ଲୋକନୃତ୍ୟକୁ ପୁନରୁଦ୍ଧାର କରିବାକୁ ପ୍ରୟାସ : ଖୁବ୍‌‌ଶୀଘ୍ର ସବୁ ଜିଲ୍ଲାରେ ଖୋଲିବ ଡ୍ୟାନ୍ସ ସ୍କୁଲ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହାଦ୍ୱାରା ଜିଲ୍ଲାର ୩୦ଜଣ କଳାକାର ବର୍ଷତମାମ ପ୍ରଶିକ୍ଷଣ ପାଇବେ। ୨ଜଣ ଦକ୍ଷ ଗୁରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବେ। ଏଥିପାଇଁ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଫଳରେ ସେହି ଜିଲ୍ଲାର କଳାକାରମାନେ ଆର୍ଥିକ ସହାୟତା ପାଇବା ସହ ଉକ୍ତ କଳାକୁ ଆପଣେଇବା ପାଇଁ ସେମାନଙ୍କ ମଧ୍ୟରେ ଇଚ୍ଛାଶକ୍ତି […]

ଲୋକନୃତ୍ୟକୁ ପୁନରୁଦ୍ଧାର କରିବାକୁ ପ୍ରୟାସ : ଖୁବ୍‌‌ଶୀଘ୍ର ସବୁ ଜିଲ୍ଲାରେ ଖୋଲିବ ଡ୍ୟାନ୍ସ ସ୍କୁଲ
dance schools will open Soon in all districts ok odisha

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହାଦ୍ୱାରା ଜିଲ୍ଲାର ୩୦ଜଣ କଳାକାର ବର୍ଷତମାମ ପ୍ରଶିକ୍ଷଣ ପାଇବେ। ୨ଜଣ ଦକ୍ଷ ଗୁରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବେ। ଏଥିପାଇଁ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଫଳରେ ସେହି ଜିଲ୍ଲାର କଳାକାରମାନେ ଆର୍ଥିକ ସହାୟତା ପାଇବା ସହ ଉକ୍ତ କଳାକୁ ଆପଣେଇବା ପାଇଁ ସେମାନଙ୍କ ମଧ୍ୟରେ ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଆଗାମୀ ଦିନରେ ନୂତନ ପିଢ଼ି ନିଜକୁ ଏ ଦିଗରେ ପ୍ରସ୍ତୁତ କରାଇ ପାରିବେ। ହଜି ଯାଉଥିବା ଲୋକକଳା ଓ ଲୋକନୃତ୍ୟର ପୁନରୁଦ୍ଧାର ନିମନ୍ତେ ଏକାଡେମୀ ପକ୍ଷରୁ ଏହି ଯୋଜନା କରାଯାଇଛି।

ଲୋକନୃତ୍ୟ ହେଉଛି ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ। ପୂର୍ବରୁ ପର୍ବପର୍ବାଣିରେ ପାଲା, ଦାସକାଠିଆ, ଘୋଡ଼ା ନାଚ, ସଖୀ କଣ୍ଢେଇ ନୃତ୍ୟ, ଦଣ୍ଡ ନାଚ, କରମା ନାଚ, ରସରକେଲି ଆଦି ପାରମ୍ପରିକ ଲୋକନୃତ୍ୟର ଚାହିଦା ରହିଥିବା ବେଳେ ଧୀରେଧୀରେ ଏହା ଅପସରି ଗଲାଣି। ସେହିପରି ନାଗା ନାଚ, ଶୁଆ ନାଚ, ଡାଲଖାଇ, ମୁଣ୍ଡପୋତା, ଖରିଆ, ବାଉଁଶରାଣୀ ଆଦି ଲୋକନୃତ୍ୟ ଏବେ ପ୍ରାୟ ଲୁପ୍ତପ୍ରାୟ। ତେବେ ବିଦେଶରେ ଗଞ୍ଜାମର ଯୋଡ଼ିଶଙ୍ଖ, ଖୋର୍ଦ୍ଧାର ପାଇକ ଆଖଡ଼ା, କଳାହାଣ୍ଡିର ଘୁମୁରା, ମୟୂରଭଞ୍ଜର ଛଉ, ସମ୍ୱଲପୁରର ସମ୍ୱଲପୁରୀ, ଜଗତସିଂହପୁରର ଘଣ୍ଟ ପାଟୁଆ, ନୟାଗଡ଼ର଼ ସିଂହ ବାଦ୍ୟ, କେନ୍ଦୁଝରର ଚାଙ୍ଗୁ ନୃତ୍ୟ, ଗଜପତିର ସଉରା ନାଚ, ବ୍ରହ୍ମପୁରର ଚଢ଼େୟା-ଚଢ଼େୟାଣୀ, ଦେଓଗଡ଼ର କରମାନାଚ, ନୂଆପଡ଼ାର ଗନାବାଜା, ଝାରସୁଗୁଡ଼ାର ଡାଲଖାଇ ନୃତ୍ୟ ବିଶେଷ ଲୋକପ୍ରିୟତା ହାସଲ କରିଛି। ତଥାପି କିଛି ଲୋକନୃତ୍ୟ ଏବେ ବି ବିଲୁପ୍ତପ୍ରାୟ। ଧୀରେଧୀରେ ସମୟର ପରିବର୍ତ୍ତନ ଓ ଆଧୁନିକତାର ଛାପରେ ଏହି ଲୋକନୃତ୍ୟ ଲୋକପ୍ରିୟତା ହରାଉଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଏହି କ୍ରମରେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ କୋରାପୁଟ, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଖୋଲିବ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର। କୋରାପୁଟ ଜିଲ୍ଲାରେ ଢେମ୍‌‌ସା ନୃତ୍ୟକୁ ଅଧିକ ଲୋକାଦୃତ କରିବା ସହ ସମ୍ବଲପୁରରେ ଡାଲଖାଇ ଏବଂ ଭଦ୍ରକ ଜିଲ୍ଲାରେ ମୋଗଲ ତାମସାକୁ ନେଇ ପ୍ରଶିକ୍ଷଣ କେନ୍ଦ୍ରରେ ନୃତ୍ୟ ପ୍ରଶିକ୍ଷଣ ଦେବେ ୨ଜଣ ଗୁରୁ। ଏଥିପାଇଁ ସରକାର ସମସ୍ତ ଆର୍ଥିକ ସହାୟତା ଯୋଗାଇଦେବେ। ସେହିପରି ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ୩୦ଟି ଆର୍ଟ ଫର୍ମକୁ ନେଇ ପ୍ରଶିକ୍ଷ କେନ୍ଦ୍ର ଖୋଲାଯିବାର ମଧ୍ୟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଯୋଜନା କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି। ସେହି ଲୋକକଳା କିଭଳି ଉକ୍ତ ଜିଲ୍ଲାର ପରିଚୟ ପାଲଟିବ, ସେଥିପାଇଁ ଏକାଡେମୀ ଉଦ୍ୟମ କରୁଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ କହିଛନ୍ତି।

ଶ୍ରୀ ରଥ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଏକାଡେମୀରେ ନିର୍ମାଣ ହୋଇଛି ଫୋକ୍‌‌ କରିଡର୍‌ ବା ଲୋକକଳା କରିଡର୍‌‌। ଓଡ଼ିଶାରେ ମୋଟ୍‌‌ ୧୮୨ଟି ଲୋକକଳା ରହିଥିବା ବେଳେ ସେଥିମଧ୍ୟରୁ ଏହି ଫୋକ୍‌‌ କରିଡର୍‌ରେ ୭୫ଗୋଟି ଲୋକକଳାକୁ ସାମିଲ କରାଯାଇଛି। ଆଗାମୀ ଦିନରେ ଓଡ଼ିଶାର ସମସ୍ତ ଲୋକକଳା ଓ ଲୋକନୃତ୍ୟକୁ ଏହି କରିଡର୍‌ରେ ସାମିଲ କରାଯିବ। ଏହାସହ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଡ୍ୟାନ୍ସ ସ୍କୁଲ ଖୋଲାଯିବ। ବର୍ତ୍ତମାନ ‘ଦିକ୍ଷାଶାଳା’ ମାଧ୍ୟମରେ ୧୫ରୁ ୩୦ଜଣ କଳାକାରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଓଡ଼ିଶୀ ନୃତ୍ୟ କିଭଳି ଉପାନ୍ତ ଅଞ୍ଚଳରେ ଲୋକପ୍ରିୟତା ହାସଲ କରିବ ସେଥିପାଇଁ ଦକ୍ଷ ଗୁରୁମାନେ ଜିଲ୍ଲାକୁ ଯାଇ ସେଠାରେ ୱାର୍କସପ୍‌‌ ମାଧ୍ୟମରେ ପ୍ରଶିକ୍ଷଣ ଦେଉଛନ୍ତି। ଏହାବ୍ୟତୀତ ଆଦିବାସୀ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହନ ଦିଆଯାଉଛି। ଏହା ମାଧ୍ୟମରେ କଳାକାରମାନେ ସିଧାସଳଖ ସରକାରଙ୍କ ଠାରୁ ସହାୟତା ପାଇ ପାରୁଛନ୍ତି।