ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା ସମୟରେ ଭିଡ଼ ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଏଠାରେ ଅସ୍ଥାୟୀ ଭାବେ ପରିବା ବଜାର ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ଯିବାର ୩ ବର୍ଷ ପରେ ମଧ୍ୟ ଏହି ଅସ୍ଥାୟୀ ବଜାର ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲିଛି। ଏଠାରେ ପରିବା ବିକ୍ରି କରୁଥିବା ଚାଷୀ ଓ ବ୍ୟବସାୟୀଙ୍କ ପାଇଁ […] The post ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର appeared first on Dharitri Odia News.

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା ସମୟରେ ଭିଡ଼ ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଏଠାରେ ଅସ୍ଥାୟୀ ଭାବେ ପରିବା ବଜାର ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ କରୋନା ଯିବାର ୩ ବର୍ଷ ପରେ ମଧ୍ୟ ଏହି ଅସ୍ଥାୟୀ ବଜାର ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲିଛି। ଏଠାରେ ପରିବା ବିକ୍ରି କରୁଥିବା ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ନାଲ୍‌କୋନଗରଠାରେ କୃଷକ ବଜାର ନିର୍ମାଣ କରାଯାଇଥିଲେ ବି ସେଠାକୁ ଏହି ବଜାର ସ୍ଥାନନ୍ତର କରାଯାଉ ନାହିଁ। ଏପରି କି ଉକ୍ତ କୃଷକ ବଜାରର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ସେଠାରେ ନିର୍ମାଣ ହୋଇଥିବା ଭିତ୍ତିଭୂମି ନଷ୍ଟ ହେବାରେ ଲାଗିଛି। ଏଥିପାଇଁ ଅନୁଗୋଳ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)କୁ ରାଜସ୍ବ ମଧ୍ୟ ହରାଇବାକୁ ପଡ଼ୁଛି।
ପ୍ରକାଶ ଯେ, ନାଲ୍‌କୋ ନଗରଠାରେ କୃଷିଜାତ ଦ୍ରବ୍ୟର ବିକ୍ରି ଉଦ୍ଦେଶ୍ୟରେ ଅନୁଗୋଳ ଆର୍‌ଏମ୍‌ସି, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ନାଲ୍‌କୋ ସହଯୋଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୧ ଲକ୍ଷ ଟଙ୍କା ବ୍ୟୟରେ ୩ ଏକର ୧୨ ଡିସମିଲ ଜାଗାରେ କୃଷକ ବଜାର ନିର୍ମାଣ କରାଯାଇଥିଲା। ଓଡ଼ିଶାର ପ୍ରଥମ କୃଷକ ବଜାର ଭାବେ ଏହା ପରିଚିତ ହୋଇଥିଲା। ଏହି ବଜାର ଦ୍ୱାରା ନାଲ୍‌କୋ ପାର୍ଶ୍ୱବର୍ତ୍ତୀ ୬ଟି ପଞ୍ଚାୟତ ଅଧୀନରେ ଥିବା ୧୫ ଗାଁର ପ୍ରାୟ ୨୨୦ କୃଷକ ଓ ୫୦ରୁ ଅଧିକ ବ୍ୟବସାୟୀଙ୍କୁ ଉପକୃତ ହେବାର ବନ୍ଦୋବସ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୪୦ଟି ଦୋକାନ ଘର, ୮ଟି ପିଣ୍ଡି, ସୁଲଭ ଶୌଚାଳୟ ଓ ପାନୀୟ ଜଳ ପାଇଁ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ହେଲେ ଆର୍‌ଏମ୍‌ସିର ଅବହେଳା ଓ ମରାମତି ଅଭାବରୁ କୃଷକ ବଜାର ମଧ୍ୟରେ ଥିବା ପିଣ୍ଡି, ଘର, ପିଣ୍ଡି ଛାତ ଆଦି ଭଗ୍ନାବସ୍ଥାକୁ ଚାଲିଆସିଛି। ଖାଉଟି, ବେପାରୀ ଓ କୃଷକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଦୀର୍ଘବର୍ଷ ଧରି ବନ୍ଦ ପଡ଼ି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଶୌଚାଳୟରେ ଲାଗିଥିବା ଦାମୀ ଉପକରଣଗୁଡିକ ଚୋରି ହୋଇ ଯାଇଥିବା ଅଭିଯୋଗ ହେଉଛି। କୃଷକବଜାର ମଧ୍ୟରେ ଥିବା ପାଣି ଟାଙ୍କି ବିପଦସଙ୍କୁଳ ଅବସ୍ଥାରେ ଅଛି। ପାଣି ଟାଙ୍କିର ଅନେକ ସ୍ଥାନରେ ଫାଟ ସହ ଚତୁଃପାର୍ଶ୍ୱରେ ଅନାବନା ଘାସ ହୋଇ ନର୍ଦ୍ଦମା ପାଣି ଜମିରହିଛି। ବଜାରରେ ବ୍ୟବସାୟ ପାଇଁ ନିର୍ମିତ ହୋଇଥିବା ଦୋକାନ ଗୃହଗୁଡ଼ିକ ଆବଣ୍ଟନ ନ ହୋଇ ଦୀର୍ଘଦିନ ଧରି ପଡ଼ିରହିଛି।
ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାସ୍ତା କଡରେ ବିପଜ୍ଜନକ ଅବସ୍ଥାରେ ପରିବା ବିକ୍ରି କରୁଥିବା ଚାଷୀ ଓ ବ୍ୟବସାୟୀଙ୍କୁ କିଭଳି କୃଷକ ବଜାର ମଧ୍ୟକୁ ଅଣାଯିବା ସହ ଆର୍‌ଏମ୍‌ସିର ରାଜସ୍ବ ବୃଦ୍ଧି କରାଯାଇପାରିବ ସେ ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ଦାବି ହେଉଛି।

The post ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର appeared first on Dharitri Odia News.