ରେଳ ଧାରଣାରେ କାର ଚଳାଇଲେ ଯୁବତୀ, ୪୫ ମିନିଟ ଧରି ଟ୍ରେନ ସେବା ଠପ୍‌

ରେଳ କର୍ମଚାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଦ୍ରୁତଗତିରେ କାରକୁ ଆଗକୁ ନେଇ ଚାଲିଥିଲେ। ଫଳ ସ୍ୱରୂପ ଉକ୍ତ ଟ୍ରାକରେ ଯାତାୟାତ କରିବାକୁ ଥିବା ଟ୍ରେନଗୁଡ଼ିକୁ କର୍ମଚାରୀମାନେ ଅଟକାଇବାକୁ ବାଧ୍ୟ ହୋଇଥିଲେ।

ରେଳ ଧାରଣାରେ କାର ଚଳାଇଲେ ଯୁବତୀ, ୪୫ ମିନିଟ ଧରି ଟ୍ରେନ ସେବା ଠପ୍‌

ସମସ୍ତଙ୍କୁ ଚକିତ ଓ ବେଖାତିର କରି ରେଳ ଧାରଣାରେ ଘାଇଁଘାଇଁ କରି କାର ଚଳାଇଛନ୍ତି ଜଣେ ଯୁବତୀ। ତେଲଙ୍ଗାନାର କୋଣ୍ଡାକଲ ରେଳବାଇ ଗେଟରୁ ଶଙ୍କରପାଲ୍ଲୀ ରେଳ ଟ୍ରାକରେ ଯୁବତୀ ଜଣଙ୍କ କାର ଧରି ହାଇଡ୍ରାମା କରିଛନ୍ତି। ଯୁବତୀ ଜଣଙ୍କ ରେଳ ଧାରଣାରେ କାର୍‌ ଚଳାଇବାରୁ ଗୁରୁବାର ସକାଳେ ଟ୍ରେନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୪୫ ମିନିଟ ଧରି ଉକ୍ତ ଟ୍ରାକରେ ଟ୍ରେନ ଚଳାଚଳ ପୂରା ଠପ ମଧ୍ୟ ହୋଇଯାଇଥିଲା।

ରେଳବାଇ ଅଧିକାରୀଙ୍କ କହିବା କଥା ଯେ ଯୁବତୀ ଜଣଙ୍କ ନିଜର କାରକୁ ସିଧା ଶଙ୍କରପାଲ୍ଲୀରୁ ଟ୍ରାକରେ ହାଇଦ୍ରାବାଦ ଆଡ଼କୁ ଚଳାଇବା ଆରମ୍ଭ କରିଥିଲେ। ରେଳ କର୍ମଚାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଦ୍ରୁତଗତିରେ କାରକୁ ଆଗକୁ ନେଇ ଚାଲିଥିଲେ। ଫଳ ସ୍ୱରୂପ ଉକ୍ତ ଟ୍ରାକରେ ଯାତାୟାତ କରିବାକୁ ଥିବା ଟ୍ରେନଗୁଡ଼ିକୁ କର୍ମଚାରୀମାନେ ଅଟକାଇବାକୁ ବାଧ୍ୟ ହୋଇଥିଲେ।

ଯୁବତୀଙ୍କ ଏପରି କାଣ୍ଡ ଯୋଗୁ ବେଙ୍ଗାଲୁରୁ ସମେତ ଅନ୍ୟାନ୍ୟ ସ୍ଥାନରୁ ହାଇଦ୍ରାବାଦକୁ ଆସୁଥିବା ଟ୍ରେନ ଚଳାଚଳ ବିଳମ୍ବିତ ହୋଇଛି। ପ୍ରାୟ ୪୫ ମିନିଟ ଧରି ରେଳ ଧାରଣାରେ ଟ୍ରେନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲେ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ମହିଳା ଜଣଙ୍କୁ ଅଟକାଇବା ଓ ଟ୍ରାକ୍‌କୁ କ୍ଲିୟର କରିବା ପାଇଁ ପ୍ରାୟ ୩୦ ମିନିଟ ସମୟ ଲାଗିଥିଲା। ଏହାପରେ ରେଳ ସେବା ସ୍ୱାଭାବିକ ହୋଇଥିଲା। ଯୁବତୀ ଜଣଙ୍କ ରେଳ ଧାରଣାରେ କାର ଚଳାଇବା ସହ ହାତରେ କିଛି ବିଷାକ୍ତ ଜିନିଷ ଧରିଥିଲେ। ତେଣୁ ସେ ନିଜକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଥିବାରୁ ଅଧିକାରୀମାନେ ବେଶ ସତର୍କତାର ସହ ପୂରା ସ୍ଥିତିର ମୁକାବିଲା କରିଥିଲେ।

ରେଳ ଧାରଣାରେ ଯୁବତୀଙ୍କ ହାଇଡ୍ରାମାର ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳକୁ ଆସିଥିଲା। ବେଶ କିଛି ସମୟର ପରିଶ୍ରମ ଓ ଛକାପଞ୍ଝା ପରେ ପୁଲିସ୍‌ ଯୁବତୀକୁ କାବୁ କରିଥିଲା। ଏହାପରେ ତାଙ୍କୁ କାର ସହ ଥାନାକୁ ନିଆଯାଇଛି। ପ୍ରାଥମିକ ଯାଞ୍ଚରୁ ଯୁବତୀ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି। କିନ୍ତୁ ପୁଲିସ୍‌ ସବୁ ଦିଗରୁ ଘଟଣାର ତଦନ୍ତ କରୁଥିବା କହିଛି।