ଲାଞ୍ଚ ନେଇ ଗିରଫ ହେଲେ ଆଇସିଡିଏସ୍ ସୁପରଭାଇଜର

୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୫ ହଜାର ପୂର୍ବରୁ ନେଇଥିଲେ। ଆଜି ଆଉ ୫ ହଜାର ନେଉଥିବା ବେଳେ ଧରାପଡ଼ିଲେ।

ଲାଞ୍ଚ ନେଇ ଗିରଫ ହେଲେ ଆଇସିଡିଏସ୍ ସୁପରଭାଇଜର

ଲାଞ୍ଚ ନେଇ ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଆଇସିଡିଏସ୍ ସୁପରଭାଇଜର ଶୈଳବାଳା ସାହୁ। ଜଣେ ଅଙ୍ଗନବାଡି କର୍ମୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଫୁଲବାଣୀ ଭିଜିଲାନ୍ସ ଟିମ୍ ଗିରଫ କରିଛି। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଫୁଲବାଣୀ ଭିଜିଲାନ୍ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତି ଦେଇଥିବା ସୂଚନା ଅନୁସାରେ, ସଲାଗୁଡ଼ା ପଞ୍ଚାୟତର ମୁର୍ଜା ଗ୍ରାମ ସ୍ଥିତ ମିନି ଅଙ୍ଗନବାଡି କେନ୍ଦ୍ରକୁ ଅତିରିକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଣତ କରିଥିବା ଦର୍ଶାଇ ଅଙ୍ଗନବାଡି କର୍ମୀ ପ୍ରେମଶିଳା କହଁରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଶୈଳବାଳା ସାହୁ। ପୂର୍ବରୁ ସେ ୫ ହଜାର ଟଙ୍କା ନେଇଥିବା ବେଳେ ଆଜି ଆଉ ୫ ହଜାର ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ।

ଆଇସିଡିଏସ୍ ସୁପରଭାଇଜର ଶୈଳବାଳା ସାହୁ ଲାଞ୍ଚ ମାଗିଥିବା ନେଇ ଅଙ୍ଗନବାଡି କର୍ମୀ ସଲାଗୁଡ଼ା ସରପଞ୍ଚ ରୋହିତ କହଁରଙ୍କୁ ଜଣାଇଥିଲେ। ଏହା ପରେ ସରପଞ୍ଚ ଏ ସଂପର୍କରେ ଫୁଲବାଣୀ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଯୋଜନା ଅନୁସାରେ ଅଙ୍ଗନବାଡି କର୍ମୀ ପ୍ରେମଶିଳା କହଁର ଆଜି ସମ୍ପୃକ୍ତ ଆଇସିଡିଏସ୍‌ ସୁପରଭାଇଜର ଶୈଳବାଳା ସାହୁଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ଠିକ୍ ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍‌ ଶୈଳବାଳାଙ୍କୁ ଧରିବା ସହିତ ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରିଥିଲେ।

ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ