ଶାଳୀ ପାଇଁ ଭିଣୋଇଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା ସୁନାନ୍ତର ଗ୍ରାମର ଦୀପକ ଗୌଡ଼ ଏବଂ ଠୁରୁବୁରେଇ ଗ୍ରାମର ପିଙ୍କୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୨୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ମଙ୍ଗଳବାର ସକାଳେ ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ […] The post ଶାଳୀ ପାଇଁ ଭିଣୋଇଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗଲେ ଜେଲ୍ appeared first on Dharitri Odia News.
ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା ସୁନାନ୍ତର ଗ୍ରାମର ଦୀପକ ଗୌଡ଼ ଏବଂ ଠୁରୁବୁରେଇ ଗ୍ରାମର ପିଙ୍କୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୨୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ମଙ୍ଗଳବାର ସକାଳେ ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ ଏବଂ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ମଧ୍ୟବର୍ତ୍ତୀ ଏକ କେନାଲରୁ ହୀନଙ୍କ ମୃତଦେହକୁ ପାଟପୁର ପୋଲିସ ଜବତ କରିଥିଲେ। ଏନେଇ ହୀନଙ୍କ ଶ୍ୱଶୁର ପି.ମାଧବ ପାତ୍ର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା , ଆସିକା ଏସ୍ଡିପିଓ ସନ୍ତୋଷ କୁମାର ଜେନା,ଶେରଗଡ଼ ଥାନା ଆଇଆଇସି ବୀରେନ୍ଦ୍ର ଶିଆଳ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ହୀନଙ୍କ ବାଇକ୍, ହେଲମେଟ୍,ଚଷମା,୨ଟି ନୂଆ ଶର୍ଟ ଜବତ କରି ଫେରିଥିଲେ।
ପୋଲିସ ସୂଚନା ପ୍ରକାରେ ହୀନ ବାଇକ୍ ଯୋଗେ ବ୍ରହ୍ମପୁର ଯାଇଥିଲେ। ସେ ରାତିରେ ଘରକୁ ଫେରିବି ବୋଲି କହିଥିଲେ। କିନ୍ତୁ ରାତିରେ ସେ ଘରକୁ ଫେରି ନ ଥିଲେ। ଗତ ୨୦୧୯ରେ ହୀନ ତାଙ୍କ ମାମୁର ବଡ଼ ଝିଅ ପି.ପୂଜା ପାତ୍ରଙ୍କୁ ବିବାହ କରିଥିଲେ ମଧ୍ୟ ନିଃସନ୍ତାନ ଥିଲେ। ହୀନ ତାଙ୍କ ଶାଳୀଙ୍କୁ ଏକ ପାଖିଆ ପ୍ରେମ କରୁଥିଲେ ଏବଂ ତାଙ୍କୁ ପାଇବାକୁ ପୂର୍ବରୁ ଯୋଜନା କରିଥିଲେ। ଅନ୍ୟପକ୍ଷରେ ଶାଳୀ ତାଙ୍କ ମାମୁଘର ସୁନାନ୍ତର ଗ୍ରାମରେ ରହି ପାଠ ପଢୁଥିଲେ। ଦୀପକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଉଭୟେ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକେ ଏଥିରେ ସହମତି ପ୍ରକାଶ କରି ନଥିଲେ। ହୀନ ଏହା ଜାଣିବା ପରେ ଶାଳୀଙ୍କୁ ପାଇବା ପାଇଁ ଯୋଜନା କରିଥିଲେ। ଦୀପକଙ୍କ ସହ କିଛିଦିନ ଫେରାର ହୋଇଯିବାକୁ ଶାଳୀଙ୍କୁ ପରାମର୍ଶ ଦେଇଥିଲେ। ଏଥି ନିମନ୍ତେ ସେ ୫୦ ହଜାର ଟଙ୍କା ଦେବାକୁ କହିଥିଲେ।
ହୀନଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣିବା ପରେ ଶାଳୀ ତାଙ୍କ ପ୍ରେମିକ ଦୀପକଙ୍କୁ ସମସ୍ତ ଘଟଣା କହିଥିଲେ। ହୀନଙ୍କୁ ରାସ୍ତାରୁ ହଟାଇବାକୁ ତାଙ୍କ ପ୍ରେମିକାଙ୍କୁ ଦୀପକ କହିଥିଲେ। ଏଥି ନିମନ୍ତେ ଦୀପକ ତାଙ୍କ ସାଙ୍ଗ ପିଙ୍କୁ ସହ କଥା ହୋଇ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ ଟାରେ ଦୀପକ ହୀନଙ୍କୁ କାଳିଆ ଘାଇ ବ୍ରିଜ୍ ନିକଟକୁ ଡାକିଥିଲେ। ହୀନ ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଦୀପକ ଏବଂ ତାଙ୍କ ସାଙ୍ଗ ପିଙ୍କୁୁ ହୀନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କୁ ଘୋଷାଡ଼ି ନେଇ ବ୍ରିଜ୍ ଉପରୁ କେନାଲକୁ ଫୋପାଡ଼ି ଦେଇଥିଲେ। କେନାଲରେ ପାଣି ନ ଥିଲା। ପରେ ବ୍ରିଜ ତଳକୁ ଯାଇ ଦେଖିବାରୁ ହୀନ ଜୀବିତ ଥିବା ଜଣାପଡ଼ିଥିଲା। ଦୀପକ ତାଙ୍କ ଫୁଲ ଶର୍ଟ କାଢ଼ି ସେଥିରେ ହୀନଙ୍କ ବେକକୁ ଚାପି ମାରିଦେଇଥିଲେ। ପରେ ଉଭୟେ ସେଠାରୁ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ। ଗଲାବେଳେ ଦୀପକ ତାଙ୍କ ରକ୍ତଲଗା ଶର୍ଟ ଏବଂ ସାଙ୍ଗରେ ଘଟଣାସ୍ଥଳରୁ ନେଇ ଆସିଥିବା ହୀନଙ୍କ ମୋବାଇଲକୁ ନଈବନ୍ଧ ଗ୍ରାମର ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ପୋଲିସ ବୁଧବାର ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ ପରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିଲେ। ସେମାନଙ୍କ ନିକଟରୁ ଦୀପକଙ୍କ ରକ୍ତ ଭିଜା ଶର୍ଟ ଏବଂ ହୀନଙ୍କ ମୋବାଇଲ ଜବତ କରିଛନ୍ତି।
The post ଶାଳୀ ପାଇଁ ଭିଣୋଇଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗଲେ ଜେଲ୍ appeared first on Dharitri Odia News.