ଲାଇନ୍‌ଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍‌, ଯାତ୍ରୀ ଛାନିଆ

ଟ୍ରେନ୍‌ ଅଟକିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।

ଲାଇନ୍‌ଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍‌, ଯାତ୍ରୀ ଛାନିଆ

ପୁଣି ଟ୍ରେନ୍‌ ଦୁର୍ଘଟଣା। ଲାଇନ୍‌ଚ୍ୟୁତ୍‌ ହେଲା ଯାତ୍ରୀବାହୀ ଟ୍ରେନ୍‌। ତାମିଲନାଡୁର ଭିଲ୍ଲୁପୁରମ୍‌ ରେଲଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ର ୫ ବଗି ଡିରେଲ୍‌ ହୋଇଛି। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହା ବର୍ତ୍ତି ଯାଇଛି। ଲାଇନଚ୍ୟୁତ ହେବାର ଶଦ୍ଧଶୁଣି ପାଇଲଟ୍‌ ତୁରନ୍ତ ଟ୍ରେନ୍‌କୁ ଅଟକାଇ ଦେଇଛନ୍ତି।

ରେଲଓ୍ୱେ ଅଧିକାରୀଙ୍କ ସୂଚନା ମୁତାବକ, ଆଜି ଭୋର ୫ଟା ବେଳେ ଭିଲ୍ଲୁପୁରମ୍‌ରୁ ପୁଡୁଚେରୀ ଯାଉଥିବା ଏକ ପାସେଞ୍ଜର ଟ୍ରେନ୍‌ର ୫ ବଗି ଭିଲ୍ଲୁପୁର ରେଲଓ୍ୱେ ଷ୍ଟେସନ ନିକଟରେ ଡିରେଲ୍‌ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଟ୍ରେନ୍‌ ଅଟକିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।

ରେଳ କର୍ମଚାରୀ ଏବଂ ଇଞ୍ଜିନିୟର୍ସମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍ ମରାମତି ପାଇଁ କାର୍ଯ୍ୟ କରୁଛନ୍ତି। ତେବେ ଟ୍ରାକ୍‌ରେ ବଗିଗୁଡିକ ଠିଆ ହୋଇଥିବା ଲାଗି ଏହି ରୁଟ୍‌ ଦେଇ ଅନ୍ୟ ଟ୍ରେନ୍‌ ଚଳାଚଳରେ ବିଳମ୍ବ ହୋଇଛି। କଠିନ ପରିଶ୍ରମ ପରେ ରେଳ କର୍ମଚାରୀମାନେ ଅନ୍ୟ ଟ୍ରେନ୍ ପାଇଁ ରାସ୍ତା ସଫା କରିଛନ୍ତି।

ତେବେ ଯାନ୍ତ୍ରିକ ତ୍ରୁଟି ନାଁ ଅନ୍ୟ କେଉଁ କାରଣ ଯୋଗୁ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି ସେ ନେଇ ତଦନ୍ତ ଜାରି ରହିଛି। ଭିଲ୍ଲୁପୁରମ୍ ରେଳ ପୁଲିସ ମଧ୍ୟ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି।