ରାସ୍ତାରେ ଯାହାକୁ ଦେଖିଲେ ହାଣିଲେ KBN ଗ୍ରୁପ୍‌

ରାସ୍ତାରେ କଡ଼ରେ ପାର୍କିଙ୍ଗ ହୋଇଥିଲା ଗାଡ଼ି ଗୁଡ଼ିକୁ ପିଟି ଭଙ୍ଗି ଦେଇଥିଲେ

ରାସ୍ତାରେ ଯାହାକୁ ଦେଖିଲେ ହାଣିଲେ KBN ଗ୍ରୁପ୍‌

ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ। ନୟାପଲ୍ଲୀ ବ୍ରିଟ୍ କଲୋନିରେ କେବିଏନ ଗ୍ରୁପ ଆତଙ୍କ ଖେଳାଇଛି। ଆଜି ସଂଧ୍ୟାରେ ଏହି ଗ୍ୟାଙ୍ଗର ସଦସ୍ୟ ଯାହାକୁ ଦେଖିଲେ ତାକୁ ହାଣିଲେ। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ଗୁରୁତର ମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ସଂଧ୍ୟାରେ ୬ଟି ବାଇକ୍‌ରେ ୧୫ରୁ ଅଧିକ ନିଶାସକ୍ତ ଯୁବକ ବ୍ରିଟ କଲୋନିରେ ପ୍ରବେଶ କରିଥିଲେ। ରାସ୍ତାରେ ଯାହାକୁ ଦେଖିଲେ, ତାକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ରାସ୍ତା କଡ଼ରେ ପାର୍କିଙ୍ଗ ହୋଇଥିବା ଗାଡ଼ି ଗୁଡ଼ିକୁ ପିଟି ଭଙ୍ଗି ଦେଇଥିଲେ। କହିବାକୁ ଗଲେ କିଛି ସମୟ ପାଇଁ ସେମାନେ ବ୍ରିଟ୍ କଲୋନିକୁ ଅକ୍ତିଆର କରିନେଇ ଥିଲେ। ଯେଉଁଥିପାଇଁ ଲୋକମାନେ ଭୟଭୀତ ହୋଇ ନିଜ ନିଜ ଘରେ ପଶି କବାଟ ଦେଇଦେଇଥିଲେ। ସେମାନଙ୍କୁ ସମ୍ମୁଖୀନ ହେବାକୁ ସାହାସ ଜୁଟାଇ ପାରିନଥିଲେ।

କେବିଏନ ଗ୍ରୁପ ଆତଙ୍କ ସମ୍ପର୍କରେ ସ୍ଥାନୀୟ ଲୋକେ କମିଶନରେଟ ପୁଲିସକୁ ଖବରଦେଇ ଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ବ୍ରିଟ କଲୋନୀରେ ପହଞ୍ଚି ଥିଲା। ସେତେବେଳକୁ ଆତଙ୍କରାଜ୍‌ ରଚି କେବିଏନ ଗ୍ରୁପ ସଦସ୍ୟମାନେ ଚମ୍ପଟ ମାରିଥିଲେ। ପୁଲିସ କେବଳ ସେମାନଙ୍କ ତାଣ୍ଡବର ଚିତ୍ର ଦେଖି ଅବାକ୍‌ ହୋଇଥିଲା। ଅଭିଯୋକ କ୍ରମେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

କେବିଏନ ଗ୍ରୁପ ଆତଙ୍କ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଆତଙ୍କ ରାଜ୍‌ ଭିଡିଓ ଭାଇରାଲ୍ କରି କେବିଏନ୍ ଗ୍ରୁପ ସଦସ୍ୟମାନେ ଗିରଫ ହୋଇଥିଲେ। ଗିରଫ ହୋଇଥିବା ଯୁବକଙ୍କ ଭିତରୁ କିଛି ବେଲ୍‌ରେ ବାହାରିଛନ୍ତି। ସେମାନେ ଏବେ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।