ରାସ୍ତାରେ ଯାଉଥିବା ବେଳେ ଛିଣ୍ଡିଗଲା ତାର, ଜୀବନ୍ତ ଜଳି ଗଲେ ବାପା, ଝିଅ ଓ ଭାଣିଜୀ

ହଠାତ୍‌ ମୁଣ୍ଡ ଉପରେ ଦେଇ ଯାଇଥିବା ହାଇଭୋଲଟେଜର ତାର ରାସ୍ତାରେ ଛିଣ୍ତି ପଡ଼ିଥିଲା। ଏହା ସଂସ୍ପର୍ଶରେ ଆସି ବାଇକରେ ଯାଉଥିବା ବାପା, ଝିଅ ଓ ଭାଣିଜୀ ମାତ୍ର କିଛି ସେକେଣ୍ତ ମଧ୍ୟରେ ଜୀବନ୍ତ ଜଳି ପାଉଁଶ ହୋଇଯାଇଛନ୍ତି।

ରାସ୍ତାରେ ଯାଉଥିବା ବେଳେ ଛିଣ୍ଡିଗଲା ତାର, ଜୀବନ୍ତ ଜଳି ଗଲେ ବାପା, ଝିଅ ଓ ଭାଣିଜୀ

ରାସ୍ତାରେ ଜଣେ ବ୍ୟକ୍ତି ନିଜର ଛୋଟ ଝିଅ ଓ ଭାଣିଜୀଙ୍କୁ ନେଇ ବାଇକରେ ଯାଉଥିଲେ। ସମସ୍ତେ ହସି ହସି ରାସ୍ତାରେ ଆଗକୁ ଚାଲିଥିଲେ। ହେଲେ ଗୋଟିଏ ବୁଲାଣୀ ପାଖରେ ଘଟିଛି ଅଘଟଣ।

ହଠାତ୍‌ ମୁଣ୍ଡ ଉପରେ ଦେଇ ଯାଇଥିବା ହାଇଭୋଲଟେଜର ତାର ରାସ୍ତାରେ ଛିଣ୍ତି ପଡ଼ିଥିଲା। ଏହା ସଂସ୍ପର୍ଶରେ ଆସି ବାଇକରେ ଯାଉଥିବା ବାପା, ଝିଅ ଓ ଭାଣିଜୀ ମାତ୍ର କିଛି ସେକେଣ୍ତ ମଧ୍ୟରେ ଜୀବନ୍ତ ଜଳି ପାଉଁଶ ହୋଇଯାଇଛନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରେ ଘଟିଥିବା ଏହି ଭୟଙ୍କର ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ରବିବାର ଗୋରଖପୁରର ସୋନବର୍ଷା ମାର୍କେଟରେ ପୂରା ଘଟଣା ଘଟିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଗୋଟିଏ ବାଇକରେ ୨ ଜଣ ଛୋଟ ଝିଅଙ୍କୁ ନେଇ ଯାଉଛନ୍ତି।

ବାଇକଟି ବାମ ମୋଡ଼ ନେଉଥିବା ବେଳେ ହଠାତ୍‌ ୧୧ ହଜାର ଭୋଲ୍ଟ ହାଇ ଟେନସନ ରାସ୍ତା ମଝିରେ ଛିଡ଼ି ପଡ଼ିଥିଲା। ବାଇକ ଏହା ସଂସ୍ପର୍ଶରେ ଆସିଯିବାରୁ ସମସ୍ତେ ରାସ୍ତା କଡ଼କୁ ଛିଟିକି ହୋଇ ପଡ଼ିଥିଲେ।

ମାତ୍ର କିଛି ସେକେଣ୍ଡ ମଧ୍ୟରେ ବାଇକରେ ନିଆଁ ଲାଗିଯାଇଥିଲା। ଘଟଣା ସ୍ଥଳରେ ହିଁ ବାପା, ଝିଅ ଓ ଭାଣିଜୀ ଜୀବନ୍ତ ପୋଡ଼ି ପାଉଁଶ ହୋଇଯାଇଥିଲେ। ମାର୍କେଟରେ ପ୍ରବଳ ଭିଡ଼ ହୋଇଥିଲେ ହେଁ ବିପଦ ଆଶଙ୍କାରେ କେହି ବି ଉଦ୍ଧାର କରିବାକୁ ଆଗେଇ ଆସି ନଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

ବିଜୁଳି ବିଭାଗ ସୁପରିନଟେଣ୍ଡିଂ ଇଞ୍ଜିନିୟର ଡିକେ ସିଂହ କହିଛନ୍ତି, ତାରରେ ଗୋଟିଏ ମାଙ୍କଡ ଡିଆଁ ମାରିବାରୁ ଏତେ ବଡ଼ ଘଟଣା ଘଟିଛି। ତଥାପି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଘଟଣାରେ ବିଜୁଳି ବିଭାଗ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପ୍ରିୟଜନଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛି।