ସିଗାରେଟ୍‌ ଟାଣୁଥିଲେ ୨ ଯୁବତୀ, ଚାହିଁବାରୁ ଯୁବକଙ୍କୁ ଛୁରୀ ଭୁଷି ଦେଲେ

ପୁଲିସ ଦୁଇ ଯୁବତୀ ଜୟଶ୍ରୀ ଓ ସବିତାଙ୍କୁ ଗିରଫ କରିଛି।

ସିଗାରେଟ୍‌ ଟାଣୁଥିଲେ ୨ ଯୁବତୀ, ଚାହିଁବାରୁ ଯୁବକଙ୍କୁ ଛୁରୀ ଭୁଷି ଦେଲେ

ସିଗାରେଟ୍‌। ଏହାକୁ ଟାଣିବା ଆଜିକାଲି ଏକ ପ୍ରକାର ଟ୍ରେଣ୍ଡ ପାଲଟିଛି। ଅଧିକାଂଶ ଯୁବକଙ୍କ ଠାରୁ ଆରମ୍ଭ କରି ଯୁବତୀ ସିଗାରେଟ୍‌ ଟାଣିବା ଏକ ଫ୍ୟାଶନ ବୋଲି ଭାବନ୍ତି। ଏବେ ଏହି ସିଗାରେଟ୍‌ ଟାଣିବାକୁ ନେଇ ଘଟିଛି ଜଘନ୍ୟ କାଣ୍ଡ। ସିଗାରେଟ୍ ଟାଣୁଥିବା ଦୁଇ ଜଣ ଯୁବତୀଙ୍କୁ ଚାହିଁବାରୁ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି।

ମହାରାଷ୍ଟ୍ରର ନାଗପୁରର ମହାଲକ୍ଷ୍ମୀନଗର ଅଞ୍ଚଳ। ଶନିବାର ବିଳମ୍ବିତ ରାତିରେ ଏଠାକାର ଫେମସ୍‌ ଲକ୍ଷ୍ମଣ ତାଓ୍ୱଡେ ପାନ ଦୋକାନକୁ ଦୁଇ ଜଣ ଯୁବତୀ ଜୟଶ୍ରୀ(୩୦) ଓ ସବିତା(୨୪) ଆସି ସିଗାରେଟ୍‌ ଟାଣିଥିଲେ। ତେବେ ଏହି ସମୟରେ ପୂର୍ବରୁ ଏଠାରେ ସିଗାରେଟ୍‌ ଟାଣୁଥିବା ରଞ୍ଜିତ ରାଠୋର ଉଭୟ ଯୁବତୀଙ୍କୁ ଆଶ୍ଚର୍ଯ୍ୟ ଚକିତ ହୋଇ ଗାଡେଇ ଚାହିଁଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା।

ପ୍ରଥମେ ଜୟଶ୍ରୀ ରଞ୍ଜିତଙ୍କ ମୁହଁ ଉପରକୁ ସିଗାରେଟ୍‌ ଟାଣି ଧୂଆଁ ଛାଡିଥିଲେ। ଏହାପରେ କାହିଁକି ଏଭଳି ଚାହୁଁଛ ବୋଲି ଯୁବକଙ୍କୁ ସେ ପ୍ରଶ୍ନ କରିଥିଲେ। ବାସ୍‌ ଏତିକିରେ ଉଭୟଙ୍କ ମଧ୍ୟରେଆରମ୍ଭ ହୋଇଥିଲା ବିବାଦ। ଏହାପରେ ରଞ୍ଜିତ ଫୋନ୍ ବାହାର କରି ତାଙ୍କ ସହ ଦୁର୍ବ୍ୟବହାର କରି କଥା ହେଉଥିବା ଜୟଶ୍ରୀଙ୍କ ଭିଡିଓ ରେକର୍ଡ କରିବାକୁ ଲାଗିଥିଲେ। ଏହାକୁ ନେଇ ଦୁଇ ଯୁବତୀ ରାଗି ଯାଇଥିଲେ। ପରେ ସେମାନେ ଫୋନ୍‌ କରି ନିଜର ଦୁଇ ପୁରୁଷ ସାଙ୍ଗକୁ ଡାକିଥିଲେ। ସେମାନେ ଆସି ରଞ୍ଜିତ ସହ ପାଟିତୁଣ୍ଡ କରିବା ସହ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ଆକ୍ରମଣ ପରେ ଦୁଇ ଜୟଶ୍ରୀ ଓ ସବିତା ନିଜର ଦୁଇ ବନ୍ଧୁଙ୍କ ସହ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରଞ୍ଜିତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ରଞ୍ଜିତଙ୍କ ଫୋନ୍‌ ଯାଞ୍ଚ ବେଳେ ସେଠାରେ ଥିବା ଭିଡିଓରୁ ଏସବୁ ଘଟଣା ସାମ୍ନାକୁ ଆସିଛି।

ପୁଲିସ ଉକ୍ତ ଭିଡିଓ ଓ ସେଠାକାର ସିସିଟିଭି ଫୁଟେଜ ଆଧାରରେ ଦୁଇ ଯୁବତୀ ଜୟଶ୍ରୀ ଓ ସବିତାଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପୁଲିସ ଖୋଜୁଥିବା ବେଳେ ମାମଲାର ତଦନ୍ତ ଜାରି ରଖିଛି। ୨୮ ବର୍ଷିୟ ମୃତ ରଞ୍ଜିତ ରାଠୋର୍‌ ଜଣେ କିରାଣୀ ଦୋକାନୀ ଥିଲେ ଏବଂ ପୋଷାକ ମଧ୍ୟ ବିକ୍ରି କରୁଥିଲେ। ତାଙ୍କର ୪ଟି ପିଲା ମଧ୍ୟ ଅଛନ୍ତି।