ରାସ୍ତାରୁ ଟଙ୍କା ଆଦାୟ କରୁଥିଲେ! ARTO ଓ ଜୁନିୟର MVI ଗିରଫ

ଗିରିଶୋଳା ଗେଟ୍‌ରୁ ଧରାପଡ଼ିଥିବା ୩ ଦଲାଲଙ୍କୁ ପୁଲିସ୍‌ ଦୀର୍ଘ ସମୟ ଧରି ଜେରା କରିଥିଲା। ହେଲେ ସେମାନେ ବେଶୀ ସମୟ ଧରି ମିଛକୁ ଚାପି ରଖିପାରିନଥିଲେ। ଭୟରେ ସବୁ କଥା କହି ପକାଇଥିଲେ।

ରାସ୍ତାରୁ ଟଙ୍କା ଆଦାୟ କରୁଥିଲେ! ARTO ଓ ଜୁନିୟର MVI ଗିରଫ

କାଗଜପତ୍ର ଯାଞ୍ଚ ନାଁରେ ଜାତୀୟ ରାଜପଥରେ ଗାଡ଼ି ଅଟକାଇ ଟଙ୍କା ଆଦାୟ କରିବା ମହଙ୍ଗା ପଡ଼ିଲା। ୩ ଜଲାଲଙ୍କ ସମେତ ଗଞ୍ଜାମ ARTO ଓ ଜୁନିୟର୍ MVIଙ୍କୁ ବାନ୍ଧିଲା ପୁଲିସ୍‌। ଏଥିସହ ୮୨ ହଜାରରୁ ଅଧିକ ଟଙ୍କା ଜବତ କରିଛି। ଅଭିଯୋଗ ଅନୁସାରେ ଦୀର୍ଘ ୩ ବର୍ଷ ହେଲା ଏହି କାରବାର ଚଳାଇଥିଲେ ARTO ଓ ଜୁନିୟର MVI।

ଆନ୍ଧ୍ରପ୍ରଦେଶ- ଓଡ଼ିଶା ସୀମାନ୍ତ ୧୬ ନମ୍ୱର ଜାତୀୟ ରାଜପଥର ଗିରିଶୋଳାରେ ବେଆଇନ୍‌ ଭାବେ ଭାରୀଯାନ ଗୁଡ଼ିକଠାରୁ ଫାଇନ୍‌ ଆଦାୟ କରାଯାଉଥିଲା। ଅଭିଯୋଗ ଅନୁସାରେ ଗାଡ଼ି ପିଛା ୭୦୦ରୁ ୮୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଥିଲା। ଦୀର୍ଘ ୨ରୁ ୩ ବର୍ଷ ଧରି ଏହି କାରବାର ଚାଲିଥିଲା। ମାତ୍ର ପ୍ରମାଣ ଅଭାବରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଦୁଇ ଦିନ ତଳେ ବିଶେଷ ସୂତ୍ରରୁ ଖବର ପାଇ ଗୋଲନ୍ଥରା ଥାନା ପୁଲିସ୍‌ ଅଚାନକ ଗିରିଶୋଳାଠାରେ ଥିବା ଚେକ୍‌ଗେଟ୍‌ରେ ଚଢ଼ଉ କରିଥିଲା। ସେହି ସମୟରେ ଗାଡ଼ି ଯାଞ୍ଚ କରୁଥିବା ୩ ଜଣଙ୍କୁ ଧରିଥିଲା। ପଚରା ଉଚରା ପରେ ସେମାନେ ଆରଟିଓ କର୍ମଚାରୀ ନୁହେଁ ବୋଲି ଜାଣିବାକୁ ପାଇଥିଲା ପୁଲିସ୍‌।

ଗିରିଶୋଳା ଗେଟ୍‌ରୁ ଧରାପଡ଼ିଥିବା ୩ ଦଲାଲଙ୍କୁ ପୁଲିସ୍‌ ଦୀର୍ଘ ସମୟ ଧରି ଜେରା କରିଥିଲା। ହେଲେ ସେମାନେ ବେଶୀ ସମୟ ଧରି ମିଛକୁ ଚାପି ରଖିପାରିନଥିଲେ। ଭୟରେ ସବୁ କଥା କହି ପକାଇଥିଲେ। ୩ ଦଲାଲଙ୍କ ତଥ୍ୟ ଆଧାରରେ ପୁଲିସ୍‌ ଜୁନିୟର MVIଙ୍କୁ ଉଠାଇ ଆଣି ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। ପରବର୍ତ୍ତୀ ସମୟରେ ଜୁନିୟର୍ MVIଙ୍କ ସମେତ ୩ ଦଲାଲଙ୍କୁ ଗିରଫ କରିଥିଲା।

ଗିରଫ ୫ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ବେଳେ ପୁଲିସ୍‌କୁ ବଡ଼ ସୁରାଗ ମିଳିଥିଲା। ଏଥିରେ ଗଞ୍ଜାମ ARTOଙ୍କ ସମ୍ପୃକ୍ତି ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ସେମାନଙ୍କ ମୋବାଇଲରେ ଥିବା ହ୍ୱାଟ୍ସଆପ୍‌ ଗ୍ରୁପ୍‌ରୁ ଚାନ୍ଦା ଆଦାୟର ପୂରା ତଥ୍ୟ ପାଇଥିଲା ପୁଲିସ୍‌। ପରବର୍ତ୍ତୀ ସମୟରେ ଅର୍ଥାତ ଆଜି ପୁଲିସ୍‌ ଗଞ୍ଜାମ ଆରଟିଓ ଓ ARTO ଅଫିସ୍‌ ଏବଂ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ARTO ଅଫିସ୍‌ଙ୍କ ଘରୁ ୮୨୫୦୦ ଟଙ୍କା ଜବତ କରିଥିଲା ପୁଲିସ୍‌। ପରେ ପୁଲିସ୍‌ ARTOଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ