ରାସ୍ତାରୁ ହଟିବ ମନ୍ଦିର, ମସ୍‌ଜିଦ

ନୂଆଦିଲ୍ଲୀ,୨ା୧୦(ପି.ଟି.):ଦେଶବାସୀଙ୍କ ସ୍ବାର୍ଥ ସର୍ବୋପରି ହୋଇଥିବାରୁ ରାସ୍ତା, ରେଳଲାଇନ ଏବଂ ଜଳଉତ୍ସକୁ ଅବରୋଧ କରି ନିର୍ମାଣ ହୋଇଥିବା ମନ୍ଦିର, ଦରଘା ଆଦି ଧର୍ମୀୟ ଢାଞ୍ଚାକୁ ହଟାଇବାକୁ ହେବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତ ସାରା ଦେଶ ନିମନ୍ତେ ଏକ ମାର୍ଗଦର୍ଶିକା ଆଣିବେ। ଜଣେ ବ୍ୟକ୍ତି କେବଳ ଅଭିଯୁକ୍ତ କିମ୍ବା ଏପରିକି ଦୋଷୀସାବ୍ୟସ୍ତ ହୋଇଥିଲେ ମଧ୍ୟ ଏହାକୁ କାରଣ ଭାବେ ଦର୍ଶାଇ ତାଙ୍କ ଘରକୁ ଭଙ୍ଗାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ତେବେ ସର୍ବସାଧାରଣ […] The post ରାସ୍ତାରୁ ହଟିବ ମନ୍ଦିର, ମସ୍‌ଜିଦ appeared first on Dharitri Odia News.

ରାସ୍ତାରୁ ହଟିବ ମନ୍ଦିର, ମସ୍‌ଜିଦ

ନୂଆଦିଲ୍ଲୀ,୨ା୧୦(ପି.ଟି.):ଦେଶବାସୀଙ୍କ ସ୍ବାର୍ଥ ସର୍ବୋପରି ହୋଇଥିବାରୁ ରାସ୍ତା, ରେଳଲାଇନ ଏବଂ ଜଳଉତ୍ସକୁ ଅବରୋଧ କରି ନିର୍ମାଣ ହୋଇଥିବା ମନ୍ଦିର, ଦରଘା ଆଦି ଧର୍ମୀୟ ଢାଞ୍ଚାକୁ ହଟାଇବାକୁ ହେବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତ ସାରା ଦେଶ ନିମନ୍ତେ ଏକ ମାର୍ଗଦର୍ଶିକା ଆଣିବେ। ଜଣେ ବ୍ୟକ୍ତି କେବଳ ଅଭିଯୁକ୍ତ କିମ୍ବା ଏପରିକି ଦୋଷୀସାବ୍ୟସ୍ତ ହୋଇଥିଲେ ମଧ୍ୟ ଏହାକୁ କାରଣ ଭାବେ ଦର୍ଶାଇ ତାଙ୍କ ଘରକୁ ଭଙ୍ଗାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ତେବେ ସର୍ବସାଧାରଣ ସ୍ଥାନ, ରାସ୍ତା, ଫୁଟ୍‌ପାଥ, ସରକାରୀ ଜମି, ଜଙ୍ଗଲ, ଜଳଉତ୍ସ ଭଳି ସ୍ଥାନରେ ଜବରଦଖଲକୁ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଏବଂ ଜବରଦଖଲ ଉଚ୍ଛେଦ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। କୌଣସି ନିର୍ଦ୍ଦିଷ୍ଟ ଧର୍ମ ପାଇଁ ଅଲଗା ଆଇନ ହୋଇପାରିବ ନାହିଁ ବୋଲି ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ କେ.ଭି. ବିାବନାଥନ୍‌ଙ୍କ ଖଣ୍ଡପୀଠ କହିଛନ୍ତି। ବିଭିନ୍ନ ରାଜ୍ୟରେ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କ ସମେତ ଅନ୍ୟମାନଙ୍କ ଘରକୁ ପ୍ରଶାସନ ବୁଲ୍‌ଡୋଜରରେ ଭାଙ୍ଗିଦେଉଥିବାରୁ ଏହାକୁ ଚ୍ୟାଲେଞ୍ଜ ସୁପ୍ରିମକୋର୍ଟରେ ଦାଏର ଏକାଧିକ ମାମଲାର ଶୁଣାଣିବେଳେ ଖଣ୍ଡପୀଠ ଏହା କହିଛନ୍ତି। ଜବରଦଖଲ ଉଚ୍ଛେଦ ନେଇ ସମସ୍ତ ନାଗରିକଙ୍କ ପାଇଁ ସର୍ବୋଚ୍ଚ ଅଦାଲତ ଗାଇଡ୍‌ଲାଇନ ଆଣିବେ ବୋଲି କହିବା ସହ ରାୟ ସଂରକ୍ଷିତ ରଖିଛନ୍ତି।
ଧର୍ମ ଓ ବିଶ୍ୱାସ ନିର୍ବିଶେଷରେ କୌଣସି ବ୍ୟକ୍ତି ବେଆଇନ ଭାବେ କରିଥିବା ନିର୍ମାଣକୁ ହଟାଇବାକୁ ପଡ଼ିବ। ଅଦାଲତଙ୍କ ଅନୁମତି ବିନା ଅକ୍ଟୋବର ୧ ପର୍ଯ୍ୟନ୍ତ କୌଣସି ଘର ନ ଭାଙ୍ଗିବା ପାଇଁ ସେପ୍ଟେମ୍ବର ୧୭ରେ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଫଇସଲା ହେବା ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶନାମା ବଳବତ୍ତର ରହିବ। ଲୋକଙ୍କ ସୁରକ୍ଷା ଓ ଜନସ୍ବାର୍ଥ ସର୍ବାଗ୍ରେ ହୋଇଥିବାରୁ ରାସ୍ତା ମଝିରେ ନିର୍ମାଣ ହୋଇଥିବା ଧର୍ମୀୟ ଢାଞ୍ଚା ହଟାଇବାକୁ ହେବ ବୋଲି ପ୍ରଥମ ଦିନରୁ ଆମେ କହିଥିଲୁ। ଅଦାଲତ ଯାହା ନିର୍ଦ୍ଦେଶ ଦେବେ ତାହା ସାରା ଦେଶରେ ଲାଗୁ ହେବ। ତେବେ ଏହା ଯେପରି କୌଣସି ସର୍ବସାଧାରଣ ସ୍ଥାନ ଅବରୋଧ କରିବାରେ ସହାୟକ ନ ହୁଏ, ତାହା ନିଶ୍ଚିତ କରାଇବା ଦିଗରେ ଆମେ ଯତ୍ନବାନ୍‌ ହେବୁ ବୋଲି ଖଣ୍ଡପୀଠ କହିଛନ୍ତି।
ଶୁଣାଣି ବେଳେ ଖଣ୍ଡପୀଠ ଆହୁରି କହିଛନ୍ତି, ଜବରଦଖଲ ଉଚ୍ଛେଦ ପାଇଁ ମାଲିକଙ୍କ ପାଖକୁ ରେଜିଷ୍ଟ୍ରି ପୋଷ୍ଟରେ ନୋଟିସ ପଠାଇବାକୁ ହେବ। ଏଥିସହିତ ସେଗୁଡ଼ିକ ଅନ୍‌ଲାଇନ ପୋର୍ଟାଲରେ ପ୍ରଦର୍ଶିତ ହେବା ଆବଶ୍ୟକ, ଯାହା ଫଳରେ ଏହାର ଡିଜିଟାଲ ରେକର୍ଡ ରହିବ। କର୍ତ୍ତୃପକ୍ଷ ଦେଉଥିବା ନିର୍ଦ୍ଦେଶ କେତେଦୂର ଠିକ୍‌ ତାହା ବିଚାର ବିଭାଗ ତଦାରଖ କରିପାରିବ। ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶନାମା ଜାରି ଏବଂ ଏହାକୁ କାର୍ଯ୍ୟକାରୀ କରିବା ମଧ୍ୟରେ ୧୦ରୁ ୧୫ ଦିନ ସମୟ ଦିଆଯିବା ଆବଶ୍ୟକ, ଯେପରି ଲୋକମାନେ ବିକଳ୍ପ ବ୍ୟବସ୍ଥା କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଉଚ୍ଛେଦକୁ ବିରୋଧ କରି ମହିଳା ଓ ଛୋଟ ପିଲାମାନେ ରାସ୍ତାକୁ ଓହ୍ଲାଇବା ଭଲ ଦେଖାଯାଉ ନାହିଁ। ଯଦି ନୋଟିସ ଜାରି ହେବାର ୧୫ ଦିନ ପରେ ଉଚ୍ଛେଦ କରାଯାଏ ତେବେ କିଛି କ୍ଷତି ହେବନାହିଁ ବୋଲି ଜାମିଆଦ୍‌ ଉଲମା-ଇ-ହିନ୍ଦ୍‌ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଅଦାଲତ କହିଛନ୍ତି।

The post ରାସ୍ତାରୁ ହଟିବ ମନ୍ଦିର, ମସ୍‌ଜିଦ appeared first on Dharitri Odia News.