ଶଙ୍କରାଚାର୍ଯ୍ୟଙ୍କ ହିନ୍ଦୁ ଧର୍ମ ପ୍ରତି ଅବଦାନକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ
ନୂଆଦିଲ୍ଲୀ : ୫୦୦ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଏବେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଶୁଭ ଏବଂ ଐତିହାସିକ ମୁହୂର୍ତ୍ତକୁ ଦେଶ ବିଦେଶର କୋଟି କୋଟି ରାମ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରତୀକ୍ଷା କରି ରହିଛନ୍ତି। ମାତ୍ର ଏହି ପ୍ରତିଷ୍ଠା ସମାରୋହରେ ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ଓ ଉତ୍ତରାଖଣ୍ଡ ଯୋଶୀମଠ ଶଙ୍କରାଚାର୍ଯ୍ୟ ଯୋଗ ନ ଦେବା ଘୋଷଣା ସୃଷ୍ଟି କରିଛି ଧାର୍ମିକ ବିବାଦ। ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବା ଏବଂ ରୀତିନୀତିରେ […]

ନୂଆଦିଲ୍ଲୀ : ୫୦୦ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଏବେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଶୁଭ ଏବଂ ଐତିହାସିକ ମୁହୂର୍ତ୍ତକୁ ଦେଶ ବିଦେଶର କୋଟି କୋଟି ରାମ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରତୀକ୍ଷା କରି ରହିଛନ୍ତି। ମାତ୍ର ଏହି ପ୍ରତିଷ୍ଠା ସମାରୋହରେ ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ଓ ଉତ୍ତରାଖଣ୍ଡ ଯୋଶୀମଠ ଶଙ୍କରାଚାର୍ଯ୍ୟ ଯୋଗ ନ ଦେବା ଘୋଷଣା ସୃଷ୍ଟି କରିଛି ଧାର୍ମିକ ବିବାଦ। ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବା ଏବଂ ରୀତିନୀତିରେ ତ୍ରୁଟି ଦର୍ଶାଇ ଚାରିଧାମ ଶଙ୍କରାଚାର୍ଯ୍ୟ ଏହାକୁ ବିରୋଧ କରିଛନ୍ତି ।
ଏହି ଉତ୍ସବରେ ସେମାନେ ଯୋଗ ଦେବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଅନୁରୂପ ଭାବରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା କରାଯାଉଥିବାରୁ ଏହାକୁ ମଧ୍ୟ ସେମାନେ ପରୋକ୍ଷରେ ବିରୋଧ କରିଛନ୍ତି। ଚାରି ଧାମ ମଧ୍ୟରୁ ଶ୍ରୀଙ୍ଗେରୀ ଏବଂ ଦ୍ବାରକା ପୀଠାଧୀଶ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ବାଗତ କରିଥିଲେ ହେଁ ଉତ୍ସବରେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। ଅନ୍ୟପକ୍ଷରେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଏବଂ ଉତ୍ତରାଖଣ୍ଡସ୍ଥିତ ଯୋଶୀ ମଠାଧୀଶ ଏହି ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ମନା କରିଦେଇଛନ୍ତି। ଯାହାକୁ ନେଇ ଏବେ ଜଟିଳ ସ୍ଥିତି ଉପୁଜିଛି।
ହିନ୍ଦୁ ଧର୍ମ ରକ୍ଷକ ଭାବେ ଚାରି ପୀଠର ଶଙ୍କରାଚାର୍ଯ୍ୟ ସ୍ବଂୟ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ନଦେବା ବିଶେଷତଃ ହିନ୍ଦୁ ସଂପ୍ରଦାୟ ପାଇଁ ଏକ ପରିତାପର ବିଷୟ ବୋଲି ସବୁ ଆଡେ ଚର୍ଚ୍ଚା ଚାଲିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଓ ରାମମନ୍ଦିର ଲୋକାର୍ପଣ ଉତ୍ସବରେ ଯୋଗଦାନ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟମାନଙ୍କ ଆଭିମୁଖ୍ୟକୁ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ବଜଗତର ଏହି ମହାପର୍ବ କେବଳ ଭାରତ ନୁହେଁ, ବିଶ୍ବର ବହୁ ଭାଗରେ ରାମ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଆଣିଛି। କିନ୍ତୁ ହିନ୍ଦୁ ଧର୍ମର ରକ୍ଷକ ହୋଇ ଶଙ୍କରାଚାର୍ଯ୍ୟମାନେ ମନ୍ଦିର ପ୍ରତିଷ୍ଠାର କେତେକ ଦିଗକୁ ସମାଲୋଚନା କରିବା ଅତ୍ୟନ୍ତ ପରିତାପର ବିଷୟ। ସେମାନେ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସମାଲୋଚନା କରିବା ପରିବର୍ତ୍ତେ ଆଶୀର୍ବାଦ ପ୍ରଦାନ କରିବା ଉଚିତ।
ମହାରାଷ୍ଟ୍ରର ପାଲଘର ଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା କରିବା ଆଜି ଯାଏଁ ସମ୍ଭବ ହୋଇପାରି ନଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ବିଜେପି ହିଁ ଏହାକୁ ସାକାର କରିବାକୁ ସକ୍ଷମ ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାକୁ ଉଦ୍ଘାଟନ କରାଯାଉଥିବାରୁ ଶଙ୍କରାଚାର୍ଯ୍ୟମାନେ ଏହାକୁ ସହ୍ୟ କରି ନପାରି ରାଜନୀତିକ ଦୃଷ୍ଟି କୋଣରୁ ଟିକା ଟିପ୍ପଣୀ କରୁଛନ୍ତି। ଯାହା କଦାଚିତ୍ ଗ୍ରହଣୀୟ ନୁହେଁ। ଏହାଦ୍ବାରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକୁ ନେଇ ସେମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିକୁ ରାଜନୀତିକ ଦିଗରୁ ବିଚାରକୁ ନେଇଛନ୍ତି। ରାମ ମନ୍ଦିର ରାଜନୀତିକ ଆଧାର ନୁହେଁ ,ବରଂ ଧାର୍ମିକ ଆସ୍ଥା ଆଧାରରେ ପ୍ରତିଷ୍ଠା କରାଯାଇଛି ବୋଲି ସେ କହିଛନ୍ତି।
ଏହିକ୍ରମରେ ସେ ଶଙ୍କରାଚାର୍ଯ୍ୟମାନଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ହିନ୍ଦୁତ୍ବ ରକ୍ଷା ଲାଗି ଚାରି ଶଙ୍କରାଚାର୍ଯ୍ୟ ପୀଠ ରହିଥିବା ବେଳେ ଏଥିପାଇଁ ଶଙ୍କରାଚାର୍ଯ୍ୟମାନଙ୍କ କି ଅବଦାନ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀରାଣେ ପ୍ରଶ୍ନ କରିଛନ୍ତି। ହିନ୍ଦୁ ଧର୍ମର ସର୍ବଶ୍ରେଷ୍ଠ ଏବଂ ଜଗଦଗୁରୁ ଭାବେ ବିଦିତ ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ କେହି ବି ଟିକା ଟିପ୍ପଣୀ କରିବାକୁ ସାହସ ଜୁଟାଇ ପାରି ନଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାଣେଙ୍କ ଏହି ଟିପ୍ପଣୀ ଏବେ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି। ତାଙ୍କର ଏହି ବୟାନକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଏଭଳି ବୟାନ ଦେଇ ରାଣେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଗୁରୁଙ୍କୁ ଅପମାନିତ କରିଛନ୍ତି ବୋଲି ମହାରାଷ୍ଟ୍ର କଂଗ୍ରେସ ପ୍ରବକ୍ତା ଅତୁଲ ଲୋନ୍ଧେ ନିଜ ପ୍ରତିକ୍ରିୟାରେ କହିଛନ୍ତି।