ରେଳବାଇ ଥାନାରେ ଦଳିତ ମହିଳା ଓ ତାଙ୍କ ନାତିକୁ ଲେଡି ଅଫିସରଙ୍କ ପ୍ରବଳ ମାଡ଼, ସାମ୍ନାକୁ ଆସିଲା ଭିଡିଓ

ମହିଳା ଅଧିକାରୀ ଓ ଆଉ କିଛି ପୁରୁଷ ଅଧିକାରୀ ମିଳିତ ଭାବେ ଜଣେ ବୟସ୍କ ଦଳିତ ମହିଳା ଏବଂ ତାଙ୍କ ୧୫ ବର୍ଷୀୟ ନାତିଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ପିଟିଛନ୍ତି।

ରେଳବାଇ ଥାନାରେ ଦଳିତ ମହିଳା ଓ ତାଙ୍କ ନାତିକୁ ଲେଡି ଅଫିସରଙ୍କ ପ୍ରବଳ ମାଡ଼, ସାମ୍ନାକୁ ଆସିଲା ଭିଡିଓ

ରେଳ ବାଇ ପୁଲିସ୍‌ ଷ୍ଟେସନରେ ଜଣେ ମହିଳା ଅଧିକାରୀ ଓ ଆଉ କିଛି ପୁରୁଷ ଅଧିକାରୀ ମିଳିତ ଭାବେ ଜଣେ ବୟସ୍କ ଦଳିତ ମହିଳା ଏବଂ ତାଙ୍କ ୧୫ ବର୍ଷୀୟ ନାତିଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ପିଟିଛନ୍ତି। ମଧ୍ୟପ୍ରଦେଶରେ ଏପରି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଘଟଣାରେ ଜଣେ ଅଧିକାରୀଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ରେଳ ବାଇ ବୋର୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି।

କୁହାଯାଉଛି ଯେ ଭିଡିଓଟି ୨୦୨୩ ଅକ୍ଟୋବର ମାସର। ଏଥିରେ ଜବଲପୁରରେ ଥିବା କଟନି ସରକାରୀ ରେଳବାଇ ପୁଲିସ୍‌(ଜିଆରପି) ଷ୍ଟେସନର ଇନଚାର୍ଜ ଅରୁଣା ବାଗାନେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କୁସୁମ ବାନସ୍କରଙ୍କୁ ମାଡ଼ ମାରୁଛନ୍ତି। ସେ ତାଙ୍କୁ ଗୋଟିଏ ଲାଠିରେ ମାଡ଼ ମାରିବା ପରେ ତଳେ ପକାଇ ଚୁଟି ଘୋଷାଡ଼ି ଥିଲେ ଓ ଗୋଇଠା ମଧ୍ୟ ମାରିଥିଲେ।

କୁସୁମ ତଳେ ପଡ଼ି ଚିତ୍କାର କରିଥିଲେ ମଧ୍ୟ ଅରୁଣା କିଛି ବି ଶୁଣି ନଥିଲେ। ସେ ତାଙ୍କ ୧୫ ବର୍ଷୀୟ ନାତିଙ୍କୁ ମଧ୍ୟ ଲାଠିରେ ପିଟିଥିଲେ। କିଛି ସମୟ ପରେ ଥାନା ଭିତରକୁ ଆଉ କିଛି ଅଧିକାରୀ ଆସିଥିଲେ। ସେମାନେ ମିଳିତ ଭାବେ ୧୫ ବର୍ଷୀୟ ପିଲାଟିକୁ ଅତ୍ୟନ୍ତ ନର୍ମମ ଭାବେ ମାଡ଼ ମାରିଥିଲେ।

କୁସୁମଙ୍କୁ ରେଳବାଇ ଅଧିକାରୀମାନେ ପୁଅର ଠିକଣା ପଚାରି ରାତି ତମାମ ପିଟିଥିଲେ। ସେ ପାଣି ମାଗିଥିଲେ ମଧ୍ୟ ତାଙ୍କୁ କେବଳ ମାଡ଼ ମରାଯାଇଥିଲା। ପୁଲିସର କହିଥିବା କଥା ଯେ କୁସୁମଙ୍କ ପୁଅ ଜଣେ ମୋଷ୍ଟୱାଣ୍ଟେଡ ଅପରାଧୀ।

ମହିଳା ଜଣଙ୍କ ଘଟଣା ସମ୍ପର୍କରେ କହିଛନ୍ତି ଯେ “ପୁଲିସ୍‌ ମୋତେ ଉଠାଇ ନେଇଥିଲା। ମୋତେ ବରିଷ୍ଠ ଅଧିକାରୀ ଡାକୁଥିବା କୁହାଯାଉଥିଲା। ସେଠାରେ ମୋତେ ମୋ ପୁଅ କେଉଁଠି ବୋଲି ପଚରା ଯାଇଥିଲା। ମୁଁ ଜାଣି ନାହିଁ ବୋଲି ସେମାନଙ୍କୁ କହିଥିଲି। ମୋ ପୁଅକୁ ଆପଣମାନେ ଧରନ୍ତୁ। ମାଡ଼ ମାରନ୍ତୁ ଓ ଯାହା କରିବାର ଅଛି କରନ୍ତୁ ବୋଲି କହିଥିଲି। 

ହେଲେ ସେମାନେ କିଛି ବି ଶୁଣି ନଥିଲେ। କବାଟ ଓ ଝରକା ବନ୍ଦ କରି ମୋତେ ପ୍ଲାଷ୍ଟିକ ପାଇପରେ ପିଟି ଚାଲିଥିଲେ। ମହିଳା ଅଧିକାରୀ ଜଣଙ୍କ ମୋତେ ତଳେ ପକାଇ ଗୋଇଠା ମାରିଥିଲେ। ମୋତେ ରାତି ସାରା ମାଡ଼ ମରାଯାଇଛି। ମୁଁ ଯେତେବେଳେ ପାଣି ମାଗୁଥାଏ। ମୋତେ ମାଡ଼ ମରାଯାଉଥିଲା। ମୋ ସହିତ ନାତି ଥିଲା। ତା’କୁ ମଧ୍ୟ ଅନ୍ୟତ୍ର ଉଠାଇ ନେଇ ମାଡ଼ ମରାଯାଇଛି।”

ଘଟଣାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ବିବାଦ ଘେରର ଥିବା ଅରୁଣାଙ୍କ କହିବା କଥା ଯେ ମହିଳାଙ୍କ ପୁଅ ଦୀପକ ନାଁରେ ୧୯ଟି ମାମଲା ରହିଛି। ତା’କୁ ରେଳ ବାଇ ପୁଲିସ ଖୋଜୁଥିଲା। ତା’ ମୁଣ୍ଡ ଉପରେ ୧୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।

ଚୋରି ମାମଲାରେ ତା’କୁ ପୂରା ପରିବାର ସହଯୋଗ କରନ୍ତି। ତେଣୁ ପରିବାର ଲୋକଙ୍କୁ ଜେରା ପାଇଁ ଡକା ଯାଇଥିଲା। ଘଟଣା ପରେ ଦୀପକ ଗିରଫ ହୋଇଛି ଓ ଏବେ ଜେଲରେ ରହିଥିବା ସେ ସୂଚନା ଦେଇଛନ୍ତି।

ବିବାଦ ଘନଉଥିବାରୁ ଜବଲପୁର ରେଳବାଇ ପୁଲିସ୍‌ ସୁପରିନଟେଡେଣ୍ଟ(ଏସ୍‌ଆରପି) କହିଛନ୍ତି ଯେ ଷ୍ଟେସନ ଇନଚାର୍ଜଙ୍କୁ ନିଲମ୍ବିତ କରାଯାଇଛି। ସୁପରିନଟେଣ୍ଡେଣ୍ଟ ଅଫ ପୁଲିସ୍‌ ଅଧୀନରେ ଘଟଣାର ତଦନ୍ତ କରାଯାଉଛି।

କଟନିର ଅତିରିକ୍ତ ଏସ୍‌ପି ସନ୍ତୋଷ ସେହରିଆଙ୍କ କହିବା କଥା ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଆରମ୍ଭ କରାଯିବ।