୁ ବ୍ଲକକୁ ଧାଇଁ ଧାଇଁ ରାସନ୍‌ କାର୍ଡ ଖଣ୍ଡେ ପାଉନାହାନ୍ତି।

ଫେକ୍‌ ରାସନ କାର୍ଡକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟେ ଗୋଟେ ଜିଲ୍ଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଏଯାଏ ସମୁଦାୟ ୪୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଗଲାଣି। କିଏ ମରି ସ୍ୱର୍ଗରେ ଥିବା ସତ୍ତ୍ୱେ ତାଙ୍କ ନାଁରେ ରାସନ ଉଠୁଛି। ଯାହା ବିଗତ ୨୪ ବର୍ଷଧରି ଚାଲି ଆସୁଥିଲା। କିନ୍ତୁ ଆମ ସରକାର ଆସିବା ପରେ ଏସବୁ ଧରପଗଡ ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ରାସନ କାର୍ଡ ଭଳି ରାଜ୍ୟରେ ଭୂତ ଚାଷୀ ରହିଛନ୍ତି। କିଛି ଲୋକ ଚାଷ ନକରି ଚାଷୀଙ୍କୁ ମିଳୁଥିବା ସରକାରୀ ସହାୟତା ହଡପ କରିବା ଉଦ୍ଦେଶ୍ୟରେ ରେଜିଷ୍ଟ୍ରେସନ କରିଛନ୍ତି। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉଥରେ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଆରମ୍ଭ କରିଛନ୍ତି।

ସେମିତି ଜଣେ ଖାଉଟି ହେଉଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ମାଲିପେଟା ଗାଁ କମୁ ମାଳି। ରାସନ୍‌ କାର୍ଡ ଖଣ୍ଡେ ପାଇଁ ପଞ୍ଚାୟତଠାରୁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ସେ ନିରାଶ ହେଲେଣି। ଠିକ୍‌ ସେମିତି ଆଉ ଜଣେ ଖାଉଟି ହେଉଛନ୍ତି ନାରାୟଣପାଟଣା ବ୍ଲକ ବିକ୍ରମପୁର ଗାଁର ଜଗବନ୍ଧୁ। ତାଙ୍କର ଅବସ୍ଥା ଠିକ୍‌ ସେମିତି। ଘରେ ଦୁଇଟି ଛୋଟ ପିଲା ଥିବା ବେଳେ ମୂଲମଜୁରୀ ଲାଗି ପରିବାର ଚଳାଉଛନ୍ତି। ଚାରି ବର୍ଷ ଧରି ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ମିଳିପାରୁନି କାର୍ଡ ଖଣ୍ଡେ।

ସମାନ ଚିତ୍ର ଆସିଛି ଉପକୂଳ ଓଡ଼ିଶାରୁ। ଭଦ୍ରକ ବାସୁଦେବପୁର ନଟିଆପାଳ ଗାଁର ମାନସୀ ଜେନାଙ୍କ ସ୍ୱାମୀ ଦିନ ମଜୁରିଆ ହୋଇଥିବା ବେଳେ ପଲିଥିନ୍‌ ପାଲ ତଳେ ଜୀବନ ବିତାଉଛନ୍ତି। କାର୍ଡ ଖଣ୍ଡେ ପାଇଁ ୧୦ ବର୍ଷ ହେଲା ଦୌଡିଛନ୍ତି ପଞ୍ଚାୟତରୁ ବ୍ଲକ୍‌ ଅଫିସକୁ। ଗାଁର ବଡବଡିଆ ଓ ଚାକିରିଆ କାର୍ଡ ପାଇଥିବା ବେଳେ ମାତ୍ର ତାଙ୍କ କଥା କେହି ଶୁଣୁନାହାଁନ୍ତି।