ଲାଇନଚ୍ୟୁତ ହେଲା ଚାରମିନାର ଏକ୍ସପ୍ରେସ୍‌, ୬ ଆହତ

ଟ୍ରେନ୍‌ଟି ଆଂଶିକ ରୂପେ ପ୍ଲାଟଫର୍ମର କାନ୍ଥରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି।

ଲାଇନଚ୍ୟୁତ ହେଲା ଚାରମିନାର ଏକ୍ସପ୍ରେସ୍‌, ୬ ଆହତ

ପୁଣି ଟ୍ରେନ୍‌ ଦୁର୍ଘଟଣା। ଲାଇନ୍‌ଚ୍ୟୁତ ହେଲା ଚାର୍‌ମିନାର ଏକ୍ସପ୍ରେସ। ତେଲେଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେସନରେ ଚାରମିନାର ଏକ୍ସପ୍ରେସର ତିନୋଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଟ୍ରେନ୍‌ଟି ଆଂଶିକ ରୂପେ ପ୍ଲାଟଫର୍ମର କାନ୍ଥରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି।

ଦକ୍ଷିଣ କେନ୍ଦ୍ରୀୟ ରେଳପଥର ପିଆରଓ ରାକେଶ କହିଛନ୍ତି ଯେ ଏହି ଘଟଣା ପୂର୍ବାହ୍ନ ପ୍ରାୟ ୯ ଟାରେ ଘଟିଛି। ଏହି ରେଳ ଷ୍ଟେସନ ହେଉଛି ଏକ ଟର୍ମିନାଲ ଷ୍ଟେସନ, ଯେଉଁଠାରେ ଟ୍ରେନ ଅଟକିଥାଏ। ତେବେ ଏହି ଟ୍ରେନଟି ସେଠାରେ ଅଟକିବାର ଥିଲା, କିନ୍ତୁ ଏହା ସେଠାରେ ଅଟକି ନ ଥିଲା ବରଂ ଆଗକୁ ବଢ଼ି ଯାଇଥିଲା। ଯେଉଁଥିପାଇଁ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଘଟଣାରେ ଟ୍ରେନର ଗେଟ୍ ପାଖରେ ଠିଆ ହୋଇଥିବା ୬ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ଲାଗି ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଟ୍ରେନ୍‌ ଲାଇନଚ୍ୟତ ହେବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କିଭଳି ଟ୍ରେନ୍‌ଟି ଏକ କାନ୍ଥରେ ଧକ୍କା ହେବା ପରେ ତିନି ବଗି ରେଳ ଟ୍ରାକ୍‌ରୁ ଲାଇନଚ୍ୟୁତ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳ ବିଭାଗ ନିରନ୍ତର କାମ କରୁଛି। ରେଳବାଇ ଅନୁଯାୟୀ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇରେ ୧୪୬୫ ରୁଟ କିମି ଏବଂ ତିନୋଟି ବିଭାଗରେ ୧୩୯ ଲୋକୋମୋଟିରେ କବଚ ସିଷ୍ଟମ କାର୍ଯ୍ୟକ୍ଷମ ହୋଇସାରିଛି। ତଥାପି, ଗତି ପ୍ରତିବନ୍ଧକ ଯୋଗୁଁ ସେହି ମାର୍ଗରେ ପରୀକ୍ଷା କରାଯାଇପାରି ନାହିଁ। ଦିଲ୍ଲୀ-ଆଗ୍ରା ବିଭାଗ ବ୍ୟତୀତ ଭାରତର ସମସ୍ତ ରେଳ ନେଟୱାର୍କରେ ଘଣ୍ଟା ପ୍ରତି ସର୍ବାଧିକ ୧୩୦ କିଲୋମିଟର ବେଗରେ ଟ୍ରେନ ଚଳାଚଳ କରୁଛି ବୋଲି ରେଳ ଅଧିକାରୀ କହିଛନ୍ତି।