ଶିକ୍ଷକ ବଦଳି ପାଲା, ସ୍କୁଲରେ ପଡ଼ିଲା ତାଲା

ଶିକ୍ଷକଙ୍କ ବଦଳି ଯୋଗୁ ସ୍କୁଲରେ ପାଠ ପଢ଼ାରେ ବ୍ୟାଘାତ ଘଟୁଥିଲା। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବଦଳି ହୋଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଅଭିଭାବକମାନେ ଦାବି କରିଥିଲେ।

ଶିକ୍ଷକ ବଦଳି ପାଲା, ସ୍କୁଲରେ ପଡ଼ିଲା ତାଲା

ଶିକ୍ଷକ ବଦଳି ପଲା, ସ୍କୁଲରେ ପଡ଼ିଲା ତାଲା। ତେବେ ଦୀର୍ଘ ୭ ଘଣ୍ଟା ପରେ ଶିକ୍ଷକ ନିଯୁକ୍ତି ନେଇ ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ସ୍କୁଲରୁ ତାଲା ଖୋଲିଛି। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ।

କଙ୍କଡାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେଣୁ ସ୍କୁଲରେ ୧୦ ଜଣ ଶିକ୍ଷକ ଆବଶ୍ୟକ ରହିଥିବା ବେଳେ‌ ଅଛନ୍ତି ମାତ୍ର ୭ ଜଣ ଶିକ୍ଷକ। ଯେଉଁଥିପାଇଁ ପାଠ ପଢ଼ାରେ ବ୍ୟାଘାତ ଘଟୁଥିଲା। ଏନେଇ ଅଭିଭାବକମାନେ ବାରମ୍ବାର ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ଆବଶ୍ୟକତାକୁ ଅନୁଭବ କରି ବ୍ଲକ ଶିକ୍ଷା ଅଧିକାରୀ ଜଣେ ଶିକ୍ଷକଙ୍କୁ ଉକ୍ତ ସ୍କୁଲରେ ନିଯୁକ୍ତି ଦେଇଥିଲେ। ମାତ୍ର ଗତ ୧୩ ତାରିଖରେ ତାଙ୍କୁ ପୁଣି ଥରେ ଏଠାରୁ ବଦଳି କରାଯାଥିଲା।

ଶିକ୍ଷକଙ୍କ ବଦଳି ଯୋଗୁ ସ୍କୁଲରେ ପାଠ ପଢ଼ାରେ ବ୍ୟାଘାତ ଘଟୁଥିଲା। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବଦଳି ହୋଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଅଭିଭାବକମାନେ ଦାବି କରିଥିଲେ। ଏଥିସହ ଆଜି ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଶିକ୍ଷକ ନିଯୁକ୍ତି ନହେଲା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ। ସ୍କୁଲ ଗେଟରୁ ତାଲା ଖୋଲିବ ନାହିଁ ବୋଲି ଅଭିଭାବକମାନେ ଚେତାବନୀ ଦେଇଥିଲେ। ଫାଟକ ବନ୍ଦ ରହିଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ସହିତ ଧାରଣାରେ ବସିଥିଲେ।

ଅପରାହ୍ନ ପ୍ରାୟ ୨ଟା ବେଳେ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚିଥିଲେ। ଧାରଣାରେ ବସିଥିବା ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ। ଖୁବ୍‌ ଶୀଘ୍ର ସ୍କୁଲକୁ ଜଣେ ଶିକ୍ଷକ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲିଛି। ଅପରାହ୍ନ ପ୍ରାୟ ୩ଟା ବେଳେ ସ୍କୁଲ ଗେଟ୍‌ରୁ ତାଲା ଖୋଲିଥିଲା।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ