ରାତି ୩ଟାରେ ଏସ୍‌ପିଙ୍କ ଅଫିସ୍‌କୁ ଆସିଲା ଫୋନକଲ, ଆଲର୍ଟ ହେଲା ପୁଲିସ୍‌

ଲୁଟେରାମାନେ ଏ ସମ୍ପର୍କରେ ଜାଣିପାରି ନବରଙ୍ଗପୁର ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ଦୂର ଡାବୁଗାଁ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ। ଆଉ ନିଜର ଧଳା ରଙ୍ଗର ଟାଟାନେକ୍ସନ ଗାଡ଼ିକୁ ଜଙ୍ଗଲ ପାର୍ଶ୍ୱରେ ଛାଡ଼ି ଯାଇଥିଲେ।

ରାତି ୩ଟାରେ ଏସ୍‌ପିଙ୍କ ଅଫିସ୍‌କୁ ଆସିଲା ଫୋନକଲ, ଆଲର୍ଟ ହେଲା ପୁଲିସ୍‌

ରାତିରେ ଶୋଇଥିଲା ପୂରା ସହର। ରାତି ପ୍ରାୟ ୩ଟା ବେଳେ ହଠାତ୍‌ ନବରଙ୍ଗପୁର ଏସ୍‌ପିଙ୍କ ଅଫିସ୍‌କୁ ଆସିଲା ଏକ ଫୋନ୍‌ କଲ। ଆଉ ତା’ପରେ ସଙ୍ଗେ ସଙ୍ଗେ ଆଲର୍ଟ ହୋଇଥିଲା ପୂରା ପୁଲିସ୍‌ ଡିପାର୍ଟମେଣ୍ଟ। ଛକ ଛକରେ ଚାଲିଲା ନାକାବନ୍ଦୀ ଓ ଯାଞ୍ଚ। ଶେଷରେ ମିଳିଲା ଠିକଣା, ତା’ପରେ।

ବୁଧବାର ରାତିରେ ନବରଙ୍ଗପୁର ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଥିବା SBI ଏଟିଏମ୍‌ରୁ ଚୋରି ହେଉଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ହାଇଦ୍ରାବାଦ ସ୍ଥିତ SBI ହେଡକ୍ୱାର୍ଟରରୁ ବୁଧବାର ରାତି ପ୍ରାୟ ୩ଟା ବେଳେ ନବରଙ୍ଗପୁର ଏସ୍‌ପିଙ୍କ ଅଫିସ୍‌କୁ ଫୋନ୍‌ କଲ ଆସିଥିଲା। ଏହା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଆଲର୍ଟ ହୋଇଥିଲା ପୂରା ପୁଲିସ୍‌ ଡିପାର୍ଟମେଣ୍ଟ। ସାରା ଜିଲ୍ଲାକୁ ନାକାବନ୍ଦୀ କରିଥିଲା। ଲୁଟେରାଙ୍କୁ କାବୁ କରିବା ପାଇଁ ଜାଲ ବିଛାଇ ଥିଲା। ଛକ ଛକରେ ଗାଡ଼ି ଅଟକାଇ ଯାଞ୍ଚକୁ କଡ଼ାକଡି କରିଥିଲା।

ଲୁଟେରାମାନେ ଏ ସମ୍ପର୍କରେ ଜାଣିପାରି ନବରଙ୍ଗପୁର ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ଦୂର ଡାବୁଗାଁ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ। ଆଉ ନିଜର ଧଳା ରଙ୍ଗର ଟାଟାନେକ୍ସନ ଗାଡ଼ିକୁ ଜଙ୍ଗଲ ପାର୍ଶ୍ୱରେ ଛାଡ଼ି ଯାଇଥିଲେ। ଏ ସମ୍ପର୍କରେ ଜାରିପାରି ପୂରା ଜଙ୍ଗଲକୁ ଘେରି ଯାଇଥିଲା ପୁଲିସ୍‌। ଆଉ ତା’ପରେ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍‌। ପ୍ରାୟ ୪ ଘଣ୍ଟାର ସର୍ଚ୍ଚ ଅପରେସନ୍‌ ପରେ ୫ ଏଟିଏମ୍‌ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲା ପୁଲିସ୍‌। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ହରିୟାଣା ରାଜ୍ୟ ନୁହ ଜିଲ୍ଲାର। ସେମାନେ ହେଲେ ସକିଲ ଖାନ, ଫୌଜଲ ଖାନ, ଶହରୁଖ ଖାନ ଓ ଜହୁଲ ଖାନ। ଅନ୍ୟ ଜଣେ ଛତିଶଗଡ ରାଜ୍ୟ ଛପରା ଜିଲ୍ଲାର ନିଖିଲ କୁମାର ବୋଲି ଏସ୍‌ପି କହିଛନ୍ତି।

Policeଏସ୍‌ପିଙ୍କ ପଛ ପାର୍ଶ୍ୱରେ ଛିଡ଼ା ହୋଇଛନ୍ତି ଗିରଫ ହୋଇଥିବା ଲୁଟେରା

ନବରଙ୍ଗପୁର ଏସ୍‌ପି ରୋହିତ ବର୍ମାଙ୍କ କହିବା ଅନୁସାରେ ଗିରଫ ଅଭିଯୁକ୍ତଙ୍କ ଭିତରୁ ନିଖିଲ କୁମାର ଓ ଫୌଜଲ ଖାନ ପେଶାଦାର ଲୁଟେରା। ୨୦୨୩ ମସିହା ଫେବୃଆରୀରେ କୋରାପୁଟ ଜିଲ୍ଲା ପାଡୁଆ ଏଟିଏମ ଲୁଟ ମାମଲାରେ ଏହି ଦୁଇ ଜଣ ଗିରଫ ହୋଇଥିଲେ। ଏମାନେ ବିଶେଷ କରି ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ। ଏଟିଏମ୍‌ରୁ ଲୁଟ୍‌ ହୋଇଥିବର ୧୯ ଲକ୍ଷ ୫୦ ହଜାର ୧୦୦ ଟଙ୍କା ଭିତରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା ଜବତ ହୋଇଛି। ସେମାନଙ୍କ ନିକଟରୁ ପୁଲିସ ଧଳା ରଙ୍ଗର ଟାଟାନେକ୍ସନ କାର, ୪ଟି ମୋବାଇଲ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ