ଋଣ ଛାଡ଼ ପାଇଁ ସ୍ବାମୀଙ୍କୁ ମୃତ ଘୋଷଣା

ଗୋରଖପୁର (ଉତ୍ତରପ୍ରଦେଶ),୨୬।୩:  ଗ୍ରାମାଞ୍ଚଳ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସେମାନଙ୍କୁ କମ୍‌ ସୁଧ ହାରରେ ଋଣ ପ୍ରଦାନ କରାଯାଉଛି। ଏପରି କି କେତେକ କ୍ଷେତ୍ରରେ ସୁଧ ମଧ୍ୟ ଛାଡ଼ କରାଯାଉଛି। ହେଲେ ବେଳେବେଳେ ଏହାର ଦୁରୁପଯୋଗ କରାଯାଉଥିବା ଦେଖିବାକୁ ମିଳୁଛି। ନିକଟରେ ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଋଣ ଛାଡ଼ ପାଇଁ କେତେଜଣ ମହିଳା ସେମାନଙ୍କ ଜୀବିତ ସ୍ବାମୀଙ୍କ ଜାଲ୍‌ ମୃତ ପ୍ରମାଣପତ୍ର ବାହାର କରି ବ୍ୟାଙ୍କରେ ଦାଖଲ […] The post ଋଣ ଛାଡ଼ ପାଇଁ ସ୍ବାମୀଙ୍କୁ ମୃତ ଘୋଷଣା appeared first on Dharitri Odia News.

ଋଣ ଛାଡ଼ ପାଇଁ ସ୍ବାମୀଙ୍କୁ ମୃତ ଘୋଷଣା

ଗୋରଖପୁର (ଉତ୍ତରପ୍ରଦେଶ),୨୬।୩:  ଗ୍ରାମାଞ୍ଚଳ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସେମାନଙ୍କୁ କମ୍‌ ସୁଧ ହାରରେ ଋଣ ପ୍ରଦାନ କରାଯାଉଛି। ଏପରି କି କେତେକ କ୍ଷେତ୍ରରେ ସୁଧ ମଧ୍ୟ ଛାଡ଼ କରାଯାଉଛି। ହେଲେ ବେଳେବେଳେ ଏହାର ଦୁରୁପଯୋଗ କରାଯାଉଥିବା ଦେଖିବାକୁ ମିଳୁଛି। ନିକଟରେ ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଋଣ ଛାଡ଼ ପାଇଁ କେତେଜଣ ମହିଳା ସେମାନଙ୍କ ଜୀବିତ ସ୍ବାମୀଙ୍କ ଜାଲ୍‌ ମୃତ ପ୍ରମାଣପତ୍ର ବାହାର କରି ବ୍ୟାଙ୍କରେ ଦାଖଲ କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ୪ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାନୁସାରେ, ଇଣ୍ଡସଇଣ୍ଡ ବ୍ୟାଙ୍କର ଏକ ସବ୍‌ସିଡିଆରି ଭାରତ ଫାଇନାନ୍‌ସିଆଲ୍‌ ଇନ୍‌କ୍ଲୁଜନ ଲିମିଟେଡରୁ କେତେଜଣ ମହିଳା ଗ୍ରୁପ୍‌ ଲୋନ୍‌ ବା ଗୋଷ୍ଠୀ ଋଣ ନେଇଥିଲେ। ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଏହି ଋଣ ଯୋଗାଇ ଦିଆଯାଇଥିଲା। ଏପରି କି ଋଣ ପରିଶୋଧ ସମୟରେ ଯଦି କୌଣସି ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟେ, ତେବେ ସେମାନଙ୍କୁ ଋଣର ବାକି କିସ୍ତି ଛାଡ଼ ସହ ପୂର୍ବରୁ ଦେଇଥିବା କିସ୍ତିକୁ ଫେରସ୍ତ କରିବାର ନିୟମ ରହିଥିଲା। ଏହାର ସୁଯୋଗ ନେଇ ଋଣ ବୋଝରୁ ମୁକ୍ତି ପାଇବା ଲାଗି ୪ଜଣ ମହିଳା ସେମାନଙ୍କ ସ୍ବାମୀ ଜୀବିତ ଥାଇ ସୁଦ୍ଧା ଜାଲ୍‌ ମୃତ ପ୍ରମାଣପତ୍ର ସଂଗ୍ରହ କରିଥିଲେ। ଉକ୍ତ ମୃତ ଜାଲ୍‌ ପ୍ରମାଣପତ୍ରକୁ ବ୍ୟାଙ୍କରେ ଦାଖଲ କରି ଋଣ ଛାଡ଼ ପାଇଁ ଆବେଦନ କରିଥିଲେ। ଏପରି କି ସେମାନେ ପୂର୍ବରୁ ଭରିଥିବା କିସ୍ତି ଫେରିପାଇବା ପାଇଁ ବ୍ୟାଙ୍କରେ ଆବେଦନ ମଧ୍ୟ କରିଥିଲେ। ବ୍ୟାଙ୍କ ତରଫରୁ ଯାଞ୍ଚ ସମୟରେ ଉକ୍ତ ମୃତ ପ୍ରମାଣପତ୍ର ଜାଲ୍‌ ବୋଲି ଜଣାପଡ଼ିଥିଲା। ପରେ ଏନେଇ ବ୍ୟାଙ୍କ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ଗତ ରବିବାର ୪ମହିଳାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିବା ସହ ମୃତ ପ୍ରମାଣ ପତ୍ର ଯୋଗାଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି।

The post ଋଣ ଛାଡ଼ ପାଇଁ ସ୍ବାମୀଙ୍କୁ ମୃତ ଘୋଷଣା appeared first on Dharitri Odia News.