ରାମ ଭକ୍ତିରେ ଲୀନ ହେଲେ ବର-କନ୍ୟା, ଭଜନର ତାଳେ ତାଳେ ନାଚିଲେ ବରଯାତ୍ରୀ

ରାମ ଭକ୍ତିରେ ଲୀନ ହୋଇଥିବା ଏହି ବର-କନ୍ୟାଙ୍କ ଅଦ୍ଭୁତ ବିବାହ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ରାମ ଭକ୍ତିରେ ଲୀନ ହେଲେ ବର-କନ୍ୟା, ଭଜନର ତାଳେ ତାଳେ ନାଚିଲେ ବରଯାତ୍ରୀ

ରାମଙ୍କ ରଙ୍ଗରେ ରଙ୍ଗେଇ ହେଲେ ବର-କନ୍ୟା। ବିବାହ ମଣ୍ଡପରେ ଦେଖିବାକୁ ମିଳିଲା ରାମ ଭକ୍ତି। ମଣ୍ଡପରେ ଉଡ଼ିଲା ଭଗବାନ ରାମ ବାନା। କେବଳ ସେତିକି ନୁହେଁ ଫିଲ୍ମ ଗୀତ ବଦଳରେ ରାମଙ୍କ ଭଜନର ତାଳେ ତାଳେ ନାଚିଲେ ବରଯାତ୍ରୀ। ମୁଣ୍ଡରେ ଗେରୁଆ ଟୋପି ଓ କାନ୍ଧରେ ଗେରୁଆ ବସ୍ତ୍ର ପକାଇ ବରଯାତ୍ରୀ ଝୁମିଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଥୁରାରେ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଯୋଧ୍ୟାରେ ଭଗବାନ ରାମ ନିଜ ନୂଆ ମନ୍ଦିରରେ ବିରାଜମାନ ହୋଇସାରିଛି। ସରିଛି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ପୂରା ଦେଶବାସୀ ରାମମୟ ହୋଇପଡିଛନ୍ତି। ଏହି ଅବସରରେ ୨୨ ତାରିଖ ଦିନ ମଥୁରାରେ ହୋଇଥିବା ଏକ ବିବାହରେ ଦେଖିବକୁ ମିଳିଛି ଅଜବ ଦୃଶ୍ୟ। ବିବାହ ମଣ୍ଡପରେ ରାମ ଭକ୍ତିରେ ଲୀନ ହୋଇପଡିଛନ୍ତି ବର-କନ୍ୟା। କେବଳ ସେତିକି ନୁହେଁ ବିବାହ ସ୍ଥଳରେ ମୁଖ୍ୟ ଫାଟକଠାରୁ ଜୟମାଳା ମଞ୍ଚ ପର୍ଯ୍ୟନ୍ତ ରାମଙ୍କ ନାମରେ ପତକା ଲାଗିଥିଲା। ସମଗ୍ର ବିବାହ ସମାରୋହରେ ମୁଖ୍ୟ ଫାଟକ, ଖାଦ୍ୟ ଷ୍ଟଲ୍, ଡିଜେ ଓ ବିବାହ ମଞ୍ଚରେ ଗେରୁଆ ରଙ୍ଗର ଭଗବାନ ରାମଙ୍କ ପତାକା ଲଗାଯାଇଥିଲା।

ବରଯାତ୍ରୀ ମୁଖ୍ୟ ଦ୍ୱାରରେ ପହଞ୍ଚିବା ପରେ ଝିଅ ଘର ଲୋକେ ସେମାନଙ୍କୁ ପ୍ରଭୁ ରାମ ଓ ସୀତାଙ୍କ ଲକେଟ୍‌ ଦେଇ ଗେରୁଆ ଗାମୁଛା ପକାଇ ସ୍ୱାଗତ ଜଣାଇଥିଲେ। ବିବାହ ମଣ୍ଡପରେ ପହଞ୍ଚିବା ପରେ ଏପରି ସ୍ୱାଗତକୁ ନେଇ ବରଯାତ୍ରୀ ପ୍ରଫୁଲ୍ଲିତ ହୋଇପଡିଥିଲେ। ବିବାହ ସ୍ଥାନରେ ଲାଗିଥିବା ଡିଜେରେ ଏକ ଭିନ୍ନ ସ୍ୱର ମଧ୍ୟ ବାଜୁଥିଲା। ଏଠାରେ, ସାଧାରଣ ବିବାହ ପରି, ଫିଲ୍ମ ଗୀତ ନୁହେଁ ବରଂ ପ୍ରଭୁ ରାମଙ୍କ ଭଜନ ବଜାଯାଉଥିଲା। ରାମଙ୍କ ଭଜନର ତାଳେ ତାଳେ ନାଚିଥିଲେ ବରଯାତ୍ରୀ। ହାତରେ ଭଗବାନ ରାମଙ୍କ ପତକା ଧରି ଡ୍ୟାନ୍ସ ଫ୍ଲୋର୍‌ରେ ବରଯାତ୍ରୀ ଡ୍ୟାନ୍ସ କରିଥିଲେ। ଏହି ବିବାହ ସମାରୋହଟି ସମ୍ପୂର୍ଣ୍ଣ ରୂପେ ରାମମୟ ହୋଇ ପଡିଥିଲା। ଗେରୁଆ ପତକା ମଧ୍ୟରେ ବାଜୁଥିବା ରାମ ଭଜନ ପୂରା ପରିବେଶକୁ ଭକ୍ତିମୟ କରିଦେଇଥିଲା।

Ram Devotion in Marriageବିବାହର ଦୃଶ୍ୟ

ଗତକାଲି ବୃନ୍ଦାବନର ସନ୍ଥ କଲୋନୀରେ ରହୁଥିବା ଡ୍ରେସ୍‌ ଡିଜାଇନର୍‌ ଆଲୋକ ଶର୍ମା କୋସିର ବାସିନ୍ଦା କୋମଲ ଶର୍ମାଙ୍କୁ ବିବାହ କରିଥିଲେ। ଆଲୋକ କହିଛନ୍ତି ଯେ 'ଏହି ଦିନ ତାଙ୍କ ଜୀବନରେ ଦୁଇଟି ବଡ଼ ଖୁସି ଆଣିଦେଇଛି। ପ୍ରଥମତଃ ସେ ଘରୋଇ ଜୀବନରେ ପ୍ରବେଶ କରୁଥିଲେ ଏବଂ ଦ୍ୱିତୀୟରେ, ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଯେଉଁ ଦିନ ପ୍ରଭୁ ରାମ ତାଙ୍କ ନୂଆ ମନ୍ଦିରରେ ବିରାଜମାନ କରିବେ, ସେହି ଦିନ ତାଙ୍କ ବିବାହ ହେବ ବୋଲି ସେ ଭାବି ନଥିଲେ।'

Wedding Processionଗେରୁଆ ପଗଡି ପିନ୍ଧି ରାମଙ୍କ ଭଜନରେ ନାଚୁଛନ୍ତି ବରଯାତ୍ରୀ।

ସେପଟେ ବରଯାତ୍ରୀମାନେ ମଧ୍ୟ ଏହି ବିବାହରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି। ସମସ୍ତ ବରଯାତ୍ରୀ ମୁଣ୍ଡରେ ଗେରୁଆ ରଙ୍ଗର ପଗଡି ବାନ୍ଧିଥିଲେ। ଏହି ବିବାହକୁ କେହି ଭୁଲି ପାରିବେ ନାହିଁ ବୋଲି ବରଯାତ୍ରୀରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି। ଏହି ବିବାହର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।