ଲୋକସଭା ପ୍ରାର୍ଥୀକୁ ନେଇ କେନ୍ଦୁଝର କଂଗ୍ରେସରେ ବିଦ୍ରୋହ, ଇସ୍ତଫା ଦେଲେ ଜିଲ୍ଲା ସଭାପତି
କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ପିସିସି ସମ୍ପୂର୍ଣ୍ଣ ଅଣଦେଖା ଏବଂ ଅବହେଳା କରିଥିବା ଅଭିଯୋଗ କରି ସେମାନେ ପଦ ଛାଡିଥିବା ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି।
କେନ୍ଦୁଝରରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଦଳରେ ବିଦ୍ରୋହ । ଗତକାଲି କେନ୍ଦୁଝର ଲୋକସଭା ଆସନ ପାଇଁ ଦଳ ମୋହନ ହେମ୍ବ୍ରମଙ୍କ ନାଁ ଘୋଷଣା କରିଥିଲା । ହେଲେ ତାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ନିଜ ପଦରୁ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ସେମାନେ ଇସ୍ତଫା ପତ୍ର ପଠାଇଛନ୍ତି ।
କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ପିସିସି ସମ୍ପୂର୍ଣ୍ଣ ଅଣଦେଖା ଏବଂ ଅବହେଳା କରିଥିବା ଅଭିଯୋଗ କରି ସେମାନେ ପଦ ଛାଡିଥିବା ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପ୍ରର୍ଥୀ ଚୟନ ବେଳେ ଜିଲ୍ଲାର ଦୁଇ ଜଣ ପୂର୍ବତନ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କ ସହ ଆଲୋଚନା କରାଯାଇନାହିଁ । ଏପରିକି ଜିଲ୍ଲା କଂଗ୍ରେସ କମିଟି ସୁପାରିଶ କରିଥିବା ନେତାଙ୍କୁ ମଧ୍ୟ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ନିୟମକୁ ଫୁ’ କରି ଉଡ଼ାଇଦେଲେ; ରାଜନୀତିରେ ସଂମ୍ପୃକ୍ତି ଅଭିଯୋଗରେ ଶିକ୍ଷକଙ୍କ ବଦଳି
ମୋହନ ହେମ୍ବ୍ରମ ଦଳରେ ଗତ ୫ ବର୍ଷ ହେଲା କିଛି କାର୍ଯ୍ୟ କରି ନ ଥିବା ଏବଂ ଜିଲ୍ଲା ସଙ୍ଗଠନ ସହ ଆଲୋଚନା କରି ନ ଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ତେବେ ଏନେଇ କେନ୍ଦୁଝର ଲୋକସଭା ପ୍ରାର୍ଥୀ ମୋହନ ହେମ୍ବ୍ରମ କିମ୍ବା ପିସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନା ଅନୁସାରେ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଏହାପରେ ଗତ ୧୩ ତାରିଖ ଦିନ କଂଗ୍ରେସ ଆଉ ୯ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ । ସେହିପରି ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ୟାସିର ନୱାଜଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ।