ଶିକ୍ଷାନୁଷ୍ଠାନରେ ଡ୍ରଗ୍ସ ନିରୋଧୀ ଘୋଷଣାପତ୍ର ବାଧ୍ୟତାମୂଳକ, ଓଡ଼ିଶାର ପଦକ୍ଷେପ ଅନୁକରଣୀୟ
ନିଶା ସେବନ ଓ ନିଷିଦ୍ଧ ମାଦକ ଦ୍ରବ୍ୟ ବ୍ୟବହାର ଭାରତର ଏକ ବଡ଼ ସମସ୍ୟା। ବିଭିନ୍ନ ପ୍ରକାର ନମୁନା ସର୍ଭେ, ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଅନ୍ୟାନ୍ୟ ଭରସାଯୋଗ୍ୟ ସୂତ୍ର ଅନୁସାରେ ଦେଶର ପ୍ରାୟ ୨୦ କୋଟିରୁ ଅଧିକ ଲୋକ ମାଦକ ଦ୍ରବ୍ୟ ସେବନ କରନ୍ତି। ମୋଟ ଜନସଂଖ୍ୟାର ଏହା ପ୍ରାୟ ୧୬ ଶତାଂଶ। ଆହୁରି ଉଦ୍ବେଗଜନକ ତଥ୍ୟ ହେଉଛି ଏହି ଲୋକମାନେ ୧୦ବର୍ଷରୁ ୭୫ ବର୍ଷ ବୟସ ବର୍ଗର। ଏମାନଙ୍କ ମଧ୍ୟରୁ ୧୦ […]

ନିଶା ସେବନ ଓ ନିଷିଦ୍ଧ ମାଦକ ଦ୍ରବ୍ୟ ବ୍ୟବହାର ଭାରତର ଏକ ବଡ଼ ସମସ୍ୟା। ବିଭିନ୍ନ ପ୍ରକାର ନମୁନା ସର୍ଭେ, ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଅନ୍ୟାନ୍ୟ ଭରସାଯୋଗ୍ୟ ସୂତ୍ର ଅନୁସାରେ ଦେଶର ପ୍ରାୟ ୨୦ କୋଟିରୁ ଅଧିକ ଲୋକ ମାଦକ ଦ୍ରବ୍ୟ ସେବନ କରନ୍ତି। ମୋଟ ଜନସଂଖ୍ୟାର ଏହା ପ୍ରାୟ ୧୬ ଶତାଂଶ। ଆହୁରି ଉଦ୍ବେଗଜନକ ତଥ୍ୟ ହେଉଛି ଏହି ଲୋକମାନେ ୧୦ବର୍ଷରୁ ୭୫ ବର୍ଷ ବୟସ ବର୍ଗର। ଏମାନଙ୍କ ମଧ୍ୟରୁ ୧୦ ଭାଗରୁ ଅଧିକ ଅଭ୍ୟାସଗତ ମଦ୍ୟପାନକାରୀ ହୋଇଥିବା ବେଳେ ଗଞ୍ଜେଇ, ଅଫିମ, ଚରସ ଓ ହାସିମ୍, ବ୍ରାଉନସୁଗର ଭଳି ଗୁରୁତର ନିଶା ବ୍ୟବହାରକାରୀଙ୍କ ଅନୁପାତ ୧୨ ଶତାଂଶ। ଅବଶିଷ୍ଟ ନିଷିଦ୍ଧ ନିଷା ଔଷଧ (ବଟିକା ଓ ଇଂଜେକ୍ସନ ଆଦି) ବ୍ୟବହାର କରିଥା’ନ୍ତି। ଏହି ନିଷିଦ୍ଧ ନିଷା ଔଷଧ ସେବନକାରୀଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ।
ନିଶା କ୍ଷଣିକ ଆନନ୍ଦ ଓ ସ୍ୱପ୍ନିଳ ଅନୁଭବ ଦିଏ। ତେବେ ଏହା ଅଭ୍ୟାସରେ ପଡ଼ିଲେ ମଣିଷକୁ ଧୀରେ ଧୀରେ ନିଃଶେଷ କରିବାରେ ଲାଗେ। ନିଶା ଦ୍ରବ୍ୟର ସାମାଜିକ ଓ ଆର୍ଥିକ କୁପ୍ରଭାବ ବିଷୟରେ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ। ନିଶାର ଶାରୀରିକ ଓ ମାନସିକ କୁପ୍ରଭାବ ବିଷୟରେ ସମସ୍ତଙ୍କୁ ଜଣା। ତଥାପି ଏହି କୁଅଭ୍ୟାସ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼଼ିବାରେ ଲାଗିଛି। ଡାକ୍ତରଙ୍କ ଚେତାବନୀ, ସରକାରଙ୍କ ସଚେତନତା, ବିଭିନ୍ନ ବେସରକାରୀ ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିଶା ନିବାରଣ ଦିଗରେ ଯଥାସାଧ୍ୟ ଉଦ୍ୟମ କରାଯାଉଛି। ଏହାସତ୍ତ୍ବେ ନିଶା ରାକ୍ଷସର ପ୍ରଭାବ ବୃଦ୍ଧି ପାଇବା ଓ ନିଷିଦ୍ଧ ନିଶା ସେବନକୁ ରୋକିବା ଏକ ବଡ଼ ଚିନ୍ତାର ବିଷୟ ହୋଇଛି। ବିଶେଷକରି ଯୁବ ଓ ଛାତ୍ର ସମାଜ ଉପରେ ଏହାର କୁପ୍ରଭାବ ଫଳରେ ଦେଶର ଉତ୍ତରପିଢ଼ି ପଙ୍ଗୁ ଓ ନଷ୍ଟ ହେଉଛି।
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଛାଡ଼ିଦେଲେ ଭାରତରେ ନିଷିଦ୍ଧ ମାଦକଦ୍ରବ୍ୟ ସେବନରେ ସର୍ବାଗ୍ରେ ଉତ୍ତରପ୍ରଦେଶ ରହିଛି। ଏହା ପଛକୁ ରହିଛନ୍ତି ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀ। ଏହି ସବୁ ରାଜ୍ୟରେ ଡ୍ରଗ୍ ଆବ୍ୟୁଜ ବା ନିଷିଦ୍ଧ ମାଦକଦ୍ରବ୍ୟର ଦୁରୁପଯୋଗ ଅଧିକ। ଆମ ଓଡ଼ିଶାରେ ୭୫ ଭାଗ ପରିବାରରେ ଅତିକମ୍ରେ ଜଣେ ନିଷିଦ୍ଧ ମାଦକଦ୍ରବ୍ୟ ବ୍ୟବହାରକାରୀ ଥିବା ବେସରକାରୀ ଅନୁଧ୍ୟାନରୁ ଜଣାପଡ଼ିଛି। ଦେଶରେ ମାଦକର ପ୍ରସାର ଓ ବ୍ୟବହାର ବଢ଼଼ିଲେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜ୍ୟ ତାହାର ଦୁଷ୍ପ୍ରଭାବରୁ ମୁକ୍ତ ହୋଇପାରିବ ନାହିଁ। ଆଧୁନିକ ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ଏହି ନିଶା ପ୍ରସାରକୁ ବଢ଼଼ାଉଛି। ସରକାର ଏହାକୁ ସମୂଳେ ନିୟନ୍ତ୍ରଣ କରିବା ଏକ ସହଜ ବ୍ୟାପାର ନୁହେଁ। ଆମ ଦେଶ ମଧ୍ୟ ଆଫଗାନିସ୍ତାନ, ପାକିସ୍ତାନ, ନେପାଳ, ମ୍ୟାଁମାର ଭଳି ଆନ୍ତର୍ଜାତିକ ମାଦକଦ୍ରବ୍ୟ ବଜାରର ମଝିରେ ରହିଛି। ତେଣୁ ସରକାରୀ ପ୍ରତିକାର ବ୍ୟବସ୍ଥା ସତ୍ତ୍ବେ ଏହା ବିରୋଧରେ ସଚେତନତା ସୃଷ୍ଟି ବିଶେଷ ମହତ୍ୱ ରଖେ।
ଓଡ଼ିଶା ସରକାର ଏହା ପୂର୍ବରୁ ନିଷିଦ୍ଧ ମାଦକଦ୍ରବ୍ୟର କାରବାର ଓ ବ୍ୟବହାରକୁ ରୋକିବା ପାଇଁ କ୍ରିୟାନୁଷ୍ଠାନ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ନିଷିଦ୍ଧ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଏବେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନରେ ଡ୍ରଗ୍ସ ଆବ୍ୟୁଜ୍କୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ନାମଲେଖା ସମୟରେ ବିଦ୍ୟାର୍ଥୀଙ୍କ ନିମନ୍ତେ ଡ୍ରଗ୍ସ ନିରୋଧୀ ଘୋଷଣାପତ୍ରରେ ସ୍ୱାକ୍ଷର କରିବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ଏଥିରେ ସ୍ୱାକ୍ଷର ନ କଲେ ନାମ ଲେଖା ହୋଇପାରିବ ନାହିଁ। ଆହୁରି ମଧ୍ୟ ଘୋଷଣାପତ୍ରରେ ସ୍ୱାକ୍ଷର କରି ତାହାର ଉଲ୍ଲଂଘନ କଲେ ଶିକ୍ଷାନୁଷ୍ଠାନରୁ ବହିଷ୍କୃତ ହେବାର ନିୟମ ଏଥିରେ ରହିଛି। ଏହି ବ୍ୟବସ୍ଥା ସବୁ ସରକାରୀ ଓ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ (ଉଭୟ ବୈଷୟିକ ଓ ଅଣ ବୈଷୟିକ) ପାଇଁ ପ୍ରଯୁଜ୍ୟ। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ(ୟୁଜିସି)ର ନିର୍ଦ୍ଦେଶକ୍ରମେ ଏହି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ୟୁଜିସିର ସୁପାରିସ ଅନୁସାରେ ରାଜ୍ୟରେ ମଧ୍ୟ Ñଗିଂ ରୋକିବାକୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୂପ ଘୋଷଣାପତ୍ରରେ ସ୍ୱାକ୍ଷର କରିବାକୁ ପଡୁଛି।
ରାଜ୍ୟ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ବୈଧାନିକ ବ୍ୟବସ୍ଥା ଓ ତତ୍ପରତା ଫଳରେ ରାଜ୍ୟରେ Ñଗିଂ ଆଉ ପ୍ରାୟ ନାହିଁ କହିଲେ ଚଳେ। Ñଗିଂ ନିରୋଧୀ ଘୋଷଣାପତ୍ରରେ ସ୍ୱାକ୍ଷରକାରୀ ବିଦ୍ୟାର୍ଥୀ ତାହାର ସର୍ତ୍ତ ଉଲ୍ଲଂଘନ କଲେ ଶିକ୍ଷାନୁଷ୍ଠାନରୁ ବହିଷ୍କୃତ ହେବାର ଭୟ ଥିବାରୁ Ñଗିଂ ବିରୋଧୀ ଯୋଜନା ସଫଳ ହୋଇଛି। ମାତ୍ର ଡ୍ରଗ୍ସ ବ୍ୟବହାର ନିରୋଧୀ ଘୋଷଣାନାମା ସେଭଳି ସଫଳ ହେବା ସମ୍ଭାବନାକୁ ନେଇ ବିଶେଷଜ୍ଞମାନେ ଦ୍ୱିମତ ହେଉଛନ୍ତି। ସେମାନଙ୍କ ମତରେ ଦୁଇଟି ଯାକ ପ୍ରସଙ୍ଗରେ କେତେକ ମୌଳିକ ପାର୍ଥକ୍ୟ ରହୁଛି। ଡ୍ରଗ୍ସ ସେବନକାରୀ ଗୁପ୍ତରେ ଏହା ବ୍ୟବହାର କଲେ ତାହାକୁ ଜାଣିବା ସହଜ ନୁହେଁ। ଆହୁରି ମଧ୍ୟ ଅନ୍ୟ ପକ୍ଷ ଏହାଦ୍ୱାରା ସିଧାସଳଖ କମ୍ କ୍ଷତିଗ୍ରସ୍ତ ହୋଇଥା’ନ୍ତି। ତେଣୁ ଡ୍ରଗ୍ସ ସେବନକାରୀଙ୍କୁ ଧରି ଚିହ୍ନଟ କରାଇବ କିଏ? ତେବେ ସେ ଯା’ହେଉ ଏହି ବ୍ୟବସ୍ଥା ନିଶ୍ଚୟ କେତେକ ନୂଆ ବାଟ ଆଗାମୀ ଦିନରେ ଖୋଲିବ ବୋଲି ଆଶା କରିବା।
ନିଶା ବା ମାଦକ ଦ୍ରବ୍ୟ ସେବନର ଅନେକ କାରଣ ରହିଛି। ଏହି କାରଣ ସବୁର ସମାଧାନ ଉପରେ ଅଧିକ ଗୁରୁତ୍ୱ ଦେବା ସହିତ ନିଶା କାରବାର ଉପରେ ଦୃଢ଼ ନିୟନ୍ତ୍ରଣ ଲୋଡ଼ା। ରାଜ୍ୟ ସରକାର ପୂର୍ବରୁ ଯେଉଁ ଡ୍ରଗ୍ସ ନିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି, ସେଥିରେ ନିଶାଡ଼ିଙ୍କୁ କାଉନ୍ସେଲିଂ, ଥଇଥାନ, ଆସକ୍ତିରୁ ମୁକ୍ତି ଓ ସାମାଜିକସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ଗୁରୁତ୍ୱ ପାଇଛି। ତା’ଛଡ଼ା ଶିକ୍ଷାନୁଷ୍ଠାନ ନିକଟରୁ ପାନ ଗୁଟ୍ଖା, ତମାଖୁ ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ବିକ୍ରି ଦୋକାନକୁ ହଟା ଯାଇଛି। ତଥାପି କେନ୍ଦ୍ର ସରକାର ଯେଉଁ ‘ନିଶା ମୁକ୍ତ ଭାରତ ଅଭିଯାନ’ ଆରମ୍ଭ କରିଛନ୍ତି, ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ। ତେବେ ଏ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ନ ରହିଲେ ଏହାର ଉଦ୍ଦେଶ୍ୟ ସାଧିତ ହେବା ସହଜ ନୁହେଁ।
ଯେ କୌଣସି ସାମାଜିକ ଓ ଲୋକକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ସର୍ବଦା ଅଗ୍ରାଧିକାର ଦେଇ କାର୍ଯ୍ୟକାରୀ କରିଥା’ନ୍ତି। ତେଣୁ ଏହି କେନ୍ଦ୍ରୀୟ ପ୍ରୟାସକୁ ଯେ ରାଜ୍ୟ ସରକାର ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ କରିବେ, ଏଥିରେ ସନ୍ଦେହ ନାହିଁ। ସୁଖର କଥା, ଓଡ଼ିଶାରେ ଉଗ୍ର ମାଦକଦ୍ରବ୍ୟ ପ୍ରତି ସାମାଜିକ ସଚେତନତା ଅଧିକ। ରାଜନୈତିକ ସ୍ତରରେ ମଧ୍ୟ ଏହାକୁ ସବୁଦଳ ବିରୋଧ କରନ୍ତି। ତେଣୁ Ñଗିଂ ହ୍ରାସ ଭଳି ଏହି ଡ୍ରଗ୍ସ ଆବ୍ୟୁଜର ମାତ୍ରା ଓଡ଼ିଶାରେ ଯଥେଷ୍ଟ କମିବ ବୋଲି ଆଶା।