ରାଲି ବେଳେ ବିସ୍ଫୋରଣ, ଇମ୍ରାନଙ୍କ ଦଳର ୩ ସଦସ୍ୟଙ୍କ ମୃତ୍ୟୁ

ଇମ୍ରାନ ଖାନ୍‌ଙ୍କୁ ଆଜି ପାକିସ୍ତାନର ଏକ କୋର୍ଟ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ଏହି ଘଟଣା ଘଟିଥିଲା।

ରାଲି ବେଳେ ବିସ୍ଫୋରଣ, ଇମ୍ରାନଙ୍କ ଦଳର ୩ ସଦସ୍ୟଙ୍କ ମୃତ୍ୟୁ

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ସିବିରେ ବୋମା ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ପାକିସ୍ତାନ ତହରିକ-ଏ-ଇନ୍‌ସାଫ୍‌ (ପିଟିଆଇ)ର କର୍ମକର୍ତ୍ତା।

ଇମ୍ରାନ ଖାନ୍‌ଙ୍କୁ ଆଜି ପାକିସ୍ତାନର ଏକ କୋର୍ଟ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ଏହି ଘଟଣା ଘଟିଥିଲା। ତାଙ୍କ ଦଳ ପକ୍ଷରୁ ବଲୁଚିସ୍ତାନର ସିବିରେ ଏକ ନିର୍ବାଚନୀ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲି ବେଳେ ବିସ୍ଫୋରଣ ଘଟିଥିଲା। 

୭ ଆହତଙ୍କୁ ସିବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। 

ଏହି ବିସ୍ଫୋରଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବିସ୍ଫୋରଣ ପରେ ପାକିସ୍ତାନ ତହରିକ-ଏ-ଇନ୍‌ସାଫ୍‌ର କର୍ମକର୍ତ୍ତାମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି। 

ପାକିସ୍ତାନ ତହରିକ-ଏ-ଇନ୍‌ସାଫ୍‌ ନେତା ସଲାର ଖାନ କକର କହିଛନ୍ତି ଯେ ଏକ ନିର୍ବାଚନୀ ରାଲି ବେଳେ ଏହି ବିସ୍ଫୋରଣ ଘଟିଥିଲା। ଆମେ ଏହାକୁ ଦୃଢ଼ ଭାବେ ନିନ୍ଦା କରୁଛୁ। ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଉପରେ ଗୁରୁତ୍ୱ ଦିଆଯାଉ। ତାହା ନ କରି ଆମକୁ ମୂଳପୋଛ କରିବାକୁ ପ୍ରୟାସ କରାଯାଉଛି। 

ଫେବ୍ରୁଆରୀ ୮ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ତା’ର ୯ ଦିନ ପୂର୍ବରୁ ଘଟିଛି ଏହି ବିସ୍ଫୋରଣ। ପାକିସ୍ତାନ ନିର୍ବାଚନ କମିଶନ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇ ରିପୋର୍ଟ ଦେବାକୁ ବଲୁଚିସ୍ତାନ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ ଖାନଙ୍କୁ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।