ରାତିଅଧିଆ ଏମ୍ସର ପଛ ଗେଟ୍ ଦେଇ FM ଛାତ୍ରୀଙ୍କ ମୃତଦେହ ଘରକୁ ନିଆଗଲା: ଜାଣନ୍ତୁ କାହିଁକି
ଭୁବନେଶ୍ୱର,୧୫।୭: ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବ୍ୟକ୍ତିଗତ ‘X’ ଆକାଉଣ୍ଟରେ ସମ୍ପୃକ୍ତା ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତଦେହକୁ ଏମ୍ସର ପଛ […] The post ରାତିଅଧିଆ ଏମ୍ସର ପଛ ଗେଟ୍ ଦେଇ FM ଛାତ୍ରୀଙ୍କ ମୃତଦେହ ଘରକୁ ନିଆଗଲା: ଜାଣନ୍ତୁ କାହିଁକି appeared first on Dharitri Odia News.
ଭୁବନେଶ୍ୱର,୧୫।୭: ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବ୍ୟକ୍ତିଗତ ‘X’ ଆକାଉଣ୍ଟରେ ସମ୍ପୃକ୍ତା ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତଦେହକୁ ଏମ୍ସର ପଛ ଗେଟ୍ ଦେଇ ବାହାରକୁ ନିଆଯିବାବେଳେ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବନେତାମାନେ ଆମ୍ବୁଲାନ୍ସ ସମ୍ମୁଖରେ ଶୋଇ ପ୍ରତିବାଦ କରିବା ସହ ପୋଲିସ ଓ ପ୍ରଶାସନ ଲୁଚାଇ କରି ମୃତଶରୀର ନେଇଯାଉଥିବା ଅଭିଯୋଗ କରିଥିଲେ। ଏନେଇ ଡିସିପି ଜଗମୋହନ ମୀନା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୃତଦେହକୁ ରାତିରେ ବ୍ୟବଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ମୃତଦେହ ନିଆଯାଉଥିବା ସମୟରେ କେତେକ ଛାତ୍ରଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି।
ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୟାସିର ନଓ୍ବାଜ କହିଛନ୍ତି, ସୋମବାର ଏମ୍ସର ସମାବର୍ତ୍ତନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଯୋଗଦେବାକୁ ଥିବାରୁ ପୀଡ଼ିତାଙ୍କ ମୃତ୍ୟୁକୁ ଲୁଚାଯାଇଥିଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସରିବା ପରେ ସରକାର ମୃତ୍ୟୁ ସମ୍ପର୍କରେ ଘୋଷଣା କରିଛନ୍ତି, ଯାହାକି ବିଭିନ୍ନ ମହଲରେ ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି। ଭାଜପା ଶାସିତ ଉତ୍ତରପ୍ରଦେଶରେ ମଧ୍ୟ ଏଭଳି ରାତି ଅଧିଆ ଶବ ନେବାର ନଜିର ରହିଥିବା ୟାସିର କହିଛନ୍ତି। ଏହା ସହିତ ଉଭୟ ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବ ନେତାମାନେ ଏମ୍ସର ଶବ ବ୍ୟବଚ୍ଛେଦ ଗୃହ ଆଗରେ ଧାରଣାରେ ବସି ସରକାର ବିରୋଧୀ ନାରା ଦେଇଥିଲେ।
ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ(ଏଚ୍ଓଡି) ସମୀର କୁମାର ସାହୁଙ୍କ ଦ୍ୱାରା ପ୍ରାୟ ୬ମାସ ଧରି ପୀଡ଼ିତା ଛାତ୍ରୀ ଶାରୀରିକ ଓ ମାନସିକ ନିର୍ଯାତନା ପାଇ ଆସୁଥିଲେ। ଗତ ଜୁନ୍ ୩୦ ତାରିଖରେ ଏସଂକ୍ରାନ୍ତରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହାର ପରଦିନ ଅର୍ଥାତ୍ ଜୁଲାଇ ୧ରେ ପୀଡ଼ିତା ଏହି ଅଭିଯୋଗ ସଂକ୍ରାନ୍ତରେ ନିଜ ‘X’ ଆକାଉଣ୍ଟରେ ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ଅଧିକାରୀ, ନେତା ଏବଂ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍ କରିଥିଲେ। ହେଲେ କୌଣସି ନ୍ୟାୟ ନ ପାଇ ୧୨ତାରିଖ ଶନିବାର ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଅଁା ଲଗାଇ ଦେଇଥିଲେ। ଉପସ୍ଥିତ କେତେଜଣ ଛାତ୍ରଙ୍କ ଦ୍ୱାରା ସେ ଉଦ୍ଧାର ହୋଇଥିଲେ ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅପରାହ୍ନରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୫% ପୋଡ଼ି ଯାଇଥିବାରୁ ତାଙ୍କୁ ଏମ୍ସ ବର୍ନ ୟୁନିଟ୍ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଏପରି କି ଦିଲ୍ଲୀ ଏମ୍ସର ଡାକ୍ତରୀ ଦଳଙ୍କ ସହାୟତାରେ ଏଠାକାର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖି ଚିକିତ୍ସା ଚଳାଇଥିଲେ। କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ପୀଡ଼ିତା ସୋମବାର ରାତିରେ ଆଖି ବୁଜିଛନ୍ତି। ବ୍ୟବଚ୍ଛେଦ ହେବା ପରେ ମୃତଦେହକୁ ବାଲେଶ୍ୱର ଜିଲା ଭୋଗରାଇସ୍ଥିତ ବାସଭବନକୁ ନିଆଯିବା ପାଇଁ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ।
The post ରାତିଅଧିଆ ଏମ୍ସର ପଛ ଗେଟ୍ ଦେଇ FM ଛାତ୍ରୀଙ୍କ ମୃତଦେହ ଘରକୁ ନିଆଗଲା: ଜାଣନ୍ତୁ କାହିଁକି appeared first on Dharitri Odia News.