ଶଙ୍ଖ ଶିବିରରେ ମନ୍ମଥ, ସୁର କହିଲେ, ‘ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସ ଦଳରେ ରହିବି’...
ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶ୍ରଣ ପର୍ବରେ ଆଜି ସେ ସାମିଲ ହୋଇଥିଲେ ।
ବିଜେଡିରେ ଯୋଗ ଦେଲେ ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ମିଶ୍ରଣ ପର୍ବରେ ଆଜି ସେ ସାମିଲ ହୋଇଥିଲେ । ତେବେ ଏହା ପୂର୍ବରୁ ସେ ଭୁବନେଶ୍ବର ମାଉସୀ ମା’ ମନ୍ଦିର ଛକରୁ ନିଜ କର୍ମୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଆସିଥିଲେ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମିଶ୍ରଣ ପର୍ବରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହି ମିଶ୍ରଣ ପର୍ବରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଉପସ୍ଥିତ ଥିବା ସତ୍ତ୍ବେ ଅନୁପସ୍ଥିତ ଥିଲେ ଶ୍ରୀମୟୀ ମିଶ୍ର । ବିଜେଡିରେ ଯୋଗ ଦେବା ପରେ ମନ୍ମଥ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ନବୀନ ନିବାସ ଯାଇଛନ୍ତି।
ପଢନ୍ତୁ ଏହି ଖବର: ଭୁଶୁଡ଼ିବ ବିଜେଡି ଗଂଜାମ ଗଡ଼ ! ବିଜେପି ଶିବିରରେ ଅସନ୍ତୁଷ୍ଟ ନେତା
ଅନ୍ୟପଟେ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେବା ପରେ ବାପା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ‘ପୁଅ ସାବାଳକ, ତେଣୁ ସେ ନିଜ ନିଷ୍ପତ୍ତି ନିଜେ ନେଇଛି। ତାକୁ ମୁଁ ସମର୍ଥନ କରୁଛି କିନ୍ତୁ ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସ ଦଳରେ ରହିବି ବୋଲି ସୁରେଶ ରାଉତରାୟ କହିଛନ୍ତି’।