ଲେଖିଲେ ୫୦ ହଜାର, ଦେଲେ ୫ ହଜାର

ଭୁବନେଶ୍ୱର,୧୮।୯(ଅନିଲ ଦାସ):କେନ୍ଦ୍ର ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ନୁହେଁ, ଅବହେଳା କରିଥିବା ବିଜେଡି ଅଭିଯୋଗ କରିଛି।  ଶଙ୍ଖଭବନରେ ଆୟୋଜିତ   ଖବରଦାତା ସମ୍ମିଳନୀରେ ବିଜେଡିର  ବରିଷ୍ଠ ନେତା ତଥା  ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ବକ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଦାସବର୍ମା କହିଛନ୍ତି, ଓଡ଼ିଶାରୁ ଭାଜପା ସରକାର ୨୧ରୁ ୨୦ […] The post ଲେଖିଲେ ୫୦ ହଜାର, ଦେଲେ ୫ ହଜାର appeared first on Dharitri Odia News.

ଲେଖିଲେ ୫୦ ହଜାର, ଦେଲେ ୫ ହଜାର
ଭୁବନେଶ୍ୱର,୧୮।୯(ଅନିଲ ଦାସ):କେନ୍ଦ୍ର ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ନୁହେଁ, ଅବହେଳା କରିଥିବା ବିଜେଡି ଅଭିଯୋଗ କରିଛି।  ଶଙ୍ଖଭବନରେ ଆୟୋଜିତ   ଖବରଦାତା ସମ୍ମିଳନୀରେ ବିଜେଡିର  ବରିଷ୍ଠ ନେତା ତଥା  ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳରେ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଇଥିବା ବକ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।
ଦାସବର୍ମା କହିଛନ୍ତି, ଓଡ଼ିଶାରୁ ଭାଜପା ସରକାର ୨୧ରୁ ୨୦ ଏମ୍‌ପି ହାସଲ କରିଥିବା ବେଳେ ଚଳିତ ବଜେଟରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଆଭିମୁଖ୍ୟ ନୈରାଶ୍ୟଜନକ। ବିହାରକୁ ୨୬ ହଜାର କୋଟି ଓ ଆନ୍ଧ୍ର ପ୍ରଦେଶକୁ ୧୬ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଅନୁଦାନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ସ୍ପଷ୍ଟ ଦେଖାଯାଉଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ପୂର୍ବାଞ୍ଚଳ କାଉନସିଲ୍‌ ବୈଠକରେ କୋଇଲା ରୟାଲଟି ସଂଶୋଧନ କରି ୧୪%ରୁ ୨୦% କରିବା ପାଇଁ ଦାବି କରିଆସିଛନ୍ତି। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ୩ ବର୍ଷରେ ରୟାଲଟି ସଂଶୋଧନ ହେବାର ଥିଲା ବେଳେ ଏହାକୁ ଅଣଦେଖା କରାଯାଇଛି। ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଚଳିତ ବର୍ଷ ଜୁଲାଇ ୨୫ରେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ସରକାର ରାଜ୍ୟର ଖଣିଜ ଅଞ୍ଚଳ ଓ ଖଣିଜ ସମ୍ପଦ ଉପରେ ସେସ୍‌ ଓ ଟିକସ ଲଗାଇ ପାରିବେ  ଏବଂ ୨୦୦୫ଠାରୁ ଏ ପର୍ଯ୍ୟନ୍ତ ବକେୟା ରାଜସ୍ବ ଖଣି ମାଲିକଙ୍କଠାରୁ ବିନା ସୁଧରେ ଆଦାୟ କରିପାରିବେ। ଓଡ଼ିଶାରେ ଦେଶର ସମୁଦାୟ ଖଣିଜ ଉପତ୍ାଦନର ୫୦ ଭାଗରୁ ଊର୍ଦ୍ଧ୍ୱ ଥିଲାବେଳେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଓଡ଼ିଶା ସରକାର ବକେୟା ଦେୟ ବାବଦରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଖଣିଜ ସେସ୍‌ରୁ ଅତିକମ୍‌ରେ ୫୦ ହଜାର କୋଟି ଟଙ୍କା ପାଇପାରିବେ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାର ପୁନର୍ବିଚାର ସକାଶେ ଆବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ଯୋଗୁ ଓଡ଼ିଶା ସବୁଠାରୁ ଅଧିକ କ୍ଷତି ସହିବ। ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ଭାଜପା ଏମ୍‌ପି ତୁରନ୍ତ  ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରି କେନ୍ଦ୍ର ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିଭ୍ୟୁ ପିଟିଶନକୁ ପ୍ରତ୍ୟାହାର କରନ୍ତୁ ଏବଂ ଓଡ଼ିଶାର ଦୀର୍ଘ ଦିନର ଦାବି ପୂରଣରେ ସହାୟକ ହୁଅନ୍ତୁ ବୋଲି ଦାସବର୍ମା କହିଛନ୍ତି।
ସେହିପରି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପ୍ରଦାନ କରିଥିବା ଚେକ୍‌ରେ ବଡ଼ ବଡ଼ ଅକ୍ଷରରେ ୫୦ ହଜାର ଟଙ୍କା ଲେଖା ଯାଇଥିବା ବେଳେ ତଳେ ଛୋଟ ଅକ୍ଷରରେ ୫ ବର୍ଷରେ ପାଇବେ ବୋଲି ଲେଖାଯାଇଛି।  ଦେଲେ ୫ ହଜାର, ଲେଖିଲେ ୫୦ ହଜାର। ୫ ହଜାର ଦେଇ ୫୦ ହଜାର ଲେଖିବାର ଅଭିପ୍ରାୟ ପ୍ରତାରଣା ନୁହେଁ ତ ଆଉ କ’ଣ ବୋଲି ଛୁରିଆ ପ୍ରଶ୍ନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଲାଭବାନ ହେବେ ବୋଲି କହିଛନ୍ତି, ଯାହାର ଅର୍ଥ ରାଜ୍ୟର ପ୍ରାୟ ୨ କୋଟି ମହିଳାଙ୍କ ଭିତରୁ ଅଧିକାଂଶ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିିତ ହେବେ ବୋଲି ସ୍ପଷ୍ଟ ହୋଇଯାଇଛି। ସେହିପରି ଅଙ୍ଗନଓ୍ବାଡ଼ି, ଆଶାକର୍ମୀ, ସିଆର୍‌ପି, ଏମ୍‌ବିକେ ଭାବେ କାର୍ଯ୍ୟରତ ମହିଳାମାନେ ଏହି ଯୋଜନାରୁ ସୁଫଳ ପାଇବେ କି ନାହିଁ ତାହା ଏ ପର୍ଯ୍ୟନ୍ତ  ସ୍ପଷ୍ଟ ହୋଇନାହିଁ। ଗୋଟିଏ ପଟେ ଏହି ମହିଳାମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇ ଥିଲେ ହେଁ ସୁଭଦ୍ରାର ନିର୍ଦ୍ଦେଶାବଳୀରେ ମାସିକ ୧୫୦୦ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାରକ୍ଷମ ମହିଳାମାନେ ଯୋଗ୍ୟ ନୁହନ୍ତି ବୋଲି ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାରେ ଏମାନଙ୍କର ଭୂମିକା ରହିଛି। ତେଣୁ ଯଦି ସେମାନେ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚତ୍ତ ହୁଅନ୍ତି, ତା’ହେଲେ ଏହା ତାଙ୍କ ପ୍ରତି ପ୍ରଚାରଣା ସଦୃଶ। ସରକାର ଏ ବିଷୟକୁ ତୁରନ୍ତ ସ୍ପଷ୍ଟ କରନ୍ତୁ। ନଚେତ୍‌  ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

The post ଲେଖିଲେ ୫୦ ହଜାର, ଦେଲେ ୫ ହଜାର appeared first on Dharitri Odia News.